ବିଡିଏର ବହୁ ଘର ବେଆଇନ

ନିଜ ନିୟମ ନିଜେ ମାନିନି

ଭୁବନେଶ୍ୱର: ବିଲଡର୍‌ମାନେ ଜମିର ଲେ-ଆଉଟ୍‌ ପ୍ଲାନ୍‌ ନ କଲେ ଜମି ବିକି ପାରିବେନି। ୟେଲୋ ଜୋନ୍‌ରେ ଜମି ନଥିଲେ ଘର ନିର୍ମାଣ ପାଇଁ ଅନୁମତି ମିଳିବନି, ଜମିର ପଟ୍ଟା ଏବଂ ଅନ୍ୟାନ୍ୟ କାଗଜ ପତ୍ର ଠିକ୍‌ ଥିଲେ ହିଁ ଘର ନିର୍ମାଣ କରିବାକୁ ଅନୁମତି ମିଳିବ। ଏହିଭଳି ପୁଳାପୁଳା ଗାଇଡଲାଇନ୍‌ କରିଥିବା ବିଡିଏ ନିଜେ ବେଆଇନ୍‌ ଭାବେ ଜମି/ଘର ଓ ଫ୍ଲାଟ୍‌ ବିକୁଛି। ନିଜ ନିୟମ ନିଜେ ଖୁଲମଖୁଲା ଉଲ୍ଲଂଘନ କରୁଛି। ଜଙ୍ଗଲ କିସମ ଜମିରେ ବି ଘର କରି ବିକ୍ରି କରିଦେଇଛନ୍ତି। ଏପରିକି ଲୋକଙ୍କୁ ବିନା ଲିଜ୍‌ ଡିଡ୍‌ରେ ଘର କରିବାକୁ ଅନୁମତି ଦେଉଛି ଓ ଘର କରି ବିକି ବି ଦେଉଛି। ଲିଜ୍‌ ଡିଡ୍‌ ପାଇବା ପାଇଁ ବିଡିଏ ଅଫିସକୁ ଲୋକ ୨୦ବର୍ଷ ହେଲା ଦଉଡୁ ଥିଲେ ହେଁ ବିଡିଏର ଏଥିପ୍ରତି ନଜର ନାହିଁ। ଫଳରେ ବିଡିଏରୁ ଘର କିଣି ଏବେ ହଜାର ହଜାର ଲୋକ ଅନିଶ୍ଚିତତାରେ ଦିନ କାଟୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଡିଏ ତା’ର ବିଭିନ୍ନ ପ୍ରକଳ୍ପ ପାଇଁ ସାଧାରଣ ପ୍ରଶାସନ ବିଭାଗରୁ ଜମି ଆଣିିଛି। ଏପରିକି ବିଡିଏ ପ୍ରତିଷ୍ଠା ହେବ ଦିନଠାରୁ ୫୯ଟି ପ୍ରକଳ୍ପ ପାଇଁ ସାଧାରଣ ପ୍ରଶାସନ ବିଭାଗରୁ ୯୩୩.୪୩୧ଏକର ଜମି ପାଇଛି। ଏଥିରୁ କେତେକ ପ୍ରକଳ୍ପରେ ଘର କରି ବିକିଛି ତ କେତେକ ସ୍ଥାନରେ ଜମି ବିକିଛି। ହେଲେ ସବୁ ବେଆଇନ ଭାବେ ବିକିଛି। ପରବର୍ତ୍ତୀ ସମୟରେ ଯଦିଓ ବେଆଇନକୁ ଆଇନ ସମ୍ମତ କରିବାରେ ସମର୍ଥ ହୋଇଛି। କିନ୍ତୁ ଏବେ ବି ଶତାଧିକ ଏକର ଜମିରେ ଥିବା ଘର ଓ ଜମି ବେଆଇନ ଭାବେ ଲୋକ କିଣିଛନ୍ତି ଓ ରହୁଛନ୍ତି। ଏନେଇ ସ୍ୱର ଉଠାଇଲେ ଏହାକୁ ଚପାଇଦେବାକୁ ଚାପ ପଡ଼ୁଛି। ବର୍ତ୍ତମାନ ସୁଦ୍ଧା ୪୧ଟି ପ୍ରକଳ୍ପର ୭୧୨.୭୫୯ଏକର ଜମିରୁ ଜମି କିଣିଥିବା ଓ ଘର କିଣିଥିବା ଲୋକଙ୍କୁ ବିଡିଏ ଲିଜ୍‌ ଡିଡ୍‌ ଦେଇଥିବାବେଳେ ୧୮ଟି ପ୍ରକଳ୍ପରେ ଜମି ଓ ଘର କିଣିଥିବା ୨୨୦.୬୭୨ ଏକର ଜମିର ଶତାଧିକ ବାସିନ୍ଦାଙ୍କୁ ସେମାନଙ୍କ ଜମି/ଘର ପାଇଁ ଲିଜ୍‌ ଡିଡ୍‌ ମିଳିନି। କେବଳ ଆଲଟ୍‌ମେଣ୍ଟ ଲେଟର୍‌ ଖଣ୍ଡେ ଦିଆଯାଇଛି।

