ବିଡିଏର ଦ୍ୱିତୀୟ ମହଲା ବୁଧବାର ଯାଏ ସିଲ୍‌

ଶନିବାର ବିଶୋଧନ ହେଲା

ଭୁବନେଶ୍ବର : ବିଡିଏ କାର୍ଯ୍ୟାଳୟର ଦ୍ବିତୀୟ ମହଲାରେ ଥିବା ପ୍ଲାନିଂ ସେକ୍ସନର ଜଣେ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ଅଫିସକୁ ସିଲ୍‌ କରାଯାଇଛି। ଆଜି ଅଗ୍ନିଶମ ବିଭାଗ ଦ୍ବାରା କାର୍ଯ୍ୟାଳୟକୁ ବିଶୋଧନ କରାଯାଇଥିବାବେଳେ ଆକ୍ରାନ୍ତ ସୁରକ୍ଷାକର୍ମୀଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଡିଏର ଦ୍ବିତୀୟ ମହଲାରେ ଥିବା ପ୍ଲାନିଂ, ଆଲଟମେଣ୍ଟ ଏବଂ ଏଷ୍ଟାବ୍ଲିସମେଣ୍ଟ ସେକ୍ସନକୁ ବୁଧବାର ଯାଏ ସିଲ୍‌ କରାଯାଇଛି। ଗୁରୁବାର ଏହି ତିନିଟି ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି। ସେହିପରି ଏହି ସୁରକ୍ଷାକର୍ମୀଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୫ଜଣଙ୍କର କୋଭିଡ୍‌-୧୯ ଟେଷ୍ଟ କରିବାକୁ କର୍ତ୍ତୃପକ୍ଷ ଲେଖିକି ଦେଇଛନ୍ତି। ବିଡିଏର ବାକି ବିଭାଗର ଅଧିକାରୀମାନେ ସୋମବାର ଠାରୁ ଅଫିସ ଆସିବେ ବୋଲି କୁହାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି ସେ ବିଡିଏ ଅଫିସରେ ରୁହନ୍ତି। ସେଠାରେ ରାତିରେ ବି ଶୁଅନ୍ତି। ବାହାରକୁ ଯାଉନଥିବାରୁ ବିଡିଏକୁ ଆସିଥିବା କୌଣସି ବ୍ୟକ୍ତିଙ୍କ ଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏପରିକି ସୁରକ୍ଷା କର୍ମୀଙ୍କ ନିକଟରେ ରାତିରେ ଯେଉଁମାନେ ଶୁଅନ୍ତି ସେମାନଙ୍କର ଏପର୍ଯ୍ୟନ୍ତ କରୋନା ‌ପରୀକ୍ଷା‌ ହୋଇନି। ସବୁଠାରୁ ଚକିତ କରିବା ଭଳି କଥା ହେଉଛି, ଏହି ସୁରକ୍ଷା କର୍ମୀଙ୍କ ସହ ରହୁଥିବା ବିଡିଏର ଜଣେ ପିଅନ ଜୁନ୍‌ ୩୦ତାରିଖରେ ଅବସର ନେବାର ଥିଲା। ତେଣୁ ଏଷ୍ଟାବ୍ଲିସମେଣ୍ଟ ବିଭାଗ ପକ୍ଷରୁ ‌ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନେ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। କରୋନା ଆକ୍ରାନ୍ତଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଥିବା ଜଣେ କର୍ମଚାରୀଙ୍କୁ ସ୍ପର୍ଶ କରିଥିବାରୁ ଏହି ବିଭାଗର ଅଧିକାରୀମାନେ ଭୟଭୀତ ହୋଇଯାଇଛନ୍ତି। ଏପରିକି ଏହି ପିଅନଙ୍କ ମାଧ୍ୟମରେ ଅନ୍ୟ ବିଭାଗର ଅଧିକାରୀମାନେ ବୋଲହାକ କରିଥିବାରୁ ଆଗ ତାଙ୍କର କରୋନା ପରୀକ୍ଷା କରିବାକୁ କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସୁରକ୍ଷାକର୍ମୀଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କର କରୋନା ପରୀକ୍ଷା ରିପୋର୍ଟ‌ ଆସିବା ପରେ ହିଁ ଏହା କେତେ ବ୍ୟାପିଛି ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର