ଜନପଥରେ ବିଡିଏ ହରାଉଛି ୧୨୫କୋଟି, ପାର୍କିଂ ଜାଗାରେ ଦୋକାନ ଖୋଲିଛନ୍ତି ବ୍ୟବସାୟୀ

ମୋଟ ନିର୍ମାଣର ୪୦% ଛାଡ଼ିବା ନିୟମ ଅଛି, ଇଞ୍ଚେ ଛାଡ଼ି ନାହାନ୍ତି

ଭୁବନେଶ୍ବର: ଜନପଥରେ ପ୍ରାୟ ୫୦୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ମଲ୍‌, ରେସ୍ତୋରାଁ, ସୋ’ରୁମ୍ ଥିବାବେଳେ କେହି ବି ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ମାନିନାହାନ୍ତି। ସମସ୍ତେ କୋଠା ନିର୍ମାଣ ବେଳେ ବିଡିଏରୁ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲେ ତାହାକୁ ମାନିନାହାନ୍ତି। ନିୟମ ଅନୁଯାୟୀ ସମସ୍ତ ସପିଂ ମଲ୍‌ ମୋଟ୍‌ ନିର୍ମାଣର ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବାକୁ ଥିବାବେଳେ ଅନ୍ୟମାନେ ୪୦% ଜାଗା ଛାଡ଼ିବେ। କିନ୍ତୁ ଜନପଥରେ ଥିବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିୟମକୁ ମାନିନାହାନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ବିଡିଏର ବେଆଇନ ନିର୍ମାଣକୁ ରେଗୁଲାରାଇଜ୍ କରିବାକୁ ଆସିଥିବା ନିୟମ (ସର୍ବକ୍ଷମା) ଅନୁଯାୟୀ ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ବିଡିଏରେ ଜରିମାନା ଦେଇ ସେମାନଙ୍କ ବେଆଇନ ନିର୍ମାଣକୁ ରେଗୁଲାରାଇଜ୍ କରିବା ଦରକାର। ହେଲେ କେହି କରିନାହାନ୍ତିି। ବରଂ ସାଧାରଣ ଲୋକଙ୍କୁ ରାସ୍ତା ଉପରେ ପାର୍କିଂ କରାଇ ବିଏମ୍‌ସିକୁ ପାର୍କିଂ ବାବଦକୁ ଟଙ୍କା ଆଦାୟ କରିବାକୁ ଛାଡ଼ି ଦେଇଛନ୍ତି। କେହି ବି ନିୟମ ମାନିନଥିବାରୁ ବିଡିଏ ଏହି ପ୍ରତିଷ୍ଠାନଗୁଡ଼ିକରୁ ଜରିମାନା ଆକାରରେ ୧୨୫କୋଟି ଟଙ୍କା ରାଜସ୍ବ ପାଇବା କଥା। ତାହା ବି ବିଡିଏ ଆଦାୟ କରୁନି। ‌େଯଉଁଠୁ ଜରିମାନା ଆଦାୟ କରିବା କଥା ନକରି ବହୁ କଷ୍ଟରେ ଘର କରୁଥିବା ସାଧାରଣ ଲୋକଙ୍କ ଠାରୁ କମନ୍ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ ଫଣ୍ଡ (ସିଆଇଡିଏଫ୍) ବାବଦକୁ ହଜାର ହଜାର ଟଙ୍କା ନେଉଛି।

