ଘନଘନ ବଦଳୁଛନ୍ତି ବିଡିଏ ସଚିବ

୫ବର୍ଷରେ ୯ଜଣ ଗଲେଣି, ସଚିବରୁ ଜିଲ୍ଲାପାଳ ହେଲେଣି ୫ ଅଧିକାରୀ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ ପଦବି ଏବେ ଏକରକମ ଥଇଥାନ ପଦବି ପାଲଟିଛି। ୫ ବର୍ଷରେ ୯ ଜଣ ସଚିବଙ୍କର ବଦଳି ହୋଇଥିବା ବେଳେ ଆଶ୍ଚର୍ଯ୍ୟର ବିଷୟ ଏଥିରୁ ୫ଜଣ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ବିଡିଏ ସଚିବଙ୍କର ଘନଘନ ବଦଳି ପଛରେ କାରଣ କ’ଣ ରହିଛି ସେନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଲାଣି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ଜଣେ ଆଇଏଏସ୍‌ ଓ ୮ଜଣ ବରିଷ୍ଠ ଓଏଏସ୍ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଜଣେ ମାତ୍ର ଦୁଇ ବର୍ଷ କାର୍ଯ୍ୟ କରିଥିବା ବେଳେ ଆଉ କିଏ ୪ ମାସ ତ କିଏ ୧୬ଦିନ କାର୍ଯ୍ୟ କରିଛନ୍ତି। ଯେମିତି ମନପସନ୍ଦର ପଦବି ନ ପାଇବା ପର୍ଯ୍ୟନ୍ତ ଏଠାରେ ଥଇଥାନ ହେବାକୁ ଆସିଥିଲେ। ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ମେ, ୧୬, ୨୦୧୪ରେ ଶ୍ରୀକାନ୍ତ କବିଙ୍କର ବଦଳି ପରେ ମେ ୩୦, ୨୦୧୪ରେ ରଞ୍ଜନ କୁମାର ଦାସ ସଚିବ ଭାବେ ଯୋଗଦେଇଥିଲେ। ଆଉ ସେପ୍ଟେମ୍ବର ୧୨, ୨୦୧୬ରେ ତାଙ୍କର ଯାଜପୁର ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା। ଏହାପରେ ସେପ୍ଟେମ୍ବର ୧୬ରେ ଯୋଗଦେଇଥିଲେ ଦେବରାଜ ସେନାପତି। ସେ ମାତ୍ର ୭ମାସ କାମ କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତା‌ଙ୍କର ବଦଳି ହୋଇଥିଲା। ଏହାପରେ ଜୁଲାଇ ୧, ୨୦୧୭ରେ ଚିତ୍ତରଂଜନ ମହାନ୍ତି ସଚିବ ଦାୟିତ୍ବ ନେଇଥିଲେ। କିନ୍ତୁ ମାତ୍ର ୧୬ଦିନ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହୋଇ ଯାଇଥିଲା। ରମେଶ ଚନ୍ଦ୍ର ରାଉତ ଜୁଲାଇ ୩୧, ୨୦୧୭ରେ ଦାୟିତ୍ବ ନେଇଥିଲେ କିନ୍ତୁ ୬ମାସ କାମ କରିବା ପରେ ଜାନୁଆରି ୧୭, ୨୦୧୮ରେ ବାଲେଶ୍ବର ଜିଲ୍ଲାପାଳ ଭାବେ ବଦଳି ହୋଇଗଲା। ଏହାପରେ ବିଡିଏର ବର୍ତ୍ତମାନର ଏନଫୋର୍ସମେଣ୍ଟ ସଦସ୍ୟ ଭବାନୀ ଶଙ୍କର ଚଇନି ଦାୟିତ୍ବରେ ରହିଲେ। ମାର୍ଚ୍ଚ ୧୯, ୨୦୧୮ରେ ସୀତାଂଶୁ କୁମାର ରାଉତ ସଚିବ ଭାବେ ଦାୟିତ୍ବ ନେଲେ। ହେଲେ ସେହିବର୍ଷ ଅଗଷ୍ଟ ୭ରେ ତାଙ୍କର ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ହୋଇଗଲା। ଏହାପରେ ପୁଣି ଶ୍ରୀ ଚଇନି ଦାୟିତ୍ବରେ ରହିଲେ। ଶ୍ରୀ ଚଇନି ମାସେ ଦାୟିତ୍ବରେ ରହିବା ପରେ ମନୋଜ କୁମାର ମହାନ୍ତିଙ୍କ ସଚିବ ଭାବେ ବଦଳି ହେଲା। ହେଲେ ସେ ୫ ମାସ କାମ କରିବା ପରେ ତାଙ୍କର ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଏବେ ବିଡିଏ ସଚିବ ଭାବେ କାହାକୁ ନିଯୁକ୍ତି ଦିଆଯାଇନଥିବାବେଳେ ପୁଣି ଭବାନୀ ଶଙ୍କର ଚଇନି ସାମୟିକ ଭାବେ ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୨୦୦୦ରୁ ୨୦୧୯ ମଧ୍ୟରେ ବିଡିଏ ସଚିବ ଭାବେ ୧୩ ଜଣଙ୍କର ବଦଳି ହୋଇଥିଲା ବେଳେ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କର ବଦଳି ହେଲାଣି।

ବିଡିଏ ସଚିବଙ୍କର ଘନଘନ ବଦଳି ହେବା ପରେ ଏବେ ବିଡିଏ କାର୍ଯ୍ୟାଳୟରେ ଚର୍ଚ୍ଚା ବରିଷ୍ଠ ଓଏସ୍ ଅଧିକାରୀଙ୍କ ପାଇଁ ଏହି ପଦବି ଲକି ପାଲଟିଛି। ଏଠାରେ ଯିଏ ସଚିବ ଦାୟିତ୍ବ ନେଉଛନ୍ତି ତାଙ୍କର ଜିଲ୍ଲାପାଳ ଭାବେ ବଦଳି ହେଉଛି। କେବଳ ବିଡିଏରେ ଏହି ଚର୍ଚ୍ଚା ସୀମିତ ରହିନି। ବରିଷ୍ଠ ଓଏଏସ୍ ମାନେ ବିଡିଏ ସଚିବ ହେବା ପାଇଁ ଲବି ଆରମ୍ଭ କରିଦେଲେଣି। ଗତ ୫ବର୍ଷରେ ଏଠାରୁ ୫ଜଣ ଜିଲ୍ଲାପାଳ ହୋଇ ଯାଇଥିବାରୁ ଆସନ୍ତା ନିଯୁକ୍ତିରେ ଯେଉଁମାନେ ଜିଲ୍ଲାପାଳ ହେବାକୁ ଚାହୁଁଛନ୍ତି ସେମାନେ ଏବେ ବିଡିଏକୁ ଆସିବାକୁ ଆଖେଇଛନ୍ତି।

ଅପରପକ୍ଷେ ବିଡିଏର ‌େଦୖନନ୍ଦିନ କାର୍ଯ୍ୟ, ବହୁ ଯୋଜନାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା, ବିଡିଏ ଏଷ୍ଟାବ୍ଲିସମେଣ୍ଟର ମୁଖ୍ୟ ସଚିବ ହୋଇଥିବାରୁ ତାଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ହେଲେ ଏଠାରେ ସଚିବମାନେ କେମିତି ନୂଆ ପଦବିକୁ ଯିବେ ସେ ଚକ୍କରରେ ରହୁଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଉପରେ ନିଷ୍ପତ୍ତି ନେଉନାହାନ୍ତି। ଯେଉଁ କାର୍ଯ୍ୟ ଦିନକରେ ହେବା କଥା ତାହା ମାସ ମାସ ଧରି ପଡ଼ି ରହୁଛି। ଏପରିକି ବିଡିଏ ଯେଉଁ ନିୟମ କରୁଛି ତାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ସଚିବଙ୍କର ମୁଖ୍ୟ କାର୍ଯ୍ୟ ହୋ‌ଇଥିଲେ ହେଁ ସେଗୁଡ଼ିକୁ ବିଚାର ପାଇଁ ରଖି ସଚିବ ଦିନ ଗଡ଼ାଇ ଚାଲୁଛନ୍ତି। ପଦବି ଦୃଷ୍ଟିରୁ ବିଡିଏ ଉପାଧ୍ୟକ୍ଷଙ୍କ ପରେ ସଚିବ ହୋଇଥିବାରୁ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସଚିବଙ୍କ ଦ୍ବାରା କାର୍ଯ୍ୟ କରାଇପାରୁନାହାନ୍ତି। ଯାହାର ପ୍ରଭାବ ଏବେ ରାଜଧାନୀବାସୀଙ୍କ ଉପରେ ପଡ଼ିଲାଣି।

ଉଦାହରଣ ସ୍ବରୂପ ଗତ ବର୍ଷ ବିଡିଏର ବିଲ୍‌ଡିଂ ଏବଂ ପ୍ଲାନିଂ ନିୟମ ସଂଶୋଧନ ବେଳେ ନିଷ୍ପତ୍ତି ହୋଇଥିଲା ଯେ, ଜମିର ଲେ-ଆଉଟ୍ ପ୍ଲାନ୍ ନଥିଲେ ଉକ୍ତ ଜମିରେ ଘର କରିବାକୁ ଅନୁମତି ମିଳିବନି। ଆଶ୍ଚର୍ଯ୍ୟର ବିଷୟ ଯେଉଁମାନେ ବିଡିଏରୁ ଲେ-ଆଉଟ୍‌ ପ୍ଲାନ୍ ନେଇ ଜମି ପ୍ଲଟିଂ କରୁଛନ୍ତି ସେଠାରେ ଜମି କିଣୁଥିବା ଲୋକଙ୍କୁ ଘର କରିବାକୁ ଅନୁମତି ମିଳୁନି। ଜମିକୁ ଥିବା ରାସ୍ତା ବିଡିଏକୁ ଅଧୀନକୁ ଗଲେ ହିଁ ଲୋକଙ୍କ ଘର ପ୍ଲାନ୍ ଅନୁ‌େମାଦନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଦୁଇ ଦିନ ବଦଳି ହୋଇଥିବା ସଚିବ ଏସଂକ୍ରାନ୍ତ ଫାଇଲ୍‌କୁ ମାସାଧିକ କାଳ ଅଟକାଇ ରଖିଲେ। ବିଡିଏ ନିୟମ ଭଲ ଭାବେ ବୁଝିବା ପରେ ନିଷ୍ପତ୍ତି ନେବେ ବୋଲି କହିଲେ। ଆଉ ବଦଳି ହୋଇ ଚାଲିଗଲେ ପଛେ ଶହ ଶହ ଲୋକଙ୍କ ସମସ୍ୟାର ସମାଧାନ କଲେନି।

ଇଏ ଗୋଟିଏ ମାତ୍ର ଉଦାହରଣ। ଗତ ୫ବର୍ଷରେ ୯ଜଣ ବରିଷ୍ଠ ଅଧିକାରୀଙ୍କର ଘନଘନ ବଦଳି ଯୋଗୁଁ ବିଡିଏର ଏଷ୍ଟାବ୍ଲିସମେଣ୍ଟ ପୂରା ଭୁଶୁଡ଼ିଗଲାଣି। କେତେକ ଅଧିକାରୀ ମନପସନ୍ଦର ପଦବି ପାଇବା ପର୍ଯ୍ୟନ୍ତ ଭୁବନେଶ୍ବର ଛାଡ଼ିକି ଯିବାକୁ ଚାହୁଁ ନଥିବାରୁ ବିଡିଏ ନା ଲୋକଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ସମୟରେ ଯୋଗାଇପାରୁଛି ନା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ହୋଇପାରୁଛି।

ସମ୍ବନ୍ଧିତ ଖବର