ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ‌‌‌‌‌ଜେଲ୍‌ ଗଲେ ବିଡିଏ ସେକ୍ସନ୍‌ ଅଫିସର

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କୁ ଗିରଫ କରାଯାଇ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ନିଜ ଚାକିରି ଜୀବନ କାଳ ମଧ୍ୟରେ ସେ ଯେତିକି ଦରମା ପାଇଛନ୍ତି, ତାହା ତୁଳନାରେ ସେ ବହୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଛନ୍ତି।

ପ୍ରକାଶଥାଉକି ଗତକାଲି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଭୁବନେଶ୍ବରର ରସୁଲଗଡ଼ ଜିଜିପି କଲୋନିରେ ଥିବା ୬ଟି ଜମି ଓ ସେଥିରେ ୩ ମହଲା ବିଶିଷ୍ଟ ଘର, ଜଗତସିଂହପୁର ବିରିବାଟିରେ ଥିବା ପୈତୃକ ଘର ଓ ବିଡିଏ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଇଥିଲା। ଏହା ବ୍ୟତୀତ ତାଙ୍କ ଘରୁ ୫ ଲକ୍ଷ ଟଙ୍କାର ଘର ସାମଗ୍ରୀ, ଗୋଟିଏ ମାରୁତି କାର, ୭ ଲକ୍ଷ ଟଙ୍କାର ସୁନାଗହଣା, ବ୍ୟାଙ୍କରେ ସ୍ଥାୟୀ ଜମା ୪ ଲକ୍ଷ, ବ୍ୟାଙ୍କରେ ଜମା ଖାତାରେ ୫ ଲକ୍ଷ ଟଙ୍କା ଆଦି ରହିଛି। ଏସବୁକୁ ହିସାବକୁ ନେଲେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୭ ଲକ୍ଷ ୪୨ ହଜାର ୨୦୧ ଟଙ୍କା ଆକଳନ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ପକ୍ଷରୁ ଗତକାଲି ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଥିଲା। ସେ କେମିତି ଏତେ ସମ୍ପତ୍ତିର ଅଧିକାରୀ ହେଲେ, ଏତେ ଟଙ୍କା, ସୁନାଗହଣା ଓ ଦାମୀ କାର ଆଦି କିପରି କିଣିଲେ ସେ ନେଇ ତାଙ୍କୁ ପଚରା ଉଚରା କରାଯାଇଥିଲା। କିନ୍ତୁ ଭିଜିଲାନ୍ସ ଅଧିକାରୀଙ୍କ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବେ ଦେଇ ପାରି ନ ଥିଲେ। ଯାହା ବି ଉତ୍ତର ଦେଉଥିଲେ ତାହାର ତାଳମେଳ ରହୁ ନ ଥିଲା। ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର