ଭୁବନେଶ୍ୱର: ଜମି ଆବଣ୍ଟନ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଆବଣ୍ଟିତ ସମସ୍ତ ଜମି ପ୍ରାପ୍ତକାରୀଙ୍କୁ ଅଗଷ୍ଟ ୩୧ ସୁଦ୍ଧା ୟୁନିକ୍ ଆକାଉଣ୍ଟ୍ ନମ୍ବର(ୟୁଏଏନ୍) ବାହାର କରିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଡିଏ ପକ୍ଷରୁ କୁହାଯାଇଛି, ଏହି ୟୁଏଏନ୍ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ ସେବା ପାଇଁ ବାଧ୍ୟତାମୂଳକ ରହିବ। ସଂପୃକ୍ତ ସେବାଗୁଡ଼ିକ ମଧ୍ୟରେ ସମ୍ପତ୍ତି ଆବଣ୍ଟନ, ଲିଜ୍ ଡିଡ୍ କାର୍ଯ୍ୟକାରୀ କରିବା, ଋଣ ପାଇଁ ଆପତ୍ତିମୁକ୍ତ ପ୍ରମାଣପତ୍ର(ଏନ୍ଓସି) ପ୍ରାପ୍ତି, ସମ୍ପତ୍ତି ହସ୍ତାନ୍ତର, ଜମିକୁ ଲିଜ୍ହୋଲ୍ଡରୁ ଫ୍ରିହୋଲ୍ଡ କରିବା ଭଳି ସେବା ଅନ୍ତର୍ଭୁକ୍ତ ରହିବ। ଆବେଦନକାରୀମାନେ ବିଡିଏର ସରକାରୀ ୱେବ୍ସାଇଟ୍ ‘http.//bda.gov.in’ରେ ନିଜର ୟୁଏଏନ୍ ପାଇଁ ଆବେଦନ କରି ପାଇପାରିବେ। ଏହି ୟୁନିକ୍ ଆକାଉଣ୍ଟ୍ ନମ୍ବର ଭବିଷ୍ୟତରେ ବିଡିଏ ସହିତ ସମସ୍ତ କାରବାର ଓ ଆବେଦନ ପାଇଁ ଏକ ସ୍ବତନ୍ତ୍ର ରେଫରେନ୍ସ ନମ୍ବର ଭାବେ କାର୍ଯ୍ୟ କରିବ। ଆବେଦନକାରୀଙ୍କୁ ପଞ୍ଜୀକରଣ ପ୍ରକ୍ରିୟା ଓ ଏ ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପାଇଁ ବିଡିଏ କାର୍ଯ୍ୟାଳୟରେ ଏକ ୟୁଏଏନ୍ ସୁବିଧା କେନ୍ଦ୍ର ଖୋଲାଯିବ। ସେହିପରି ଲିଜ୍ ହୋଲ୍ଡ ସମ୍ପତ୍ତିକୁ ଫ୍ରିହୋଲ୍ଡ ଜମିରେ ପରିବର୍ତ୍ତନ କରିବାକୁ ଚାଲୁଥିବା ପ୍ରକ୍ରିୟାରେ ବିଡିଏ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଲିଜ୍ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପାଇଁ ବର୍ଷକ ଭିତରେ ୧,୨୫୦ଟି ଆବେଦନ ପଡ଼ିଛି। ଏଥିରୁ ବିଡିଏ ଅଦ୍ୟାବଧି ୭୪୩ଟି ଆବେଦନ ସଫଳତାପୂର୍ବକ ପଞ୍ଜୀକୃତ କରିଛି। ମୋଟ ଆବେଦନରୁ ୮୪୩ଟି ଆବେଦନ ବିଡିଏ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଦାଖଲ ହୋଇଛି।
ବିଡିଏ ପକ୍ଷରୁ କୁହାଯାଇଛି, ଜମି ପାଇଥିବା ବ୍ୟକ୍ତି ନିଜ ପ୍ଲଟ୍ରେ ଗୃହ ନିର୍ମାଣ କରି ଅତି କମ୍ରେ ପାଞ୍ଚବର୍ଷ ଧରି ରହୁଥିଲେ, ସେହି ଜମି ଫ୍ରି ହୋଲ୍ଡ ମାନ୍ୟତା ପାଇଁ ଯୋଗ୍ୟ ହୋଇପାରିବ। ଏହାସହ ପରିବର୍ତ୍ତନ ପାଇଁ ଆବେଦନ କରିବା ପୂର୍ବରୁ ବିଡିଏ ସହ ଏକ ବୈଧ ଲିଜ୍ ଡିଡ୍ ହୋଇଥିବା ଜରୁରି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ(ଫ୍ରିହୋଲ୍ଡ) ଅଧୀନରେ ୨୭ଟି ଗୃହ ଯୋଜନା ଅନ୍ତର୍ଭୁକ୍ତ ରହିଛି। ଆବାସିକ ପ୍ଲଟ୍ର ଫ୍ରିହୋଲ୍ଡ ପରିବର୍ତ୍ତନ ଶୁଳ୍କ ରାଜ୍ୟ ସରକାର ୨୦୨୪ ବର୍ଷ ପାଇଁ ୩ ପ୍ରତିଶତ ସ୍ଥିର କରିଛନ୍ତି। ଘରୋଇ ଜମିର ସର୍ବଶେଷ ବେଞ୍ଚ୍ମାର୍କ ମୂଲ୍ୟାଙ୍କନର ୩ ପ୍ରତିଶତ ଫ୍ରିହୋଲ୍ଡ ପରିବର୍ତ୍ତନ ଶୁଳ୍କ ଧାର୍ଯ୍ୟ ହୋଇଛି। ଯେଉଁମାନେ ସରକାରୀ, ବିଡିଏ ଜମି ଉପରେ ଜବରଦଖଲ କରିଛନ୍ତି, ସେମାନେ ଫ୍ରିହୋଲ୍ଡ ପରିବର୍ତ୍ତନ ପାଇଁ ଯୋଗ୍ୟ ହେବା ନିମନ୍ତେ ପ୍ରଥମେ ଜବରଦଖଲ କରିଥିବା ସମ୍ପତ୍ତି ଖାଲି କରି ଏକ ସତ୍ୟପାଠ ଦାଖଲ କରିବା ଆବଶ୍ୟକ। ଅନ୍ୟଥା ସେମାନଙ୍କ ଫ୍ରିହୋଲ୍ଡ ପରିବର୍ତ୍ତନ ଅଯୋଗ୍ୟ ଘୋଷିତ ହେବେ।