ଭୁବନେଶ୍ୱର: ବେଆଇନ ନିର୍ମାଣକୁ ନେଇ ବିଡିଏ ପାଖରେ ୭ଶହରୁ ଊର୍ଦ୍ଧ୍ବ ମାମଲା ବିଚାରାଧୀନ ରହିଛି। ବିଧାନସଭାରେ ଏଭଳି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ତନାଘନା ହୋଇଛି। ସହର ଉପକଣ୍ଠରେ ବେଆଇନ ଆପାର୍ଟମେଣ୍ଟ ଯୋଗୁ ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ବେଆଇନ ଆପାର୍ଟମେଣ୍ଟ ଯୋଗୁ ସହର ଭାସିବା ଓ ଉଭୟ ବିଡିଏ ଓ ବିଏମ୍ସି ଏଥିପାଇଁ ଦାୟୀ ନୁହନ୍ତି ବରଂ ପଞ୍ଚାୟତରୁ ସେମାନେ ସ୍ବୀକୃତି ନେଇ ନିର୍ମାଣ କରିଛନ୍ତି ବୋଲି ମେୟର ସୁଲୋଚନା ଦାସ କହିଦେବା ପରେ ଏହି ପ୍ରସଙ୍ଗ ଆହୁରି ଜଟିଳ ହୋଇପଡ଼ିଛି। ଜଳବନ୍ଦି ସମସ୍ୟା ପାଇଁ ସାରା ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ବିଏମ୍ସି ଏଭଳି ଖସି ଯିବାକୁ କେହି ହଜମ କରିପାରୁ ନାହାନ୍ତି। ବେଆଇନ ନିର୍ମାଣ ହେବା ବେଳେ କେହି କାହିଁକି ଜଗି ନାହାନ୍ତି? ବିନା ପ୍ଲାନ୍ ଓ ପ୍ଲାନ୍ ଉଲ୍ଲଂଘନ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ବଡ଼କଥା ହେଉଛି ୨୦୧୫ ମସିହା ଏପ୍ରିଲ୍ ୨୮ରେ ନିର୍ମାଣ ପ୍ଲାନ୍ ଦେବା ଅଧିକାର ବିଏମ୍ସିକୁ ଆସିଥିଲେ ମଧ୍ୟ ବିଡିଏ ୨୦୨୩ ପର୍ଯ୍ୟନ୍ତ ଏହି କ୍ଷମତାର ବ୍ୟବହାର କରିଛି। ଏହି ସମୟରେ ହୋଇଥିବା କେଳେଙ୍କାରୀ ପାଇଁ ଦାୟୀ କିଏ? ଏଭଳି ଗଦା ଗଦା ପ୍ରଶ୍ନ ଓ ଅଭିଯୋଗ ଏବେ ବିଏମ୍ସି ଓ ବିଡିଏକୁ ବିବାଦୀୟ କରିଛି ଏବଂ ସରପଞ୍ଚଙ୍କ ଉପରେ ଦୋଷ ଠେଲିଦେବାକୁ ବସିଥିବା ବିଏମ୍ସିର ଅକଲ ଗୁଡ଼ୁମ୍ ହୋଇଛି।
୨୦୧୦ ମସିହା ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ମୁତାବକ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ଥିବା କୋଠା ନିର୍ମାଣ ପ୍ଲାନ୍, ଲେଆଉଟ୍ ସ୍ବୀକୃତ ଓ ବେଆଇନ ନିର୍ମାଣ ଭାଙ୍ଗିବା କ୍ଷମତା ପୌରସଂସ୍ଥାଙ୍କୁ ହସ୍ତାନ୍ତର ହେଲା। ୪ ବର୍ଷ ଏହା ଉପରେ କେହି ତର୍ଜମା କଲେ ନାହିଁ। ୨୦୧୪ ମସିହାରେ ବିଏମ୍ସି ଏହି ଗେଜେଟ୍ ବିଜ୍ଞପ୍ତିକୁ ମନେ ପକାଇ ଡିସେମ୍ବର ୧୩ ତାରିଖରେ ‘ଆମକୁ କ୍ଷମତା ଦିଅ’ ବୋଲି ବିଡିଏକୁ ଚିଠି ଲେଖିଲା। ବିଡିଏ ଘଟଣାର ୪ ମାସ ପରେ ୨୦୧୫ ଏପ୍ରିଲ୍ ୨୮ ତାରିଖରେ ବିଏମ୍ସି ଚିଠିକୁ ସ୍ବୀକୃତି ଦେଲା ଓ ଏହି କ୍ଷମତା ବିଏମ୍ସିକୁ ଦିଆଗଲା ବୋଲି ଚିଠିର ଉତ୍ତର ଦେଲା। କିନ୍ତୁ କେବଳ ନୂଆ ଆବେଦନ ହେଲେ ବିଏମ୍ସି କରିବ, ପୁରୁଣା ସବୁକୁ ବିଡିଏ ଡିଲ୍ କରିବ ବୋଲି ଚୁକ୍ତି ରହିଲା। କିନ୍ତୁ ଆଇନ ଅନୂଯାୟୀ ସମସ୍ତ ଫାଇଲ୍ ବିଏମ୍ସିକୁ ହସ୍ତାନ୍ତର ହେବା କଥା, ଯାହା ବିଡିଏ କଲା ନାହିଁ। ବିଏମ୍ସି ଅଞ୍ଚଳରେ ହଜାର ହଜାର ବିଲ୍ଡ ପ୍ଲାନ୍ ଅନୁମୋଦନ କଲା। ଏହା ଉପରେ ବିଏମ୍ସିକୁ ୨୦୧୫ ସେପ୍ଟେମ୍ବର ମାସରେ ଚିଠି ଲେଖି ସ୍ପଷ୍ଟ ମଧ୍ୟ କଲା। କୌତୁହଳପ୍ରଦ ହେଲା ବିଏମ୍ସି ଏ ବାବଦରେ ମୁହଁ ଖୋଲିଲା ନାହିଁ।
ଏଭଳି କାରବାର ଚାଲିଥିବା ବେଳେ ୨୦୨୨ ମସିହାରେ ବିଡିଏ ପ୍ରସ୍ତୁତ ‘ଦୟା ଏନ୍କ୍ଲେଭ୍’କୁ ରେରା(ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ) ଝଟ୍କା ଲାଗିଥିଲା। ଏହି ପ୍ରକଳ୍ପ ନିର୍ମାଣରେ ବିଡିଏ ‘ରେରା’ଙ୍କ ନିୟମ ପାଳନ କରିନାହିଁ ବୋଲି ବିମଳେନ୍ଦୁ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଏହି ପ୍ରକଳ୍ପ ଉପରେ ରହିତାଦେଶ ଜାରି ହୋଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ବିଡିଏ ଏହାକୁ ନିୟମିତ କରି ବିକ୍ରି ଯୋଗ୍ୟ କରିପାରିଥିଲା, ତଥାପି ଦୀର୍ଘ ୭ ବର୍ଷ ଧରି ତୁଲାଉଥିବା ଦାୟିତ୍ବ(ବିଲ୍ଡିଂ ପ୍ଲାନ୍ ଦେବା)କୁ ତୁରନ୍ତ ବିଏମ୍ସିକୁ ଫେରାଇବାକୁ ଚିଠି ଲେଖିଥିଲା। ୮ ବର୍ଷ ପରେ ଅର୍ଥାତ୍ ୨୦୨୩ ମସିହାରେ ବିଏମ୍ସିକୁ ସମସ୍ତ ଫାଇଲ୍ ସ୍ଥାନାନ୍ତର ହେଲା। ଏଥିରୁ ସ୍ପଷ୍ଟ ହେଲା ଯେ, ବିଡିଏ ତ୍ରୁଟି କରିଥିଲା। ନିଜ ପ୍ରକଳ୍ପରେ ଯଦି ବିଡିଏ ତ୍ରୁଟି ରଖିଥିଲା ତେବେ ୮ ବର୍ଷ ଧରି ଯେଉଁ ସବୁ ପ୍ରକଳ୍ପକୁ ବିଡିଏ ପ୍ଲାନ୍ ମଞ୍ଜୁରି ଦେଇଛି ସେଥିରେ ଭୁଲ୍ ନଥିଲା ତ? ବିଏମ୍ସି ମେୟରଙ୍କ ଅଭିଯୋଗ ଯଦି ବିଚାରକୁ ନିଆଯାଏ ତେବେ ପଞ୍ଚାୟତ ଅଞ୍ଚଳରେ ଯଦି ବେଆଇନ ହୋଇଛି ତେବେ ବିଏମ୍ସି ଅଞ୍ଚଳରେ ବିଡିଏ ଦେଇଥିବା ବିଲ୍ଡିଂ ପ୍ଲାନ୍ରେ ସମପରିମାଣର ବେଆଇନ ଆଶଙ୍କା ରହିଛି। ଏଣୁ ଏ ସବୁର ପୁନଃ ସମୀକ୍ଷା ଜରୁରୀ ହୋଇପଡ଼ିଥିବା କହିଛନ୍ତି ବିମଳେନ୍ଦୁ ପ୍ରଧାନ। ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ୮ ବର୍ଷ ମଧ୍ୟରେ ବିଏମ୍ସି ପ୍ଲାନ୍ ନଦେଇ ଯେଉଁ ରାଜସ୍ବହାନୀ କରିଛି ତାହା ପାଇଁ ଦାୟୀ କିଏ? ୨୦୧୫ ପରେ ବେଆଇନ ଆପାର୍ଟମେଣ୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍ସି?
ତେବେ ବିଡିଏ ମତରେ, ବିଡିଏ ଦେଇଥିବା ସବୁ ପ୍ଲାନ୍ ଆଇନ ସମ୍ମତ। କୌଣସି ପରିସ୍ଥିତିରେ ବେଆଇନ କାରବାର ହୋଇ ନାହିଁ। ବରଂ ଶହ ଶହ ପ୍ଲାନ୍ ଆବେଦନ ବୈଧ ନଥିବାରୁ ନାକଚ ହୋଇଛି।