ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ବିଡିଏରୁ ଏକାଧିକ ଜମି/ଘର/ଫ୍ଲାଟ୍ ହାତେଇଥିବା ହିତାଧିକାରୀଙ୍କ ଆବଣ୍ଟନ ମାସକ ମଧ୍ୟରେ ବାତିଲ୍ ହେବ। ବିଡିଏର ଆଜି ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇଚ୍ଛାଧୀନ କୋଟାରେ ବିଡିଏରୁ ସମ୍ପତ୍ତି ହାତେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେବା ପରେ ଆଜି ଏହି ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ଏକାଧିକ ସମ୍ପତ୍ତି ହାତେଇଥିବା ବ୍ୟକ୍ତିଙ୍କର ଆବଣ୍ଟନ ବାତିଲ୍ ହେବ। ଯେଉଁମାନଙ୍କର ଆବଣ୍ଟନ ବାତିଲ ହେବ ତାହାର ତାଲିକା ୭ଦିନ ମଧ୍ୟରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଠାଯିବ। ବିଭାଗୀୟ ମନ୍ତ୍ରୀ ବିଡିଏର ଅଥରିଟି ବୈଠକ ଡାକି ଚୂଡ଼ାନ୍ତ ନିଷ୍ପତ୍ତି ନେବେ କି ସେ ନିଜେ ନିଷ୍ପତ୍ତି ନେବେ ତାହା ତାଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ମାସକ ମଧ୍ୟରେ ଏକାଧିକ ଆବଣ୍ଟନଗୁଡ଼ିକୁ ବାତିଲ୍ କରିବାକୁ ସୁପାରିସ୍ କରାଯିବ ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଡିଏ ଯେଉଁ ପ୍ଲଟ୍ ଆବଣ୍ଟନ କରିଛି ତାହା ତତ୍କାଳୀନ ମନ୍ତ୍ରୀ କରିଥିଲେ। ତେଣୁ ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ହିଁ ଏହାକୁ ବାତିଲ୍ କରିପାରିବେ। ନିୟମ ଅନୁଯାୟୀ ଉପାଧ୍ୟକ୍ଷଙ୍କ ନିକଟକୁ ଯେଉଁ ଫାଇଲ୍ ଆସିବ ତାହାକୁ ସେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିକଟକୁ ପଠାଇବେ। ଆଉ ମନ୍ତ୍ରୀ ହିଁ ଘର/ଜମି/ଫ୍ଲାଟ୍ ଆବଣ୍ଟନ ବାତିଲ୍ ଉପରେ ଚୂଡ଼ାନ୍ତ ମୋହର ମାରିବେ। ମନ୍ତ୍ରୀ ତାଙ୍କ ଦକ୍ଷତା ଦେଖାଇ ବିଡିଏର ସୁପାରିସ୍ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତାହା ଦେଖିବାକୁ ଏବେ ବାକି ରହିଲା। ବିଡିଏର ଆଜି ବସିଥିବା ବୈଠକରେ ଜଣାପଡ଼ିଛି ଯେ, ଏବେ ପ୍ରସ୍ତୁତ ହୋଇଥିବା ତାଲିକାରେ ୧୫୫ଜଣ ଏକାଧିକ ଆବଣ୍ଟନ ହାତେଇଥିବା ହିତାଧିକାରୀଙ୍କ ନାମ ଅଛି। କିନ୍ତୁ ଏଥିରେ କିଛି ତ୍ରୁଟି ଥିବାରୁ ଏହାକୁ ସଂଶୋଧନ କରିବାକୁ କୁହାଯାଇଛି। ଏହାପରେ ପ୍ରାୟ ୧୧୦ଜଣ ଏକାଧିକ ଆବଣ୍ଟନ ହାତେଇଥିବା ବ୍ୟକ୍ତି ରହୁଛନ୍ତି। ଏହି ତାଲିକାକୁ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଯିବ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହା ପରଠାରୁ ଇଚ୍ଛାଧୀନ କୋଟାରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡ ବାଣ୍ଟିଥିବା ସମସ୍ତ ଘର/ଜମି/ଫ୍ଲାଟକୁ ବାତିଲ୍ କରିବାକୁ ତାରା ଦତ୍ତ କମିଟି (ଟାସ୍କ ଫୋର୍ସ) ଚାରିି ବର୍ଷ ହେଲା ରିପୋର୍ଟ ଦେଲାଣି। ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ଏହି ତିନି ସଂସ୍ଥାର ଅଧିକାରୀ ଡରୁଛନ୍ତି। ସିଡିଏ ପକ୍ଷରୁ ୧୨ଜଣ ହିତାଧିକାରୀଙ୍କ ଆବଣ୍ଟନ ବାତିଲ୍ ହୋଇଥିବାବେଳେ ପ୍ରାୟ ୧୧ଜଣ ସେମାନଙ୍କ ଘର ବିଡିଏକୁ ଫେରାଇଛନ୍ତି। କିନ୍ତୁ ବିଡିଏ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନେଇନି। ଅପରପକ୍ଷେ ହାଉସିଂବୋର୍ଡରୁ ୬୬ଜଣ ଇଚ୍ଛାଧୀନ କୋଟାରେ ସମ୍ପତ୍ତି ହାତେଇଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଟାସ୍କଫୋର୍ସ ସମସ୍ତ ଇଚ୍ଛାଧୀନ କୋଟା ଆବଣ୍ଟନକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ କିଛି ଉଚ୍ଚ ପଦବିରେ ଥିବା ଅଧିକାରୀ ଇଚ୍ଛାଧୀନ କୋଟା ହାତେଇଥିବାରୁ କାହାର ବି ଘର/ଜମି/ଫ୍ଲାଟ୍ ବାତିଲ୍ କରିବାକୁ ତିନିଟି ସଂସ୍ଥାର ମୁଖିଆମାନେ ସାହସ ଜୁଟାଇ ପାରୁନାହାନ୍ତି।
ସୂଚନାଯୋଗ୍ୟ ଯେ, ୧୯୯୫ ପରେ ୮୦୩ଟି ଘର/ଜମି/ଫ୍ଲାଟ୍ ଇଚ୍ଛାଧୀନ କୋଟାରେ ଆବଣ୍ଟନ ହୋଇଛି। ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏହାବାଦ୍ ଓଡିଏ କୋର୍ଟରେ ସମସ୍ତଙ୍କ ନାମରେ ମାମଲା ହୋଇଛି। ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି ପାଇଁ ବିଡିଏ ପକ୍ଷରୁ ଗଠନ ହୋଇଥିବା କମିଟିରେ ବିଡିଏର ଦୁଇ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ନିୟମିତ ଅଧିକାରୀ ଅଛନ୍ତି। ଏହି କମିଟି ରିପୋର୍ଟ ଅନୁସାରେ ବିଡିଏ ଉପାଧ୍ୟକ୍ଷ ଆଜିର ବୈଠକରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/BDA.jpg)