ସର୍ବକ୍ଷମାରେ ଆବେଦନ କରିପାରିଲେନି ହଜାର ହଜାର ଲୋକ
ଜଳବନ୍ଦୀ ସମସ୍ୟା ହେବ ବୋଲି ଅନୁମତି ଦିଆଯାଉନି: ବିଡିଏ
ଆଚାର୍ଯ୍ୟ ବିହାର, ଜୟଦେବ ବିହାରରେ କ’ଣ ପାଣି ଜମୁନି
ଭୁବନେଶ୍ବର : ଯିଏ ଘର ନିର୍ମାଣ କରିବାକୁ ଅନୁମତି ଦେବା କଥା ସିଏ ଏବେ ଘର ନିର୍ମାଣରେ ବାଧକ ସାଜିଛି। ତାହା ପୁଣି ନିଜର ଦୂରଦୃଷ୍ଟି ଅଭାବରୁ। ଯେଉଁଥିପାଇଁ ରାଜଧାନୀରେ ଏବେ ଏକ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇପାରୁନି। ଆଉ ଯେଉଁମାନେ ଘର ନିର୍ମାଣ କରୁଛନ୍ତି, ତାହା ଉପରେ କେତେବେଳେ ବିଡିଏ ବୁଲଡୋଜର୍ ଚଢ଼ିଯିବ, ସେନେଇ ଆଶଙ୍କାରେ ଦିନ କାଟୁଛନ୍ତି। ଏପରିକି ନିକଟରେ ନଗର ଉନ୍ନୟନ ବିଭାଗ ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପାଇଁ ସର୍ବକ୍ଷମା ଯୋଜନା କରିଥିଲେ ହେଁ ହଜାର ହଜାର ଲୋକ ଚାହିଁକି ବି ଆବେଦନ କରିପାରିନାହାନ୍ତି।
ବିଡିଏର କମ୍ପ୍ରିହେନସିଭ୍ ଡେପଲପମେଣ୍ଟ ପ୍ଲାନ(ସିଡିପି) ଅନୁଯାୟୀ ଏହାର ୩.୯୫ ପ୍ରତିଶତ ଅଞ୍ଚଳ ତଥା ୧୬୫୭ ହେକ୍ଟର ଜମି ହେଉଛି ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବା ଏନଭାଇରମେଣ୍ଟ ସେନସିଟିଭ୍ ଜୋନ (ଇଏସ୍ଜେଡ୍)। ଏହି ଅଞ୍ଚଳରେ ଘର କରିବାକୁ ବିଡିଏ କି ବିଏମ୍ସି ଅନୁମତି ଦେଉନାହାନ୍ତି। ଏଠାରେ ଘର କରିବାକୁ ପ୍ଲାନ୍ ପାଇଁ ବିଡିଏ ଓ ବିଏମ୍ସି କାର୍ଯ୍ୟାଳୟରେ ହଜାର ହଜାର ଫାଇଲ୍ ଗଦା ହୋଇଥିଲେ ହେଁ ଅନୁମତି ମିଳୁନି କି ଏହା ଉପରେ ବିଚାର କରିବାକୁ କର୍ତ୍ତୃପକ୍ଷ ନାରାଜ। ଫଳରେ ଲକ୍ଷାଧିକ ଲୋକ ରାଜଧାନୀରେ ଜମି କିଣି ଏବେ ଘର କରିବା ପାଇଁ ନାକେଦମ୍ ହୋଇଗଲେଣି। କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଅନୁମତି ମିଳିବ କି ନ ମିଳିବ କହି ହେବନି।
ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଥିବା ୧୬୫୭ ହେକ୍ଟର ଜମିରେ ଯଦି ପ୍ରତି ୧୨୦୦ ବର୍ଗଫୁଟ୍ରେ ଗୋଟିଏ ଘର ହୁଏ, ତେବେ ଏକ ଲକ୍ଷ ୪୮ହଜାର ୬୩୧ ଘର ପାଇଁ ପ୍ଲଟିଂ ହେବ। ରାସ୍ତା ପାଇଁ ଜମି ଛାଡ଼ିଲେ ବି ପ୍ରାୟ ୧ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇପାରିବ। ହେଲେ ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ ଏତେ ଲୋକଙ୍କର ସମସ୍ୟା କିପରି ସମାଧାନ ହେବ, ସେନେଇ କିଛି ବି ପଦକ୍ଷେପ ନେଉନାହାନ୍ତି। ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବ ଏବଂ କିଛି ନୂଆ ନ କରିପାରିବାର ଅପାରଗତା ଯୋଗୁଁ ଲକ୍ଷାଧିକ ଲୋକ ସ୍ବପ୍ନର ଘରଟିଏ କରି ପାରୁନାହାନ୍ତି।