ହନ୍ତସନ୍ତ ହେଉଛି ହଜାର ହଜାର ଲୋକ
୧୮ଟି ପ୍ରକଳ୍ପର ବାସିନ୍ଦାଙ୍କୁ ମିଳିନି ଲିଜ୍‌ ଡିଡ୍‌
ଏଗ୍ରିମେଣ୍ଟରେ ଘର ବିକ୍ରି ହେଉଛି
ବହୁ ପ୍ରକଳ୍ପ ଜଙ୍ଗଲ ଜମିରେ ହୋଇଛି
ଘର/ଜମି ବିକି ପାରୁନାହାନ୍ତି
୫୯ରୁ ୧୮ ପ୍ରକଳ୍ପ ବେଆଇନ୍‌

ବିଡିଏରୁ ଜମି/ଘର କିଣି ବି ଲୋକମାନେ ମାଲିକ ବୋଲି ନିଜର ପ୍ରମାଣ ନାହିଁ। ଅସୁବିଧାରେ ପଡ଼ିଲେ ବି ଘର/ଜମି ବିକି ପାରୁନାହାନ୍ତି କି କାହା ନାମକୁ ସ୍ଥାନାନ୍ତର କରିପାରୁନାହାନ୍ତି। ଫଳରେ ଏବେ ବହୁ ଲୋକ ବିଡିଏରୁ କିଣିଥିବା ଜମି/ଘରକୁ କୋର୍ଟ ପେପରରେ ଏଗ୍ରିମେଣ୍ଟ କରି ବିକି ଦେଉଛନ୍ତି। ହେଲେ ଏଗ୍ରିମେଣ୍ଟର ବୈଧତା ଦୀର୍ଘ ଦିନ ପାଇଁ ନ ଥିବାବେଳେ ପରବର୍ତ୍ତୀ ସମୟରେ ଯଦି କେହି କେସ୍‌ କରନ୍ତି ବା ବିଡିଏ କୌଣସି ନିୟମ ବଦଳାଇ ଦିଏ ତେବେ ଏହା ନାକଚ ହୋଇଯିବାର ଆଶଙ୍କାକୁ ଏଡ଼ାଇ ହେଉନି। ଯେଉଁଥିପାଇଁ ଏବେ ବହୁ ଲୋକ ବିଡିଏ ନିକଟରୁ ନିରାଶ ହେବା ପରେ ଏବେ ଶସ୍ତାରେ ହେଉ ପଛେ କୋର୍ଟ ପେପରରେ ଏଗ୍ରିମେଣ୍ଟ କରି ଜମି/ଘର ବିକ୍ରି କରୁଛନ୍ତି। ଏହିଭଳି ସ୍ଥିତି ଏବେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ଉଦୟଗିରି ବିହାର, ପୋଖରୀପୁଟ ଅଞ୍ଚଳ, କଳିଙ୍ଗ ନଗର, କେ-୯ (ବି), ବରମୁଣ୍ଡା ଆଦି ସ୍ଥାନରେ ବିଡିଏ କରିଥିବା ପ୍ରକଳ୍ପର ହିତାଧିକାରୀଙ୍କୁ ଲିଜ୍‌ ଡିଡ୍‌ ମିଳିନି। ଏନେଇ ବିଡିଏର ଆଲଟମେଣ୍ଟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁମାନଙ୍କୁ ଲିଜ୍‌ ଡିଡ୍‌ ମିଳିନି ସେମାନଙ୍କୁ ବ୍ୟାଙ୍କ ଋଣ ମିଳିବାରେ କି କିଛି ନିର୍ମାଣ କରିବାରେ ଅସୁବିଧା ହେବନି। ଯାହାର କେଉଁଠି ଅସୁବିଧା ହେଉଛି ସେମାନେ ଆମ ନିକଟକୁ ଆସିଲେ ଆମେ ଏନ୍‌ଓସି ଦେବୁ। କିପରି ସମସ୍ତଙ୍କୁ ଲିଜ୍‌ ଡିଡ୍‌ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି। ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ ବିଡିଏକୁ ସାଧାରଣ ପ୍ରଶାସନ ବିଭାଗ ଜମି ଦେଲାବେଳେ ଲିଜ୍‌ ଡିଡ୍‌ କରି ଦେଉନି। ପରମିସିଭ୍‌ ପଜେସନ୍‌ରେ ଦେଉଛି। ଆଉ ବିଡିଏ ଏହାକୁ ବିଭିନ୍ନ ସ୍କିମରେ ବିକଶିତ କରି ବା ଘର ନିର୍ମାଣ କରି ବିକି୍ର କରୁଛି। ବିନା ଲିଜ୍‌ ଡିଡ୍‌ରେ ଲୋକଙ୍କୁ ଜମି/ଘର ହସ୍ତାନ୍ତର ହେଉଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମର ବହୁ ପ୍ରକଳ୍ପର ଲିଜ୍‌ ଡିଡ୍‌ ନାହିଁ। ହେଲେ ଆମେ ଜମି ବିକିଲେ ସେମାନଙ୍କୁ ପ୍ଲାନ୍‌ ଦେଉଛୁ, ଏନଓସି ଦେଉଛୁ। ଯାହାଦ୍ୱାରା ସେମାନେ ବ୍ୟାଙ୍କରୁ ଋଣ ପାଇବାରେ କିଛି ଅସୁବିଧା ହେଉନି। କିନ୍ତୁ ଲୋକ ଘର ବିକି ପାରୁନାହାନ୍ତି। ଆମେ ଗତ ୩/୪ବର୍ଷ ହେଲା ଅଧିକରୁ ଅଧିକ ଜମି/ଘର ମାଲିକଙ୍କୁ ଲିଜ୍‌ ଡିଡ୍‌ ଦେଉଛୁ। ଏବେ ମଧ୍ୟ ଲିଜ୍‌ ଡିଡ୍‌ ଦେବା ପ୍ରକ୍ରିୟା ଚାଲିଛି। ସାଧାରଣ ପ୍ରଶାସନ ବିଭାଗ ଆମ ସହିତ ଲିଜ୍‌ ଡିଡ୍‌ କଲେ ଆମେ ଲିଜ୍‌ ଡିଡ୍‌ କରିବାରେ କିଛି ଅସୁବିଧା ନାହିଁ। ହେଲେ ସାଧାରଣ ପ୍ରଶାସନ ବିଭାଗ ଲିଜ୍‌ ଡିଡ୍‌ କରିବାରେ ବିଳମ୍ବ କରୁଥିବାରୁ ଏପରି ଅସୁବିଧା ହେଉଛି।

ଏହାବାଦ୍‌ କେତୋଟି ପ୍ରକଳ୍ପ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାରୁ ସେଗୁଡ଼ିକର ଲିଜ୍‌ ଡିଡ୍‌ ହୋଇପାରୁନି। ଏନେଇ ସାଧାରଣ ପ୍ରଶାସନ ବିଭାଗ ସହ ଆଲୋଚନା ହେଉଛି। ଜଙ୍ଗଲ ଓ ପରିବେଶ ବିଭାଗ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ବି ଆଲୋଚନା ହେଉଛି। ଯେତିକି ଜଙ୍ଗଲ ଜମିରେ ଗୃହ ପ୍ରକଳ୍ପ ହୋଇଛି ସେତିକି ପରିମାଣର ଅଣଜଙ୍ଗଲ ଜମି ଆମେ ଜଙ୍ଗଲ ବିଭାଗକୁ ଦେବୁ। ଏହାପରେ ଜଙ୍ଗଲ ଜମି ଅଣଜଙ୍ଗଲ/ଘରବାଡ଼ି କିସମକୁ ପରିବର୍ତ୍ତନ ହେବ। ବିଡିଏର ଜମି ସେଲ୍‌ ଏନେଇ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ସବୁ ହିତାଧିକାରୀଙ୍କୁ ଲିଜ୍‌ ଡିଡ୍‌ ମିଳିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର