ଚିଠି ଚାପି ବସିଛି ବିଡିଏ, ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରିକୁ ସୁରକ୍ଷା

ରାସ୍ତା ସମ୍ପ୍ରସାରଣ ଉଚ୍ଛେଦରେ ନ ଥିଲା ପାଚେରି, ବିଡିଏର କରିତ୍‌କର୍ମା ବାବୁଙ୍କ ପଛଘୁଞ୍ଚା କାହିଁକି?

ଚନ୍ଦ୍ରଶେଖରପୁର: ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ ନିଦ ଭାଙ୍ଗିଲା। ରାଜନୈତିକ ହେଉ କିମ୍ବା ଅନ୍ୟ କୌଣସି ଅଦୃଶ୍ୟ ଶକ୍ତି ଚାପ ଆଗରେ ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରିକୁ ସୁରକ୍ଷା ଦେଉଥିବା ପୂର୍ତ୍ତ ବିଭାଗ ଅଧୀନ ଆର୍‌ ଆଣ୍ଡ ବି ଡିଭିଜନ୍‌-୩ ଶେଷରେ ବିଡିଏକୁ ଚିଠି ଲେଖି ସାଇ ମନ୍ଦିର ନିକଟରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସରକାରୀ ରାସ୍ତା ଚିହ୍ନଟ ଲାଗି ମିଳିତ ସର୍ଭେ କରିବାକୁ କୁହାଯାଇଛି। ତେବେ ଏଭଳି ଚିଠିକୁ ନେଇ ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି। ଦେଢ଼ ବର୍ଷ ଆଗରୁ ରାସ୍ତା ସମ୍ପ୍ରସାରଣ ଲାଗି ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏଥିରେ ସାଇମନ୍ଦିର ପାଚେରିକୁ ସାମିଲ କରାଯାଇ ନ ଥିଲା କାହିଁକି? ନା ପାଚେରିକୁ ସୁରକ୍ଷା ଦେବା ଲାଗି ଡ୍ରେନ୍‌ ବଙ୍କାଇବାକୁ ଆଗରୁ ମନସ୍ଥ କରି ନେଇଥିଲେ ସରକାରୀ ବାବୁ? ସତ ଘଟଣା ସାମ୍ନାକୁ ଆସିବା ପରେ ଏବେ ସର୍ଭେ ବାହାନାରେ ଦିନ ଗଡ଼ାଇବାକୁ ଅଧିକାରୀମାନେ ଚାହୁନାହାନ୍ତି ତ? ଏହି ପାଚେରି ସରକାରୀ ଜମିରେ ଛିଡ଼ା ହୋଇଥିବା ବାବୁମାନେ ଜାଣି ନ ଥିଲେ କି?

ଆଶ୍ଚର୍ଯ୍ୟର କଥା ହେଉଛି ଯେ ମାସେ ହେଲା ଆର ଆଣ୍ଡ ବି ଡିଭିଜନ୍‌-୩ର ଅଧିକାରୀ ଚିଠି ଲେଖିଥିଲେ ମଧ୍ୟ ନାଲିଫିତା ତଳେ ତାହାକୁ ବାନ୍ଧି ବସିଛନ୍ତି ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ। ପାଚେରି ଉଚ୍ଛେଦ ତ ଦୂରର କଥା, ଏ ପର୍ଯ୍ୟନ୍ତ ଜବରଦଖଲ ସର୍ଭେ କରିବାକୁ ବିଡିଏର ବାବୁମାନେ ଇଚ୍ଛା କରୁନାହାନ୍ତି। ‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ୧୦ ତାରିଖରେ ଆର ଆଣ୍ଡ ବି ଡିଭିଜନ୍‌-୩ର ଅଧିକାରୀ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ଏଥିରେ ଉଲ୍ଲେଖ ହୋଇଥିଲା ଯେ ଶିଖରଚଣ୍ଡୀ ମନ୍ଦିର ପାଦଦେଶରୁ ସାଇ ମନ୍ଦିର ପର୍ଯ୍ୟନ୍ତ(ଭାୟା ଇନ୍‌ଫୋସିଟି) ୧ କିମି ୮୬୦ ମିଟର ରାସ୍ତାର ସମ୍ପ୍ରସାରଣ ଲାଗି ଜବରଦଖଲ ସରକାରୀ ଜାଗା ଚିହ୍ନଟ ଲାଗି ୨୦୧୯ ଜୁନ୍‌ ୧୮ରେ ଚିଠି ଲେଖାଯାଇଥିଲା। ସାଇ ମନ୍ଦିରରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ବଳକା ଥିବା ରାସ୍ତାର ସର୍ଭେ ହୋଇ ନାହିଁ କି ଉଚ୍ଛେଦ କାର୍ଯ୍ୟ କରାଯାଇ ନାହିଁ। ତେଣୁ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଏହି ଅଂଶକୁ ସର୍ଭେ କରିବା ସହ ଜବରଦଖଲ ହୋଇଥିବା ସରକାରୀ ଜମି ଉଚ୍ଛେଦ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ମାସେ ବିତି ଯାଇଥିଲେ ମଧ୍ୟ ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ବରଂ ଚିଠିକୁ ଚାପି ବସି ପଡ଼ିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯ‌ାୟୀ, ଆର୍‌ ଆଣ୍ଡ ବି ଡିଭିଜନ୍‌-୩ ପରେ ଏବେ ବିଡିଏ ଅଧିକାରୀ ସାଇ ମନ୍ଦିର ପାଚେରି ପ୍ରେମରେ ପଡ଼ିଛନ୍ତି। ଅଗଷ୍ଟ ମାସରେ ବସିଥିବା ସିଇଏମ୍‌ସି ବୈଠକରେ ଏ ବାବଦରେ ଆଲୋଚନା ହୋଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ବିଡିଏର ଅଧିକାରୀଜଣଙ୍କ ପାଚେରି ନ ଭାଙ୍ଗିବାକୁ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏମିତିକି ଉପରୁ ଚାପ ପଡ଼ୁଥିବା କହିଥିଲେ। ସେ କହିଥିଲେ ଯେ ଡ୍ରେନ୍‌ ତ ନିର୍ମାଣ ହେଉଛି। ରାସ୍ତାର ଓସାର ଟିକିଏ କମି ଯାଇଛି। ଏଥିରେ କୌଣସି ଅସୁବିଧା ନାହିଁ। ପାଚେରି ଭାଙ୍ଗିବା ଠିକ୍‌ ହେବ ନାହିଁ ବୋଲି ବିଡିଏ ଅଧିକାରୀ ଜଣକ ଯୁକ୍ତି ବାଢ଼ିଥିଲେ। ସହରର ଅନ୍ୟ ସ୍ଥାନରେ ଯଦି କୌଣସି ବ୍ୟକ୍ତି ଇଞ୍ଚିଏ ଜ‌‌ାଗା ମାଡ଼ି ବସି ଦୋକାନଟିଏ କରୁଛନ୍ତି, ତେବେ ବିଡିଏର ଏହି କରିତ୍‌କର୍ମା ବାବୁଜଣକ ବୋଲଡୋଜର୍‌ ଚଢ଼ାଇ ଭାଙ୍ଗି ଦେଉଛନ୍ତି। ମନ୍ଦିରକୁ ବି ମାଟିରେ ମିଶାଇ ଦେଉଛନ୍ତି। ତେବେ ଏହି ପାଚେରି ଭାଙ୍ଗିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାହା ଏବେ ସନ୍ଦେହଘେରକୁ ଆସିଛି।

ସମ୍ବନ୍ଧିତ ଖବର