ଜରିମାନା ଆଦାୟ ବଦଳରେ ନିୟମ ମୋଡ଼ିଦେଲେ : ଜନପଥରେ ବିଡିଏ ହରାଇଛି ୧୨୫ କୋଟି

ଭୁବନେଶ୍ବର : ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ନିଜ ‌ଦୁର୍ବଳତା ତଥା ଅପାରଗତାକୁ ଲୁଚାଇବାକୁ ଏହି କାରସାଦି କରୁଛନ୍ତି ବୋଲି କୁହାଯାଉଛି। କାରଣ ଜନପଥରେ ଥିବା ଦୋକାନ/ମଲ୍‌/ସୋ’ ରୁମ୍‌ଗୁଡ଼ିକ ବିଡିଏରୁ ପ୍ଲାନ୍‌ ମଞ୍ଜୁର କରିବା ସମୟରେ ପାର୍କିଂ ପାଇଁ ଯେତିକି ଅଞ୍ଚଳ ଛାଡ଼ିବେ ବୋଲି କହିଥିଲେ ସେତିକି ଛାଡ଼ିନାହାନ୍ତି। ପାର୍କିଂ ଅଞ୍ଚଳରେ ବେଆଇନ ଭାବେ ଦୋକାନ କରିଦେଇଛନ୍ତି। ଏପରିକି ଅଧିକାଂଶ ସର୍ବକ୍ଷମା ଯୋଜନାରେ ବି ଆବେଦନ କଲେନି। ତେଣୁ ବିଏମ୍‌ସି ଓ ବିଡିଏ ଏହି ବେଆଇନ ନିର୍ମାଣକୁ ଭାଙ୍ଗି ପାର୍କିଂ ଅଞ୍ଚଳ ସୃଷ୍ଟି କରିବା ବଦଳରେ ଏବେ ବ୍ୟବସାୟୀଙ୍କୁ ସୁହାଇଲା ଭଳି ପଦକ୍ଷେପ ନେବାକୁ ଯାଉଛି।

ଜନପଥରେ ୫୦୦ରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ (ଛୋଟ ଦୋକାନକୁ ବାଦ୍‌ ଦେଇ) ଥିବା ବେଳେ କାହାର ବି ୫ ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ସୋ’ରୁମ୍ ନାହିଁ। ଏପରିକି ବହୁ ସୋ’ ରୁମ୍ ୧୦ ହଜାର ବର୍ଗଫୁଟ୍‌ରୁ ଅଧିକ ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ୨୦ଟି ସୋ’ ରୁମ୍‌, ହୋଟେଲ, ମଲ୍‌ ପ୍ରାୟ ୫୦ହଜାର ବର୍ଗଫୁଟ ଉପରେ ନିର୍ମାଣ ହୋଇଛି। ଏମାନେ ମୋଟ୍‌ ନିର୍ମାଣର ୪୦ରୁ ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବା ଦରକାର। କିନ୍ତୁ କେହି ଛାଡ଼ି ନାହାନ୍ତି। ଯଦି ଜନପଥରେ ପାର୍କିଂ ଅଞ୍ଚଳ କେତେ ଛଡ଼ାଯିବା ଦରକାର ହିସାବ କରାଯାଏ ତେବେ ଏହା ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ ହେବ। ସର୍ବକ୍ଷମା ଯୋଜନାର ହିସାବ ଅନୁଯାୟୀ ପାର୍କିଂ ଅଞ୍ଚଳ ଛାଡ଼ି ନଥିବା ସଂସ୍ଥା ଜରିମାନା ଦେଲେ ବର୍ଗଫୁଟ ପିଛା ହଜାରେ ଟଙ୍କା ହିସାବରେ ଦେଲେ ବିଡିଏକୁ ୧୨୫କୋଟି ଟଙ୍କା ମିଳିବ। ଏହି ଟଙ୍କା ବିଡିଏ ପାଇଲେ ଲୋକଙ୍କୁ ଜନପଥ ନିକଟରେ ହିଁ ପାର୍କିଂ ସୁବିଧା ଯୋଗାଇପାରନ୍ତା। ଏବେ ସର୍ବକ୍ଷମା ଅବଧି ସରି ଯାଇଥିବାରୁ ବିଡିଏ ସ୍ବତନ୍ତ୍ର ନିୟମ ବଳରେ ବିଜ୍ଞପ୍ତି ପ୍ରକାଶ କରି ଏହି ଜରିମାନା ଆଦାୟ କରିପାରନ୍ତା।

YouTube

ସ୍ମାର୍ଟ ଜନପଥ ପାର୍କିଂ ଅଞ୍ଚଳ ଫି’ ବ୍ୟବସାୟୀ ଦିଅନ୍ତୁ
ଜନପଥ କଡ଼ରେ ଥିବା ବ୍ୟବସାୟୀମାନେ ପାର୍କିଂ ଅଞ୍ଚଳ ରଖିନଥିବାରୁ ଏବଂ ପାର୍କିଂ ଅଞ୍ଚଳରେ ବେଆଇନ ଭାବେ ନିର୍ମାଣ କରିଥିବାରୁ ନୂଆ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ବିଏମ୍‌ସି ଯେଉଁ ଅଞ୍ଚଳକୁ ନିଲାମ କରିବାକୁ ଯାଉଛି ତାହାକୁ ବିଭିନ୍ନ ଦୋକାନୀଙ୍କୁ ଆବଣ୍ଟନ କରାଯାଇପାରିବ। ସେମାନେ ବିଏମ୍‌ସିକୁ ଏବାବଦକୁ ଅର୍ଥ ଦିଅନ୍ତେ। ଫଳରେ ସାଧାରଣ ଲୋକ ଶେ‌ାଷଣର ଶିକାର ହୁଅନ୍ତେନି। ବିଏମ୍‌ସି ପୂର୍ବାପେକ୍ଷା ଅଧିକ ରାଜସ୍ବ ପାଅନ୍ତା ଆଉ ସାଧାରଣ ଲୋକ ବି ଶେ‌ାଷଣର ଶିକାର ‌ହୁଅନ୍ତେନି। ଏପରିକି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ବିଏମ୍‌ସିରୁ ଏହିଭଳି ପାର୍କିଂ ଅଞ୍ଚଳ ନେଇ ଲୋକଙ୍କଠାରୁ ପାର୍କିଂ ଫି’ ନେଉନାହାନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଏହିଭଳି ନିଷ୍ପତ୍ତି ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଜଣାପଡ଼ୁନି।

ସମ୍ବନ୍ଧିତ ଖବର