ଯେଉଁଠି ୟେଲୋ ଜୋନ୍ ଅଛି, ଯେଉଁଠି ରାସ୍ତା ଅଛି ସେଠାରେ ନକ୍ସା ଆଙ୍କି, ପ୍ଲାନ୍ ଅନୁମୋଦନ କରି ଅଧିକାରୀମାନେ ସାବାସି ନେଉଛନ୍ତି। ଅଥଚ ଯେଉଁଠି ଲୋକ ଘର କରିଗଲେଣି ବା ଘର କରିବାକୁ ଜମି କିଣି ସାରିଲେଣି, ସେଠାରେ କିପରି ଯୋଜନାବଦ୍ଧ ଭାବେ ବିକାଶ ହୋଇପାରିବ, ସେନେଇ ବିଡିଏ ଓ ବିଏମ୍ସିର ଅଧିକାରୀମାନଙ୍କ ମୁଣ୍ଡରେ ବୁଦ୍ଧି ଜୁଟୁନି। ଗୋଟିଏ ଉତ୍ତର, ସମ୍ବେଦନଶୀଳ ଅଞ୍ଚଳରେ ଘର କଲେ ଜଳବନ୍ଦୀ ସମସ୍ୟା ହେବ। ଲୋକ ପାଣି ଘେରରେ ରହିବେ। ଯଦି ବିଡିଏ କର୍ତ୍ତୃପକ୍ଷ ଏବେଠୁ ଏହା ଜାଣି ପାରୁଛନ୍ତି, ତେବେ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଲକ୍ଷ୍ମୀସାଗର, ବମିଖାଲ, ଗୌରୀ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ଜାଗମରା, ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀ ଅଞ୍ଚଳରେ ଘର ନିର୍ମାଣ ପାଇଁ ଅନୁମତି ଦେବା ବେଳେ କ’ଣ ଜାଣିନଥିଲେ, ଏଠାରେ ଭବିଷ୍ୟତରେ ଜଳବନ୍ଦୀ ସମସ୍ୟା ହେବ।
ଯେଉଁଠି ଅଣଯୋଜନାବଦ୍ଧ ଭାବେ ଜନବସତି ଗଢ଼ି ଉଠିବ, ସେଠାରେ ଜଳବନ୍ଦୀ ସମସ୍ୟା ହେବ ତାହା ଆଜି ପର୍ଯ୍ୟନ୍ତ ବି ବିଏମ୍ସି ଓ ବିଡିଏର ଅଧିକାରୀମାନେ ବୁଝିପାରିଲେନି। ଲୋକଙ୍କୁ ଡ୍ରେନ୍ ଓ ରାସ୍ତା ସୁବିଧା ଦେଇ ବ୍ୟବସ୍ଥିତ ଢଙ୍ଗରେ ରହିବାର ସୁବିଧା ଦେବା ବଦଳରେ କିଛି ଯୋଜନା ନକରି ପୂର୍ବରୁ ଯାହା ଅଛି ତାହାକୁ ଜାରି ରଖିଛନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ୟେଲୋ ଜୋନ୍ରେ ଜଳବନ୍ଦୀ ହେଉଛି ସେଠାରେ ଘର ନିର୍ମାଣ ଉପରେ ରୋକ୍ ଲଗାଇପାରିନଥିବା ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ଭିତ୍ତିଭୂମି ନସଜାଡ଼ି କେବଳ କହୁଛନ୍ତି ଘର ନିର୍ମାଣ କରିବାକୁ ଅନୁମତି ମିଳିବନି।
ତିନି ବର୍ଷ ହେଲା ବୈଠକ ବସିପାରୁନି
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଘର କରିବାକୁ ଅନୁମତି ଦେବା ପାଇଁ ତିନି ବର୍ଷ ତଳେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟିରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବିଡିଏର ପ୍ଲାନି˚ ମେମ୍ବର, ଗୃହ ଓ ନଗର ଉନ୍ନୟନ ବିଭାଗ ଏବ˚ ଜଳସମ୍ପଦ ବିଭାଗର କେତେକ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଅଛନ୍ତି। ହେଲେ ଏହି କମିଟି ଆଜି ପର୍ଯ୍ୟନ୍ତ ଥରେ ବସିନିି କି ଘର ନିର୍ମାଣ ପାଇଁ କିପରି ଅନୁମତି ଦିଆଯିବ, ସେନେଇ ନିଷ୍ପତ୍ତି ନେଉନି। ଏହି କମିଟିର ରିପୋର୍ଟ ଆଧାରରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଏନଭାଇରନମେଣ୍ଟାଲି ସେନସିଟିଭ୍ ଜୋନ୍)ରେ ଘର କରିବାକୁ ଅନୁମତି ଦିଆଯିବ। ହେଲେ କମିଟିର ସଦସ୍ୟଙ୍କ ମଧୢରେ ତାଳମେଳ ରହୁ ନ ଥିବାରୁ ଏବେ ଲକ୍ଷେରୁ ଅଧିକ ଲୋକ ଜମି କିଣିବି ବାସହରା ପାଲଟିଛନ୍ତି।