ଜନପଥରେ ପାର୍କିଂ ସମସ୍ୟା ଅସମ୍ଭାଳ ହେବାରୁ ଏହା ବ୍ୟବସ୍ଥିତ କରିବାକୁ ଯାଇ ବିଏମ୍‌ସି ଶିଶୁ ଭବନରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅନଷ୍ଟ୍ରିଟ୍ ପାର୍କିଂ ଆରମ୍ଭ କରିଛି। ସାରା ବିଶ୍ବରେ କ୍ବଚିତ ସ୍ଥାନରେ ଅନଷ୍ଟ୍ରିଟ୍ ପାର୍କ ହେଉଥିବାବେଳେ ବିଏମ୍‌ସି ଏହାକୁ ଆପଣାଇଛି। ଯେଉଁଥିପାଇଁ ରାଜଧାନୀରେ ଯେତେ ଯୋଜନା କଲେ ବି ରାସ୍ତାରୁ ଭିଡ଼ କମୁନି। ଏପଟେ ନିୟମ ମାନିନଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବିଏମ୍‌ସି ଲୋକଙ୍କୁ ଲୁଟୁଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ହିସାବ ଅନୁଯାୟୀ, ଜନପଥର ଦୁଇ ପାର୍ଶ୍ବରେ ପ୍ରାୟ ୫୦୦ରୁ ଅଧିକ ଛୋଟ ବଡ଼ ସୋ’ରୁମ୍, ବ୍ୟାଙ୍କ, ମଲ୍‌, ରେସ୍ତୋରାଁ ଅଛି। ହେଲେ କେହି ନିଜର ପାର୍କିଂ ବ୍ୟବସ୍ଥା କରିନାହାନ୍ତି। ଏପଟେ ଆବଶ୍ୟକୀୟ ପାର୍କିଂ ଅଞ୍ଚଳ ବା ଖୋଲା ସ୍ଥାନ ନଥିବାରୁ କାହାର ଅକୁପାନ୍ସି ସାର୍ଟିଫିକେଟ ନାହିଁ କି କେହି ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଉନାହାନ୍ତି। ହେଲେ ସେମାନେ ସର୍ବକ୍ଷମା ଯୋଜନା‌େର ବି ଆବେଦନ କରୁନାହାନ୍ତି। ନିୟମ ଅନୁଯାୟୀ ଏହି ବେଆଇନ ନିର୍ମାଣକୁ ବିଡିଏ ଯେକୌଣସି ମୁହୂର୍ତ୍ତ‌େର ଉଚ୍ଛେଦ କରିପାରିବ। କିନ୍ତୁ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦେବା ପାଇଁ ସର୍ବକ୍ଷମା ଯୋଜନା ଆସିଛି। ସେଥିରେ ବି ସେମାନେ ଆବେଦନ କରୁନାହାନ୍ତି। ତେଣୁ ଯେଉଁ ବେଆଇନ ନିର୍ମାଣକାରୀ ସର୍ବକ୍ଷମାରେ ଆବେଦନ ନକରିବେ ସେମାନଙ୍କୁ ଆମେ ପରବର୍ତ୍ତୀ ସମୟରେ ନୋଟିସ୍‌ କରି ପ୍ଲାନ୍ ଅନୁମୋଦନ ଠାରୁ ଅଧିକ ନିର୍ମାଣ ଅଞ୍ଚଳକୁ ଭାଙ୍ଗିବୁ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥରେ ୫୦୦ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ (ଛୋଟ ଦୋକାନକୁ ବାଦ୍‌ ଦେଇ) ଥିବାବେଳେ କାହାର ବି ୫ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ସୋ’ରୁମ୍ ନାହିଁ। ଏପରିକି ବହୁ ସୋରୁମ୍ ୧୦ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ହୋଇଥିବାବେଳେ ପ୍ରାୟ ୨୦ଟି ସୋରୁମ୍‌, ହୋଟେଲ, ମଲ୍‌ ପ୍ରାୟ ୫୦ହଜାର ବର୍ଗଫୁଟ ଉପରେ ନିର୍ମାଣ ହୋଇଛି। ଏମାନେ ମୋଟ୍‌ ନିର୍ମାଣର ୪୦ରୁ ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବା ଦରକାର। କିନ୍ତୁ କେହି ଛାଡ଼ି ନାହାନ୍ତି। ଯଦି ଜନପଥରେ ପାର୍କିଂ ଅଞ୍ଚଳ କେତେ ଛଡ଼ାଯିବା ଦରକାର ହିସାବ କରାଯାଏ ତେବେ ଏହା ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ ହେବ। ସର୍ବକ୍ଷମା ଯୋଜନାର ହିସାବ ଅନୁଯାୟୀ ପାର୍କିଂ ଅଞ୍ଚଳ ଛାଡ଼ି ନଥିବା ସଂସ୍ଥା ଜରିମାନା ଦେଲେ ବର୍ଗଫୁଟ ପିଛା ହଜାରେ ଟଙ୍କା ହିସାବରେ ଦେଲେ ବିଡିଏକୁ ୧୨୫କୋଟି ଟଙ୍କା ମିଳିବ। ଏହି ଟଙ୍କା ବିଡିଏ ପାଇଲେ ଲୋକଙ୍କୁ ଜନପଥ ନିକଟରେ ହିଁ ପାର୍କିଂ ସୁବିଧା ଯୋଗାଇପାରନ୍ତା।

ପାର୍କିଂ ସୁବିଧା ପାଇଁ ବିଡିଏ କ’ଣ କରିପାରିବ
ଶିଶୁଭବନରୁ ବାଣୀବିହାର ମଧ୍ୟରେ ୫ଟି ବହୁତଳ କାର୍‌ ପାର୍କିଂ

ଯିଏ ନିୟମ ଅନୁଯାୟୀ ପାର୍କିଂ ପାଇଁ ଜାଗା ଛାଡ଼ିନାହାନ୍ତି ସେମାନଙ୍କ ଠାରୁ ଜରିମାନା ଆଣି ସେହି ଟଙ୍କାରେ ବିଏମ୍‌ସି ଜନପଥ କଡରେ ମଲ୍ଟି ଲେଭେଲ କାର୍‌ ପାର୍କିଂ କରିପାରନ୍ତା। ଯେତିକି ବର୍ଗଫୁଟର କାର୍‌ ପାର୍କିଂ ହେବ ତାହାକୁ ବିଭିନ୍ନ ଦୋକାନ ପାଇଁ ଆବଣ୍ଟନ କରାଗଲେ ରାସ୍ତାରେ କି ବେଆଇନ ପାର୍କିଂ ଆଉ ହୁଅନ୍ତାନି। ଏବେ ଜନପଥରେ ଶିଶୁଭବନରୁ ରାଜମହଲ ଅଞ୍ଚଳ ପାଇଁ ଗୋଟିଏ ମଲ୍ଟି ଲେଭେଲ୍ କାର୍‌ ପାର୍କିଂ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ, ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀୟା ଛକ, ଶ୍ରୀୟା ଛକରୁ ମହର୍ଷି କଲେଜ ଛକ ଏବଂ ମହର୍ଷି କଲେଜ ଛକରୁ ବାଣୀବିହାର ମଧ୍ୟରେ ଗୋଟିଏ ଲେଖାଏଁ ମଲ୍ଟିଲେଭେଲ୍ କାର୍ ପାର୍କିଂ ବ୍ୟବସ୍ଥା କରିବା ଦରକାର। ଏଠାରେ ବିଭିନ୍ନ ସୋରୁମ୍ ଅନୁଯାୟୀ ପାର୍କିଂ ଅଞ୍ଚଳ ଆବଣ୍ଟନ ହୋଇପାରନ୍ତା। ଏଥିପାଇଁ ଜନପଥ କଡ଼ରେ ଥିବା କିଛି ସରକାରୀ କ୍ବାର୍ଟର୍ସ ଭାଙ୍ଗି ସେହି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯାଇପାରନ୍ତା। ଯେମିତି ବିଏମ୍‌ସି ମୁଖ୍ୟାଳୟ ପାଇଁ ୧୦ରୁ ଅଧିକ ସରକାରୀ କ୍ବାର୍ଟର୍ସ ଭଙ୍ଗାଗଲା ସେହିପରି ଏଥିପାଇଁ ସରକାରୀ କ୍ବାର୍ଟର୍ସ ଭଙ୍ଗାଯାଇପାରନ୍ତା। ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସହିଦନଗର ଏବଂ ଏଜିରୁ ରାଜମହଲରୁ ମଧ୍ୟରେ ଦୁଇଟି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ହେଉଥିବାବେଳେ ଏଥିପାଇଁ ପ୍ରାୟ ୩୦କୋଟି ଲେଖାଏ ଖର୍ଚ୍ଚ କରୁଛି। ବିଡିଏ ଜରିମାନା ବାବଦକୁ ପ୍ରାୟ ୧୨୫କୋଟି ଟଙ୍କା ଆଦାୟ କରିପାରିଲେ ଏହି ଟଙ୍କାରେ ଏହିଭଳି କାର୍‌ ପାର୍କିଂ ବ୍ୟବସ୍ଥା କରିପାରନ୍ତା। ହେଲେ ଏଥିପାଇଁ ସାଧାରଣ ପ୍ରଶାସନ ଏବଂ ବିଡିଏର ବରିଷ୍ଠ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବା ଦରକାର।

ସମ୍ବନ୍ଧିତ ଖବର