ଖଣ୍ଡଗିରି : ମଠବାଡ଼ି ନାଁରେ ଖଣ୍ଡଗିରିରେ ଏକର ଏକର ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମହନ୍ତମାନେ। ଜାଗମରା ମୌଜା ଉଦୟଗିରି ଓ ଖଣ୍ଡଗିରି ପାହାଡ଼ ତଳେ ଆଶ୍ରମ ଓ ସେବାଶ୍ରମ ଭଳି ଟ୍ରଷ୍ଟ ନାଁରେ ପ୍ରାୟ ୩୦ଏକରରୁ ଅଧିକ ସରକାରୀ ଜମି ଜବରଦଖଲ କରାଯାଇଛି। ଦୀର୍ଘ ୭ ବର୍ଷର ଉଦ୍ୟମ ପରେ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏହି ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିପାରିନାହିଁ। ଅଦାଲତୀ ମାମଲା ବିଏମ୍‌ସିର ବାଟ ଓଗାଳିଛି। ମାମଲାଗୁଡ଼ିକ ବିଭିନ୍ନ କାରଣ ପାଇଁ ବର୍ଷ ବର୍ଷ ଧରି ଗଡ଼ୁଥିବାରୁ ସରକାରୀ ଜମି ମୁକୁଳି ପାରୁନାହିଁ କି ସରକାରଙ୍କ ଲୋକହିତକର ପ୍ରକଳ୍ପ ହୋଇପାରୁନାହିଁ। ବସ୍‌ ଟର୍ମିନାଲ ପାଇଁ ଆବଶ୍ୟକ ଜମି ଉପରେ ଏମିତି ୮ଟି ମଠର ମାମଲା ଅଦାଲତରେ ଥିବାରୁ ବିଏମ୍‌ସି ଅଡ଼ୁଆରେ ପଡ଼ିଛି।

Advertisment

ଶୁକ୍ରବାର ବିଏମ୍‌ସି ଖଣ୍ଡଗିରିସ୍ଥିତ ବାବାଜୀ ଚିତ୍ତବିନୋଦ ଦାସଙ୍କ ମଠକୁ ଭାଙ୍ଗିବାର ଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବୀକରଣ ହେବାକୁ ଥିବା ବେଳେ ବସ୍ ଟର୍ମିନାଲ୍‌ ପାଇଁ ଏହି ଜମି ଦରକାର। ଏକ ଏକରରୁ ଅଧିକ ସରକାରୀ ଜମି ଜବରଦଖଲ କରିଥିବା ଏହି ମଠର ମହନ୍ତଙ୍କୁ ପୂର୍ବରୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ ନୋଟିସ୍ ପାଇବା ପରେ ମଠ ପକ୍ଷରୁ ମହନ୍ତ ଚିତ୍ତବିନୋଦ ଦାସ ମାନ୍ୟବର ଉଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଫଳରେ ବିଏମ୍‌ସି ମଠ ଭାଙ୍ଗିବାକୁ ସଜବାଜ ହେବା ବେଳକୁ ମହନ୍ତ ଦେଖାଇଲେ ମାନ୍ୟବର ଅଦାଲତଙ୍କ ରହିତାଦେଶ। ଏମିତି ୮ଟି ମଠ ପ୍ରାୟ ୮ଏକରୁ ଅଧିକ ସରକାରୀ ଜମିକୁ କବ୍‌ଜା କରିଛନ୍ତି ଓ କୋର୍ଟଙ୍କ ସ୍ଥିତାବସ୍ଥା ହାତେଇବାରେ ସକ୍ଷମ ହୋଇଥିବାରୁ ବିଏମ୍‌ସି ସେମାନଙ୍କୁ ଉଚ୍ଛେଦ କରିପାରୁନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୨ମସିହା‌ରେ ପ୍ରଥମେ ଉଦୟଗିରି ପାହାଡ଼ ତଳେ ଥିବା ୩ଟି ମଠକୁ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ପରେ ପରେ ଅନ୍ୟ ମଠଗୁଡ଼ିକ ମାନ୍ୟବର ଉଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହେଲେ ଓ ସ୍ଥିତାବସ୍ଥା ପାଇଁ ଅନୁମତି ପାଇଗଲେ। ସେହିଦିନଠାରୁ ମାମଲା ଅଦାଲତରେ ଗଡ଼ୁଛି। କିଛି ମାମଲା ଶୁଣାଣି ପର୍ଯ୍ୟାୟରେ ଥିବା ବେଳେ କିଛି ରାୟ ପ୍ରକାଶ ପାଇବା ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ବିଏମ୍‌ସି ଅଧିକାରୀଙ୍କ କହିବା କଥା ମାମଲା ପରିଚାଳନାରେ ବିଏମ୍‌ସି କର୍ତ୍ତୃପକ୍ଷ ଟିକିଏ ବି ଅବହେଳା କରୁନାହାନ୍ତି। ତେଣୁ ସବୁ ମାମଲା ବିଏମ୍‌ସି ସପକ୍ଷରେ ଯିବ ଓ ଖୁବ୍‌ ଶୀଘ୍ର ସବୁ ସରକାରୀ ଜମି ଜବରଦଖଲମୁକ୍ତ ହେବ।