କେବେ ମିଳିବ ଘର ପ୍ଲାନ୍‌?

ଏମିତି ହେଉଛି ଇଜେ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌

ଭୁବନେଶ୍ୱର: ଚେନ୍ନାଇ ଓ ହାଇଦ୍ରାବାଦ୍‌ରେ କୌଣସି ଘର କି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆବେଦନ କଲେ ୭ଦିନରେ ଅନୁମତି ମିଳୁଛି। ହେଲେ ଭୁବନେଶ୍ୱରରେ ଘର ନିର୍ମାଣ ପାଇଁ ପ୍ଲାନ୍‌ ଆବେଦନ କରିବାର ୪ମାସ ପରେ ବି ଅନୁମତି ମିଳୁନି। ଏପରିକି ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ପ୍ରକ୍ରିୟା କରିବା ପାଇଁ କେନ୍ଦ୍ର ସରକାର ୬ମାସ ତଳୁ ତାଗିଦ୍‌ କରିଥିଲେ ହେଁ ଏଠାରେ ଗତ ୪ମାସ ମଧ୍ୟରେ ଦୁଇ ଜଣଙ୍କ ପ୍ଲାନ୍‌ ଅନୁମୋଦନ ହୋଇଛି। କିନ୍ତୁ ଆବେଦନକାରୀଙ୍କୁ ମିଳିନି। ‘ଇଜେ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଚାର କରି ରାଜ୍ୟ ସରକାର ଶିଳ୍ପ ସଂସ୍ଥାଙ୍କୁ ଆକର୍ଷଣ କରୁଥିଲେ ହେଁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏବେ ବି ଅନୁମତି ମିଳୁନି।

ଇଜେ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ କେବଳ କାଗଜ କଲମରେ ନୁହେଁ। ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏଥିପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଅମୃତ ସହରରେ ଅଗ୍ରାଧିକାର ଭିତ୍ତିରେ ଅନ୍‌ଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ କରିବାକୁ ସବୁ ରାଜ୍ୟକୁ କୁହାଯାଇଛି। ପ୍ରାୟ ସମସ୍ତ ରାଜ୍ୟ ଏହି ପ୍ରକି୍ରୟାରେ ଏବେ ପ୍ଲାନ୍‌ ଅନୁମୋଦନ କରିବା ଆରମ୍ଭ କରିଦେଇଥିଲେ ହେଁ ଓଡ଼ିଶାର ୯ଟି ଅମୃତ ସହର ମଧ୍ୟରୁ କୌଣସି ଗୋଟିଏ ବି ସହରରେ ଆଜି ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପ୍ଲାନ୍‌ ଅନୁମୋଦନ ହୋଇପାରିଲାନି। ଭୁବନେଶ୍ୱର ଓ ପୁରୀରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଥିଲେ ହେଁ ବାକି ୭ଟି ସହର ନେଇ ଏପର୍ଯ୍ୟନ୍ତ କିଛି ଯୋଜନା ହୋଇନି। ଏପରିକି କେବେ ଆରମ୍ଭ ହେବ ତାହା ବି ସ୍ଥିର ହୋଇପାରୁନି।

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପାଇଁ ଭାଣ୍ଡିଆ ହେବ ଓଡ଼ିଶା

ଏପରିସ୍ଥଳେ ରାଜ୍ୟରେ କୌଣସି ସହରରେ ଏପର୍ଯ୍ୟନ୍ତ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ରାଜ୍ୟ ସରକାର ସର୍ବଭାରତୀୟ ସ୍ତରରେ ଭାଣ୍ଡିଆ ହେବା ସ୍ପଷ୍ଟ ହୋଇଗଲାଣି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ବିଡିଏ ଓ ବିଏମ୍‌ସି ଅଞ୍ଚଳ ଏବଂ ପୁରୀରେ ପିକିଡିଏ ଅଞ୍ଚଳରେ ଅନଲାଇନ୍‌ରେ ପ୍ଲାନ୍‌ ଅନୁମୋଦନ ପାଇଁ ଆଇଏଲ୍‌ଏଫ୍‌ଆଣ୍ଡ୍‌ଏସ୍‌ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏହି ସଂସ୍ଥା ଆଜି ପର୍ଯ୍ୟନ୍ତ ଏନେଇ ଆବଶ୍ୟକୀୟ ସଫ୍ଟେଓ୍ଵୟାର ପ୍ରସ୍ତୁତ କରିପାରିନି। ଅଧପନ୍ତରା ସଫ୍ଟେଓ୍ଵୟାର ପ୍ରସ୍ତୁତ କରିଥିବାରୁ ପୂର୍ବପରି ଗୋଟି ଗୋଟି କରି ଡକୁମେଣ୍ଟ ଯାଞ୍ଚ କରିବାକୁ ପଡ଼ୁଛି। ଏପରିକି ଏନ୍‌ଓସି ପ୍ରଦାନ ପାଇଁ ବିଭିନ୍ନ ବିଭାଗକୁ ଅନଲାଇନ୍‌ରେ ଫାଇଲ୍‌ ପଠାଇବାକୁ ପଡ଼ୁଥିବାବେଳେ ଯେଉଁ ବିଭାଗ ଏନ୍‌ଓସି ପ୍ରଦାନ କରିବେ ସେମାନଙ୍କ ପାଖରେ ଏହି ସଫ୍‌ଟେଓ୍ଵୟାର ନାହିଁ। ଖାସ୍‌ କରି ବିମାନବନ୍ଦର କର୍ତ୍ତୃପକ୍ଷ, ଏଏସ୍‌ଆଇ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରୁ ଏବେବି ଏନ୍‌ଓସି ଆଣିବା ପାଇଁ କିଛି ବ୍ୟବସ୍ଥା ନାହିଁ। ଏହାବାଦ୍‌ ଯେଉଁ କେତାଟି ବିଭାଗରେ ଏନ୍‌ଓସି ପ୍ରଦାନ କରିବା ପାଇଁ ସଫ୍ଟେଓ୍ଵୟାର ପ୍ରଦାନ କରାଯାଇଛି ସେମାନଙ୍କୁ ଏହାର ବ୍ୟବହାର ଶିଖାଯାଇନି। ଯେଉଁଥିପାଇଁ ଏବେ ଭୁବନେଶ୍ୱର ଏବଂ ଏହା ଆଖପାଖ ଅଞ୍ଚଳ ଓ ପୁରୀରେ କାହାକୁ କୌଣସି ପ୍ରକାରର ନିର୍ମାଣ କରିବାକୁ ଅନୁମତି ମିଳୁନି।

୧୦ରେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ କରିବ ସମୀକ୍ଷା

ଏପଟେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୧୦ତାରିଖରେ ଇଜେ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା ହେବ। ଏଥିରେ କେଉଁ ରାଜ୍ୟ କେତେ ଦୂର ‘ଅନଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ’ କରୁଛନ୍ତି ସେନେଇ ତଥ୍ୟ ଉପସ୍ଥାପନ କରିବେ। ୯ଟି ଅମୃତ ସହରରୁ କେତୋଟି ସହରରେ ଏହା ଆରମ୍ଭ ହୋଇଛି ଏବଂ ସବୁ ସହରର ସ୍ଥିତି କ’ଣ, କେତୋଟି ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯଦି ମିଳିନି କାହିଁକି ମିଳିନି ସେନେଇ ଆଲୋଚନା ହେବ। ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ଏଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।

ଏବେ କେବଳ ନୂଆ ପ୍ଲାନ୍‌କୁ ଅନୁମୋଦନ ମିଳିବ

ଏହି ସଫ୍‌ଟେଓ୍ଵୟାରରେ କେବଳ ନୂଆ ପ୍ଲାନ୍‌କୁ ଅନୁମୋଦନ କରିବା ବ୍ୟବସ୍ଥା ଅଛି। ଯେଉଁମାନେ ପୂର୍ବରୁ ପ୍ଲାନ୍‌ ନେଇ ଘର କରିଛନ୍ତି ସେମାନେ ଯଦି ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ଘରର କିଛି ଅଂଶ ଭାଙ୍ଗି ଏହାକୁ ବଢ଼ାଇବାକୁ ଚାହୁଁଛନ୍ତି, ପ୍ଲାନ୍‌ ନେବାର ତିନି ବର୍ଷ ପରେ ଯଦି ଏହାକୁ ନବୀକରଣ କରିବାକୁ ଚାହୁଁଛନ୍ତି, ଘର ନିର୍ମାଣ ପରେ ଅକୁପାନ୍ସି ସାର୍ଟିଫିକେଟ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ଅନୁମୋଦନ କରିବା ନେଇ କିଛି ବ୍ୟବସ୍ଥା ନାହିଁ। ଫଳରେ ଅଧାପନ୍ତରା ସଫ୍ଟେଓ୍ଵୟାରରେ କାମ କରିବା ଏକ ପ୍ରକାରର ଅସମ୍ଭବ ବୋଲି ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ କହୁଥିଲେ ହେଁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପକ୍ଷରୁ ଏହାକୁ ଉନ୍ନତିିକରଣ କରାଯାଉନି।

