ବିଡିଏର ଟିପି ସ୍କିମ୍‌ ଯୋଜନା : ମାର୍ଚ୍ଚ ୬ରୁ ପାଇକରାପୁରରେ ଜମି, ରାସ୍ତା ଚିହ୍ନଟ

ପ୍ରଥମେ ୧୪୫ଏକରରେ ଜମି ଆବଣ୍ଟନ, ରାସ୍ତା ନିର୍ମାଣ ହେବ
ବର୍ଷ ଶେଷ ସୁଦ୍ଧା ୪ଟି ଯାକ ଟିପି ସ୍କିମ୍‌ ଚୂଡ଼ାନ୍ତ ରୂପ ପାଇବ

ଭୁବନେଶ୍ୱର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ। ଜମି ଜନିତ ସମସ୍ତ ଅଭିଯୋଗର ଶୁଣାଣି ଶେଷ ହେବା ପରେ ଆସନ୍ତା ମାସରେ ହିତାଧିକାରୀଙ୍କୁ ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି। ଟାଉନ୍‌ ପ୍ଲାନିଂ ଯୋଜନା-୧ର ପ୍ରିଲିମନାରି ରିପୋର୍ଟକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ବିଡିଏ ପକ୍ଷରୁ ହିତାଧିକାରୀଙ୍କ ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିପି ସ୍କିମ୍‌ -୧ରେ ୭୪୬.୭୦ ଏକର ଜମି ଥିବାବେଳେ ଏଥିରୁ ପାଇକରାପୁରର ୩୧୭.୯୩ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତିକରଣ ହେବ। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ଏକର ଜମିର ଉନ୍ନତିକରଣ କରାଯିବ। ମାର୍ଚ୍ଚ ୬ତାରିଖରୁ ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କୁ ଜମି ଚିହ୍ନଟ କରି ଆବଣ୍ଟନ କରାଯିବା ସହ ରାସ୍ତା ବି ଚିହ୍ନଟ କରାଯିବ। ଜମି ଚିହ୍ନଟ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବାବେଳେ ରାସ୍ତା ନିର୍ମାଣ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ଦିଆଯିବ। ଏହି ସମସ୍ତ ପ୍ରକିୟା ଦେଢ଼ ମାସ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଜମି ଓ ରାସ୍ତା ଚିହ୍ନଟ ହେବା ପରେ ହିତାଧିକାରୀଙ୍କୁ ଜମି ଆବଣ୍ଟନ କରାଯିବ। ଏହାପରେ ସେମାନେ ଏଠାରେ କୌଣସି ପ୍ରକଳ୍ପ ବା ଗୃହ ନିର୍ମାଣ କରିବାକୁ ଚାହିଁଲେ ବିଡିଏ/ବିଏମ୍‌ସିରୁ ଅନୁମତି ଆଣି ନିର୍ମାଣ କରିପାରିବେ।

ପ୍ରଥମ ପର୍ଯ୍ୟାୟରେ ବିଡିଏ ପକ୍ଷରୁ ଏକ ଆଲଟମେଣ୍ଟ ଲେଟର୍‌ ପ୍ରଦାନ କରାଯିବ। ଏହାର ନକଲ ବିଡିଏ ପାଖରେ ରହିବ। ଏହାପରେ ବାକି ୧୭୨.୯୩ ଏକର ଜମିରେ ରାସ୍ତା ଓ ଜମି ଚିହ୍ନଟ କରାଯିବା ସହ ପାଇଲଟ୍‌ ପ୍ରକଳ୍ପ ଭଳି ସମସ୍ତ କାର୍ଯ୍ୟ ହେବ। ଏହାପରେ ଟିପି ସ୍କିମ୍‌-୧ର ଚୂଡ଼ାନ୍ତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯିବ। ଏହି ପ୍ରକଳ୍ପରେ ହେବାକୁ ଥିବା ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ପାର୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜମି ବିକ୍ରି କରାଯିବ କି ନିଲାମି ଦିଆଯିବ ତାହା ନିଷ୍ପତ୍ତି ହେବ। ଚୂଡ଼ାନ୍ତ ଜମି ଆବଣ୍ଟନ ସରିଲେ ଏବଂ ସମସ୍ତ ପ୍ରକି୍ରୟା ଶେଷ ହେଲେ ହିତାଧିକାରୀଙ୍କୁ ମିଳିଥିବା ଜମିର ପଟ୍ଟା ପ୍ରଦାନ କରିବା ପାଇଁ ବିଡିଏ ସମସ୍ତ ଡକୁମେଣ୍ଟ ରାଜସ୍ୱ ବିଭାଗକୁ ଦେବ। ନୂତନ ଆବଣ୍ଟନକୁ ଦେଖି ରାଜସ୍ୱ ବିଭାଗ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଇକରାପୁର ଟିପି ସ୍କିମ୍‌ କାର୍ଯ୍ୟକାରୀ ହେବା ପରେ ଟିପି ସ୍କିମ୍‌-୧ରେ ଥିବା ବାକି ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତିକରଣ ହେବ। ଏଠାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ ଓ ରାସ୍ତା ଚିହ୍ନଟ କରାଯିବ।

ଟିପି ସ୍କିମ୍‌-୧ ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୬୦.୦୫% ଅଞ୍ଚଳ ଆବାସିକ ଅଞ୍ଚଳ ରହିବ। ୨୭.୮୭% ଅଞ୍ଚଳ ରାସ୍ତା, ୩.୦୫% ଅଞ୍ଚଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବିକ୍ରି ହେବ, ୨.୮୭% ଜମି ପବ୍ଲିକ ଓ ସେମିପବ୍ଲିକ, ଆବାସିକ ଗୃହ ପାଇଁ ୨.୯୧% ଜମି ବିକ୍ରି ହେବ, ମୁକ୍ତ ବ୍ୟବସାୟିକ ବ୍ୟବହାର ପାଇଁ ୦.୧୭%, ଖୋଲାସ୍ଥାନ ଓ ପାର୍କ ପାଇଁ ୧.୪୧%, ଖୋଲା ସ୍ଥାନ ୦.୩୫%, ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇବା ପାଇଁ ୦.୮୪%, ସିଡିପିରେ ଥିବା ନାଳ ପାଇଁ ୦.୪୯% ଜମି ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ହୋଇଛି।

ତମାଣ୍ଡୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବାବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବାବେଳେ ଏଠାରେ ୧୦୬୦ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବାବେଳେ ଏବେ ସୁଦ୍ଧା ଏଠାରେ ୬୯୭ମାଲିକଙ୍କୁ ଚିହ୍ନଟ କରାଯାଇଛି। ଟିପି ସ୍କିମ୍‌ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍‌୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ୨୦୧୮ ଶେଷ ସୁଦ୍ଧା ୪ଟି ଯାକ ଟିପି ସ୍କିମ୍‌ ଚୂଡ଼ାନ୍ତ ରୂପ ପାଇବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର