ଭୁବନେଶ୍ୱର : ଜନପଥରେ ପ୍ରାୟ ୫୦୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ମଲ୍, ରେସ୍ତୋରାଁ, ସୋ’ରୁମ୍ ଥିବାବେଳେ କେହି ବି ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ମାନିନାହାନ୍ତି। ପ୍ରାୟ ସମସ୍ତେ କୋଠା ନିର୍ମାଣ ବେଳେ ବିଡିଏରୁ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲେ ତାହାକୁ ବି ମାନିବାକୁ ନାରାଜ। ନିୟମ ଅନୁଯାୟୀ ସମସ୍ତ ସପିଂ ମଲ୍ ମୋଟ୍ ନିର୍ମାଣର ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବାକୁ ଥିବାବେଳେ ଅନ୍ୟମାନେ ୪୦% ଜାଗା ଛାଡ଼ିବେ। କିନ୍ତୁ ଜନପଥରେ ଥିବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିୟମକୁ ବି ଗ୍ରହଣ କରୁନାହାନ୍ତି।
ସବୁଠୁ ବିଡ଼ମ୍ବନାର ବିଷୟ ବିଡିଏର ବେଆଇନ ନିର୍ମାଣକୁ ରେଗୁଲାରାଇଜ୍ କରିବାକୁ ଆସିଥିବା ନିୟମ (ସର୍ବକ୍ଷମା) ଅନୁଯାୟୀ ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ବିଡିଏରେ ଜରିମାନା ଦେଇ ସେମାନଙ୍କ ବେଆଇନ ନିର୍ମାଣକୁ ରେଗୁଲାରାଇଜ୍ କରିବା ଦରକାର। ହେଲେ କେହି ଆବେଦନ କରିନାହାନ୍ତିି। ବରଂ ସାଧାରଣ ଲୋକଙ୍କୁ ରାସ୍ତା ଉପରେ ପାର୍କିଂ କରାଇ ବିଏମ୍ସିକୁ ପାର୍କିଂ ବାବଦକୁ ଟଙ୍କା ଆଦାୟ କରିବାକୁ ଛାଡ଼ି ଦେଇଛନ୍ତି। ହିସାବ ଅନୁଯାୟୀ, କେହି ବି ନିୟମ ମାନିନଥିବାରୁ ବିଡିଏ ଏହି ପ୍ରତିଷ୍ଠାନଗୁଡ଼ିକରୁ ଜରିମାନା ଆକାରରେ ୧୨୫କୋଟି ଟଙ୍କା ରାଜସ୍ବ ପାଇପାରିବ। ତାହା ବି ବିଡିଏ ଆଦାୟ କରୁନି। େଯଉଁଠୁ ଜରିମାନା ଆଦାୟ କରିବା କଥା ନକରି ବହୁ କଷ୍ଟରେ ଘର କରୁଥିବା ସାଧାରଣ ଲୋକଙ୍କ ଠାରୁ କମନ୍ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ ଫଣ୍ଡ (ସିଆଇଡିଏଫ୍) ବାବଦକୁ ହଜାର ହଜାର ଟଙ୍କା ନେଉଛି।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥରେ ୫୦୦ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ (ଛୋଟ ଦୋକାନକୁ ବାଦ୍ ଦେଇ) ଥିବା ବେଳେ କାହାର ବି ୫ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ସୋ’ରୁମ୍ ନାହିଁ। ଏପରିକି ବହୁ ସୋରୁମ୍ ୧୦ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ୨୦ଟି ସୋରୁମ୍, ହୋଟେଲ, ମଲ୍ ପ୍ରାୟ ୫୦ହଜାର ବର୍ଗଫୁଟ ଉପରେ ନିର୍ମାଣ ହୋଇଛି। ଏମାନେ ମୋଟ୍ ନିର୍ମାଣର ୪୦ରୁ ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବା ଦରକାର। କିନ୍ତୁ କେହି ଛାଡ଼ି ନାହାନ୍ତି। ଯଦି ଜନପଥରେ ପାର୍କିଂ ଅଞ୍ଚଳ କେତେ ଛଡ଼ାଯିବା ଦରକାର ହିସାବ କରାଯାଏ ତେବେ ଏହା ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ ହେବ। ସର୍ବକ୍ଷମା ଯୋଜନାର ହିସାବ ଅନୁଯାୟୀ ପାର୍କିଂ ଅଞ୍ଚଳ ଛାଡ଼ି ନଥିବା ସଂସ୍ଥା ଜରିମାନା ଦେଲେ ବର୍ଗଫୁଟ ପିଛା ହଜାରେ ଟଙ୍କା ହିସାବରେ ଦେଲେ ବିଡିଏକୁ ୧୨୫ କୋଟି ଟଙ୍କା ମିଳିବ। ଏହି ଟଙ୍କା ବିଡିଏ ପାଇଲେ ଲୋକଙ୍କୁ ଜନପଥ ନିକଟରେ ହିଁ ପାର୍କିଂ ସୁବିଧା ଯୋଗାଇପାରନ୍ତା। କିନ୍ତୁ ବ୍ୟବସାୟୀଙ୍କ ପ୍ରୀତିରେ ବିଡିଏ ଚୁପ୍ ବସିଛି। ଆଉ ବିଏମ୍ସି ସ୍ମାର୍ଟ ଜନପଥରେ ପାର୍କିଂ ଅଞ୍ଚଳ କରି ଏହାକୁ ଅଫ୍ଷ୍ଟ୍ରିଟ୍ ପାର୍କିଂ ଦେଖାଉଛି। ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର େଚୗଧରୀ କହିଛନ୍ତି ଯେ, ଜନପଥର ବିଭିନ୍ନ ସପିଂ ମଲ୍ର ବିଲଡିଂ ପ୍ଲାନ୍ ଯାଞ୍ଚ କରିବା ପାଇଁ ଆମେ ଯୋଜନା କରିଥିଲୁ। କିନ୍ତୁ କରୋନା ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିପାରିଲୁନି। ଖୁବ୍ ଶୀଘ୍ର ଏନେଇ କିଛି ପଦକ୍ଷେପ ନେବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/bda.jpg)