ସଫ୍ଟେଓ୍ଵୟାରରେ ପ୍ରବଳ ତ୍ରୁଟି

ବିଡିଏ/ବିଏମ୍‌ସି ଏବେ ପ୍ଲାନ୍‌ ଅନୁମୋଦନ ନ କରିପାରିବାର ମୁଖ୍ୟ କାରଣ ହେଲା ପ୍ଲାନ୍‌ ଯେଉଁ ପ୍ରକ୍ରିୟାରେ ଅନୁମୋଦନ ହେବ ତାହା ଏବେ କର୍ତ୍ତୃପକ୍ଷଙ୍କ ହାତରେ ନାହିଁ। ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହୋଇଥିବା ସଫ୍ଟେଓ୍ଵୟାର ମାଧ୍ୟମରେ ଏବେ ପ୍ଲାନ୍‌ ଅନୁମୋଦନ ହେଉଛି। ଯେଉଁ ଅଧିକାରୀ ଯେଉଁ ଦାୟିତ୍ୱରେ ଥିବେ ସେମାନେ କେବଳ ଅନଲାଇନ୍‌ରେ ଏହାକୁ ଦେଖି ଅନୁମୋଦନ ହେବ କି ନାହିଁ ନିଷ୍ପତ୍ତି ନେବେ। ହେଲେ ଏହି ସଂସ୍ଥା ସେତିକି ବି କରିବାରେ ବିଫଳ ହୋଇଛି। ଯେଉଁଥିପାଇଁ ପ୍ଲାନ୍‌ ସମ୍ବନ୍ଧୀୟ ଫାଇଲ୍‌ ବହୁ ତ୍ରୁଟି ଯୋଗୁଁ ଆଗକୁ ବଢ଼ୁନି। ଅନୁମୋଦନ ହେବା ଦୂରର କଥା। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପ୍ରସ୍ତୁତ ବିପିଏଏସ୍‌ ବା ବି-ପାସ୍‌ ସଫ୍ଟେଓ୍ଵୟାରରେ ବହୁ ତ୍ରୁଟି ଥିବାରୁ ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ ଠିକ୍‌ ଭାବେ କାର୍ଯ୍ୟ କରିପାରୁନାହାନ୍ତି। ଏହି ସଫ୍ଟେଓ୍ଵୟାର ଡେଭଲପ୍‌ କରିବାକୁ ବାରମ୍ବାର କୁହାଯାଉଥିଲେ ହେଁ ଏଠାରେ ଥିବା କର୍ମଚାରୀ କରୁନାହାନ୍ତି। ତେଣୁ ପ୍ଲାନ୍‌ ଅନୁମୋଦନ କରିବାରେ ବହୁତ ଅସୁବିଧା ହେଉଥିବା ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଏପରିକି ସେଠାରୁ ଯେଉଁ ଫାଇଲ୍‌ ଆସୁଛି ତାହାକୁ ଚୂଡ଼ାନ୍ତ ଅନୁମୋଦନ ଦେବା ପାଇଁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ସେହିପରି ଆର୍କିଟେକ୍‌ମାନେ ଅଟୋକାର୍ଡ୍‌ ସମେତ ଅନ୍ୟ ସଫ୍ଟେଓ୍ଵୟାର ମାଧ୍ୟମରେ ପ୍ରସ୍ତୁତ ନକ୍ସା/ଡିଜାଇନ୍‌କୁ ବି ଅପଲୋଡ୍‌ କରିବାର ସୁବିଧା ରଖିବାକୁ ଦାବି କରିଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନି। ଯେଉଁଥିପାଇଁ ବହୁ ଆର୍କିଟେକ୍‌ ପ୍ଲାନ୍‌ ପ୍ରସ୍ତୁତ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର