ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଉଭୟ ବିଏମ୍ସି ଓ ବିଡିଏ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷକରି ପରିମଳ ଓ ବୁଲା ଗାଈଗୋରୁଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ରହିଛି। ପଳାସୁଣିରେ ଏକ ମେଗା ଏମ୍ସିସି ଓ ଜାମୁକୋଳିରେ ଏକ ବଡ଼ ଗୋଶାଳା କରିବାକୁ ବିଏମ୍ସି ଯୋଜନା କରିଥିଲା। ହେଲେ ଏ ସବୁ କେବଳ ଯୋଜନାରେ ଦୀର୍ଘ ଦିନ ଧରି ଅଟକି ଯିବାରୁ ଏବେ ଏହି ଦୁଇ ମେଗା ପ୍ରକଳ୍ପ ଦାୟିତ୍ବ ବିଡିଏକୁ ଦିଆଯାଇଛି।
ଆଜି ପୂର୍ବାହ୍ନରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଜାଗାରେ ଥିବା ଜବରଦଖଲ ଉଚ୍ଛେଦ ସହ ଜମି ଅଧିଗ୍ରହଣ ଓ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ଏହି ଜମି ୱାଟ୍କୋକୁ ପ୍ରଥମେ ହସ୍ତାନ୍ତର ହୋଇଥିଲା। ପରେ ଏଠାରେ ଏମ୍ସିସି ପ୍ରସ୍ତୁତ କରିବାକୁ ବିଏମ୍ସି ଯୋଜନା କରିବାରୁ ଜମି ୱାଟ୍କୋରୁ ବିଏମ୍ସିକୁ ହସ୍ତାନ୍ତର କରାଯାଇଥିଲା। ଏବେ ବିଡିଏ ଏଠାରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ବିଏମ୍ସି ଏଥିପାଇଁ ସମସ୍ତ ପ୍ରକାରର ସହଯୋଗ କରିବ। ଏହି ମେଗା ଏମ୍ସିସି କାର୍ଯ୍ୟକ୍ଷମ ହେଲେ ସହରରୁ ଦୈନିକ ବାହାରୁଥିବା ଆବର୍ଜନା ଆଉ ଭୁଆସୁଣି ଯିବ ନାହିଁ। ସେହିଭଳି ଆଉ ଏକ ମେଗା ଏମ୍ସିସି ଟିଟିଏସ୍ ନିକଟରେ ହେବ। ସେଠାରେ ଗଦା ହୋଇଥିବା ଆବର୍ଜନା ସବୁକୁ ଏହି ପ୍ରକଳ୍ପରେ ପରିଚାଳନା କରାଯିବ।
ସେହିଭଳି ସହର ଉପକଣ୍ଠ ଜାମୁକୋଳିରେ ଆଉ ଏକ ଗୋଶାଳା କରିବାକୁ ଯୋଜନା ହୋଇଥିଲା। ନିକଟ ଅତୀତରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ବୁଲିବା ସହ ସ୍ଥିତି ପରଖିଥିଲେ। ଏବେ ଏହି ପ୍ରକଳ୍ପକୁ ବିଡିଏ କରିବାକୁ ଯାଉଛି। ଜାମୁକୋଳିରେ ନୁହେଁ, ବରଂ ଏହାକୁ ଭଗବାନପୁରରେ କରିବାକୁ ଯୋଜନା ହୋଇଛି। ଆଜି ବିଡିଏ ଉପାଧ୍ୟକ୍ଷ ଶ୍ରୀ ସିଂହ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ସହ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ସେଠାରେ କେତେ ଜାଗା ଉପଲବ୍ଧ ହେବ? ସେତିକି ଜାଗାରେ କେତେ ଗାଈଗୋରୁ ରହିପାରିବେ? ଆବଶ୍ୟକ ପଡ଼ିଲେ ଆଉ କେତେ ଜାଗା ଅଧିକ ନେଇ ହେବ? ଜାଗା ମାପଚୁପ କରି ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ ତହସିଲଦାରଙ୍କୁ କୁହାଯାଇଛି।
ଏହି ଦୁଇଟି ବଡ଼ ବଡ଼ ପ୍ରକଳ୍ପକୁ ତିଆରି କରିବାକୁ ୬ ମାସ ତଳେ ବିଏମ୍ସି ଯୋଜନା କରିଥିଲେ ମଧ୍ୟ ଆଖିଦୃଶିଆ ଅଗ୍ରଗତି ନ ହେବାରୁ ବିଡିଏ ନେଇ ଯାଇଥିବା କୁହାଯାଉଛି। ହକି ଖେଳ ପାଇଁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରିବାକୁ ଥିବାରୁ ବିଡିଏ ନିର୍ମାଣ କରିବାକୁ ଯାଉଥିବା ସୂଚନା ମିଳିଛି।