ବିଏମ୍‌ସିକୁ ୯ ପାର୍କ ହସ୍ତାନ୍ତର କଲା ବିଡିଏ

ଭୁବନେଶ୍ୱର : ଆଜି ବିଏମ୍‌ସିକୁ ୯ଟି ପାର୍କ ହସ୍ତାନ୍ତର କରିଛି ବିଡିଏ। ଏଣିକି ଏହି ପାର୍କଗୁଡ଼ିକର ବିଏମ୍‌ସି ରକ୍ଷଣାବେକ୍ଷଣ କରିବ। ପୂର୍ବରୁ ବିଏମ୍‌ସି ତତ୍ତ୍ବାବଧାନରେ ୬୨ଟି କଲୋନି ପାର୍କ ରହିଥିଲା। ଏବେ ଏହି ସଂଖ୍ୟା ୭୧ରେ ପହଞ୍ଚିଛି। ନୂଆ କରି ହସ୍ତାନ୍ତର ହୋଇଥିବା ଏହି ପାର୍କଗୁଡ଼ିକର ପରିଚାଳନା ପିପିପି ମୋଡ୍‌‌ରେ ହେବାକୁ ଯାଉଛି। ଏହି ପାର୍କଗୁଡ଼ିକ ହେଉଛି, ନୂଆପଲ୍ଲୀ ବ୍ରିଟ୍‌ କଲୋନି ପାର୍କ ୧, ୨ ଓ ୩, କପିଳପ୍ରସାଦ ପାର୍କ, ଭୀମଟାଙ୍ଗୀ ଫେଜ୍‌-୨, କଳିଙ୍ଗ ନଗର କେ-୫, ପ୍ରାଚୀ ପାର୍କ-୧ ଓ ୨ ଏବଂ ଡୁମୁଡୁମା ଫେଜ୍‌-୫ ପାର୍କ।

୬୨ପାର୍କ ମଧ୍ୟରୁ ୩୬ଟି ଅମୃତ ଯୋଜନାରେ ନିର୍ମାଣ ହୋଇଥିଲା। ପିପିପି ମୋଡ୍‌ରେ ଏଗୁଡ଼ିକର ପରିଚାଳନା କରାଯାଉଛି। ୨୨ଟି ପାର୍କ ମିସନ୍‌ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ଓ ୧୮ଟି ଆବାସିକ କଲ୍ୟାଣ ସଂଘ(ଆର୍‌ଡବ୍ଲ୍ୟୁଏ) ପରିଚାଳନା କରୁଛି। ମାସିକ ପରିଚାଳନା ପାଇଁ ପାର୍କ ପିଛା ସମ୍ପୃକ୍ତ ସଂସ୍ଥାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ଠିକ୍ ସମୟରେ ପାର୍କ ଖୋଲିବା ଓ ବନ୍ଦ କରିବା, ପାର୍କକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଋତୁ ଅନୁଯାୟୀ ଫୁଲଗଛ ଲଗାଇବା, ନିୟମିତ ଭାବେ କୀଟନାଶକ ସ୍ପ୍ରେ’ କରିବା, ଘାସ ଲତା କାଟିବା ପ୍ରଭୃତି କାମ ଏହି ସଂସ୍ଥାର ହୋଇଥିବା ବେଳେ ମୁଖ୍ୟ ମରାମତି ବିଏମ୍‌ସି କରୁଛି। ପ୍ରତି ୬ମାସରେ ଥରେ ଏହାର ପରିଚାଳନା ନେଇ ବିଏମ୍‌ସି ସମୀକ୍ଷା କରୁଛି।
ସୂଚନାଯୋଗ୍ୟ, ଅଧ ଏକରରୁ କମ୍ ପରିସୀମା ଥିବା ପାର୍କଗୁଡ଼ିକୁ ବିଏମ୍‌ସି ଓ ତଦୂର୍ଦ୍ଧ୍ବ ପରିସୀମା ପାର୍କଗୁଡ଼ିକର ପରିଚାଳନା ବିଡିଏ କରୁଛି। ଏହି ଆଧାରରେ ଏହି ୯ଟି ପାର୍କ ବିଏମ୍‌ସି ଅଧୀନକୁ ଆସିଥିବା ପରିବେଶ ଅଧିକାରୀ ବସନ୍ତ ମଲ୍ଲିକ ଓ ଉଦ୍ୟାନ, କୃଷି ଏକ୍ସପର୍ଟ ଗିରିଜା ଭୂଷଣ ଶତପଥୀ ସୂଚନା ଦେଇଛନ୍ତି। ସେହିଭଳି ୫୨ଟି ବଡ଼ ପାର୍କ ବିଡିଏ ପରିଚାଳନା କରୁଛି। ଆଉ ୪ଟି ବଡ଼ ପାର୍କ ନିର୍ମାଣାଧୀନ ରହିଥିବା ସୂଚନା ଦେଇଛନ୍ତି ବିଡିଏ ଉଦ୍ୟାନ କୃଷି ମୁଖ୍ୟ ଅଶୋକାନନ୍ଦ ଧର।

ସମ୍ବନ୍ଧିତ ଖବର