ଅପରପକ୍ଷେ ଦୀର୍ଘ ବର୍ଷ ହେଲା ବିଡିଏରେ, ଏବେ ବିଏମସିରେ ପ୍ଲାନ୍ ଅନୁମତି ଫାଇଲ୍ ପଡ଼ି ରହୁଥିବାରୁ କେତେକ ସ୍ଥାନରେ ଲୋକମାନେ ମନଇଚ୍ଛା ଘର ନିର୍ମାଣ କରୁଛନ୍ତି। କିଏ ୪ ମହଲା କରୁଛି ତ କିଏ ଦୁଇ ମହଲା। କେଉଁଠି କେତେ ରାସ୍ତା ଅଛି, କେତେ ଏଫ୍ଏଆର୍ ଘର ନିର୍ମାଣ ହୋଇପାରିବ ତାହାକୁ କେହି ମାନୁନାହାନ୍ତି। ଫଳରେ ଏହି ଅଞ୍ଚଳ ଭୁବନେଶ୍ବରରେ ଥାଇ ବି ଅଣଯୋଜନାବଦ୍ଧ ଅଞ୍ଚଳ ଭାବେ ଗଢ଼ି ଉଠିଲାଣି। ଏପରିକି ଏହି ଅଞ୍ଚଳରେ ବିଡିଏ ଡ୍ରେନ୍, ସ୍ବେରେଜ୍, ପାଣି ପାଇପ୍, ବିଦ୍ୟୁତ ତାର ବିଛାଇବା ପାଇଁ ୟୁଟିଲିଟି ଏରିଆ ସ˚ରକ୍ଷିତ ରଖୁନି କି ସେନେଇ ଯୋଜନା କରୁନି। ସେହିପରି ପୂର୍ବରୁ କେଶୁରା ମୌଜା ଏବ˚ ଅନ୍ୟ କେତୋଟି ମୌଜା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଥିବା ବେଳେ ଏଠାରେ ବିଡିଏ ଘର କରିବାକୁ ଅନୁମତି ଦେଇଛି। କିନ୍ତୁ ଏବେ ଏହା ନିକଟରେ ଥିବା କୋରଡକଣ୍ଟା ଓ ପାଣ୍ତରା ମୌଜାରେ ଘର କରିବାକୁ ଅନୁମତି ମିଳୁନି।
ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଘର ନିର୍ମାଣ କରିବାକୁ ଅନୁମତି ଦିଆଯାଉନି। ଏଠାରେ ବଡ଼ ଆପାର୍ଟମେଣ୍ଟ, ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ ଖୋଲିବାକୁ ଅନୁମତି ଦେବୁ। ଏହାଦ୍ବାରା ଆମେ ଯେଉଁ ଅନୁସାରେ ପ୍ଲାନ୍ ପ୍ରସ୍ତୁତି କରିବୁ, ତାହାକୁ କାର୍ଯ୍ୟକାରୀ କରିପାରିିବୁ। ବଡ଼ ପ୍ରକଳ୍ପ କରୁଥିବା ସ˚ସ୍ଥାକୁ କହି ଡ୍ରେନ୍, ସ୍ବେରେଜ୍ ବ୍ୟବସ୍ଥା କରିହେବ।
ପ୍ରାୟତଃ ଏହି ଅଞ୍ଚଳଗୁଡ଼ିକ ଖାଲୁଆ ଜମିରେ ଅଛି। ଯେଉଁମାନେ ଘର କରିଛନ୍ତି ବର୍ଷା ଦିନେ ସେଗୁଡ଼ିକର ତଳ ମହଲା ପୂରା ବୁଡ଼ିଯାଉଛି ନଚେତ୍ ଘରେ ପାଣି ପଶୁଛି। ତେଣୁ ଏହି ଅଞ୍ଚଳରେ ଘର କଲେ କିପରି ଘରେ ପାଣି ପଶିବନି, ଲୋକ ସୁରକ୍ଷିତ ଭାବେ ଘରେ ରହିବେ, ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହେଉଛି। ଏଥିରେ ଘରର ଉଚ୍ଚତା କେତେ ରହିବ, ତଳ ମହଲା କେବଳ ପାର୍କି˚ ପାଇଁ ରହିବ ନା ଘର ହେବ, କେତେ ଓସାରର ରାସ୍ତା ହେବ, ଡ୍ରେନ୍ ଓସାର ଓ ଗଭୀରତା କେତେ ହେବ, ସ୍ବେରେଜ ଲାଇନ୍ କେଉଁ ପଟେ ବିଛାଯିବ, ବର୍ଷା ଜଳ ନିଷ୍କାସନ କିପରି ହେବ; ସେନେଇ ପ୍ଲାନ୍ ପ୍ରସ୍ତୁତ କରିବା ନେଇ ଏହି କମିଟି ଗଠନ ହୋଇଥିଲା। ହେଲେ ଏହି କମିଟିର ବୈଠକ ବସି ପାରୁନଥିବାରୁ ନିଷ୍ପତ୍ତି ହୋଇପାରୁନି।