ବିଡିଏ ଅଫିସ୍‌ ସିଲ୍‌: ସୋମବାର ଖୋଲିବ, କାର୍ଯ୍ୟାଳୟ ଆସିଥିବା ଲୋକ ଭୟରେ

ଇଞ୍ଜିନିୟରିଂ ବିଭାଗରେ ଆଉ ଜଣେ କରୋନା ଆକ୍ରାନ୍ତ କର୍ମଚାରୀ ଛାନିଆ

ଭୁବନେଶ୍ବର: ବିଡିଏ କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମ୍‌ସି ପକ୍ଷରୁ ବିଡିଏ ଅଫିସକୁ ସିଲ୍‌ କରାଯାଇଛି। ଆଜି ସଂଧ୍ୟାରେ ବିଡିଏ ଅଫିସ୍‌ ସିଲ୍‌ ହୋଇଥିବାବେଳେ ଆସନ୍ତା ସୋମବାର ଅଫିସ୍‌ ଖୋଲିବ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଡିଏରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବିଡିଏ ଅଫିସ୍‌ ବୁଧବାର, ଗୁରୁବାର ଓ ଶୁକ୍ରବାର ସଂପୂର୍ଣ୍ଣ ବନ୍ଦ ରହିବ। କୌଣସି କର୍ମଚାରୀ ଅଫିସ୍‌ ଆସିବେନି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଅଫିସ୍‌ ସଂପୂର୍ଣ୍ଣ ବନ୍ଦ ରହିବ। ତେଣୁ ସୋମବାର ଅଫିସ୍‌ ଖୋଲିବ। ଏହି ସମୟ ମଧ୍ୟରେ ସଂପୂର୍ଣ୍ଣ ବିଡିଏ ଅଫିସକୁ ବିଶୋଧନ କରାଯିବ।

ଆଜି ବିଡିଏର ଚତୁର୍ଥ ମହଲାରେ ଥିବା ଇଞ୍ଜିନିୟରିଂ ବିଭାଗର ଜଣେ କିରାଣୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ‌ସେ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଆଡ଼େ ଯାଇଛନ୍ତି ତାହା ଖୋଜା ଚାଲିଛି। ଏହାସହ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବୁଧବାର ସମସ୍ତଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ଲାଗିବ। ମିଳିଥିବା ସୂଚନା ଅନୁଯାୟୀ, ଏହି କର୍ମଚାରୀଙ୍କର କୌଣସି ଲକ୍ଷଣ ନଥିଲେ ହେଁ ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ହେବା ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ଅପରପକ୍ଷେ ବିଡିଏର ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ ଶୁକ୍ରବାର କରୋନା ଆକ୍ରାନ୍ତ ହେବା ପରେ ବିଡିଏର ପ୍ଲାନିଂ, ଏଷ୍ଟାବ୍ଲିସମେଣ୍ଟ, ଆଲଟମେଣ୍ଟ ବିଭାଗର କର୍ମଚାରୀଙ୍କୁ ୧୪ଦିନ ପାଇଁ ସଙ୍ଗରୋଧରେ ପଠାଯାଇଛି। ଗୁରୁବାର ସେମାନେ ଅଫିସ ଆସିବା ନଆସିବା ନେଇ ନିଷ୍ପତ୍ତି ହୋଇଥାନ୍ତା। କିନ୍ତୁ ଏବେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ଅଫିସ ଆସିବା ନେଇ ନିଷ୍ପତ୍ତି ହେବ। ଏହା ଭିତରେ ଯେଉଁମାନଙ୍କ ନିକଟରେ କିଛି ଲକ୍ଷଣ ଦେଖାଯିବ ବା ଯେଉଁମାନେ ସୁରକ୍ଷାକର୍ମୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା କହିବେ ସେମାନଙ୍କର ସ୍ବାବ୍‌ ସଂଗ୍ରହ ହେବ। ୫ଦିନ‌ ଭିତରେ ବିଡିଏରେ ଦୁଇ ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବିଡିଏର ସମସ୍ତ କର୍ମଚାରୀ ଛାନିଆ ହୋଇଯାଇଛନ୍ତି। ଏଠାରେ ପ୍ରାୟ ୩୦୦ରୁ ଅଧିକ କର୍ମଚାରୀ କାମ କରୁଥିବାବେଳେ ସମସ୍ତେ ଅଫିସ ଆସିବାକୁ ଡରୁଛନ୍ତି। କର୍ମଚାରୀଙ୍କୁ କରୋନା ହେବା ପରେ ସେ କେଉଁଠି ଡୋର୍‌ ଖୋଲିଥିବେ, କେଉଁଠି ସିଡିକୁ ଛୁଇଁଥିବେ, କେଉଁ ଟେବୁଲ୍‌ରେ ହାତ ମାରିଥିବେ, କେଉଁ ଶୌଚାଳୟକୁ ଯାଇଥିଲେ ତାହାକୁ ଯଦି କିଏ ସ୍ପର୍ଶ କରିଥିବେ ତେବେ କରୋନା ସଂକ୍ରମଣ ହେବାର ଭୟ ଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। କେବଳ ବିଡିଏ କର୍ମଚାରୀ ନୁହେଁ, ଏଠାକୁ ବିଭିନ୍ନ କାମରେ ଆସିଥିବା ବିଲଡର୍‌, ଆର୍କିଟେକ୍ଟ ଓ ସାଧାରଣ ଲୋକ ଛାନିଆ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର