ଭୁବନେଶ୍ବର : ବାଣିଜ୍ୟିକ ଓ ଆବାସିକ ଜମିର ସେଲ୍ଡିଡ୍ ଏବେ ଅନ୍ଲାଇନ୍ରେ କରିବ ବିଡିଏ(ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ)। ସେଲ୍ଡିଡ୍ ସହ ଆବଣ୍ଟନ ପରର ସମସ୍ତ ପ୍ରକ୍ରିୟାକୁ ଅନ୍ଲାଇନ୍ରେ କରିବାକୁ ବିଡିଏ ଅନ୍ଲାଇନ୍ ଆପ୍ଲିକେସନ ତିଆରି କରିଛି। ପୂର୍ବରୁ ସେଲ୍ଡିଡ୍ ଅଫ୍ ଲାଇନ୍ରେ ହେଉଥିଲା। ଏବେ ଏହି ସବୁ ପ୍ରକ୍ରିୟା ସହ ହିତାଧିକାରୀର ମୃତ୍ୟୁ ପରେ କିମ୍ବା ଅନ୍ୟ କୌଣସି କାରଣରୁ ମାଲିକାନା ପରିବର୍ତ୍ତନ, ବ୍ୟାଙ୍କ୍ ଋଣ ପାଇଁ ଏନ୍ଓସି ହାସଲ, ଦାଖଲ-ଖାରଜ ମଧ୍ୟ ଅନ୍ଲାଇନ୍ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ।
ନୂଆ ବ୍ୟବସ୍ଥା ମୁତାବକ, ଆବେଦନକାରୀ ବିଡିଏ ୱେବ୍ସାଇଟ୍(www.bda.gov.in)କୁ ଯାଇ ସେଠାରେ ଥିବା ସ୍ବତନ୍ତ୍ର ଆପ୍ଲିକେସନ ‘ସମ୍ପତ୍ତି ଆବଣ୍ଟନ ପରିଚାଳନା ବ୍ୟବସ୍ଥା’(ପିଏଏମ୍ଏସ୍)ରେ ନିଜକୁ ପଞ୍ଜୀକୃତ କରି ନିଜର ଏକ ସ୍ବତନ୍ତ୍ର ଆକାଉଣ୍ଟ ନମ୍ବର(ୟୁଏଏନ୍) ହାସଲ କରିବ। ଆବେଦନର ସ୍ଥିତି ଜାଣିବା ପାଇଁ ବା ଆଗକୁ ସମସ୍ତ କାରବାର ପାଇଁ ଏହି ୟୁଏଏନ୍କୁ ଆବେଦନକାରୀ ବ୍ୟବହାର କରିବ। ୟୁଏଏନ୍ ଓ ପାସ୍ୱାର୍ଡ ବ୍ୟବହାର କରି ଆବେଦନକାରୀ ବା ହିତାଧିକାରୀ ସମସ୍ତ ଦେୟ ମଧ୍ୟ ଅନ୍ଲାଇନ୍ରେ ଦାଖଲ କରିବ। ତା’ ସହ ସେଲ୍ଡିଡ୍ ପାଇଁ ଆବଶ୍ୟକ କାଗଜପତ୍ର ଯଥା; ଲିଜ୍ ଡିଡ୍ ଫର୍ମ, ଅଣ-ଜୁଡିସିଆଲ୍ ଷ୍ଟାମ୍ପ ପେପର, ଦାଖଲ-ଖାରଜ ଫର୍ମ, ସତ୍ୟପାଠ ବଣ୍ଡ, ବ୍ୟାଙ୍କ ଏନ୍ଓସି ପ୍ରଭୃତି ଅନ୍ଲାଇନ୍ରେ ହିଁ ଅପ୍ଲୋଡ୍ ହେବ।
ଏହି ନୂଆ ବ୍ୟବସ୍ଥାରେ ବିଭିନ୍ନ ଶୁଳ୍କ ଓ ଦେୟ ମଧ୍ୟ ଧାର୍ଯ୍ୟ ହୋଇଛି। ଇଡବ୍ଲୁଏସ୍ ଓ ଏଲ୍ଆଇଜି ବର୍ଗର ଘର ପାଇଁ ପ୍ରୋସେସିଂ ଫି ଯଥାକ୍ରମେ ୮ ହଜାର ଓ ୧୨ ହଜାର ଟଙ୍କା ରହିଛି। ଏମ୍ଆଇଜି ଓ ଏଚ୍ଆଇଜି ବର୍ଗ ପାଇଁ ଯଥାକ୍ରମେ ୩୦ ହଜାର ଓ ୬୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ବାଣିଜ୍ୟିକ ବର୍ଗରେ ୩୫ ହଜାର ଟଙ୍କା ମୂଲ୍ୟର ଘର ପାଇଁ ଏହି ପ୍ରୋସେସିଂ ଫି ୧୫ ହଜାର ଟଙ୍କା ରହିଥିବା ବେଳେ ୩୫ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ମୂଲ୍ୟର ଘର ପାଇଁ ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ୫୦ ହଜାରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ପାଇଁ ଏହି ଦେୟ ୪୦ ହଜାର ରହିଥିବା ବେଳେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଘର ପାଇଁ ୬୦ ହଜାର ପ୍ରୋସେସିଂ ଫି ଧାର୍ଯ୍ୟ ହୋଇଛି। ଅନ୍ଲାଇନ୍ରେ ଆବେଦନ ଆସିବା ପରେ ଯାଞ୍ଚ କରାଯାଇ ଲିଜ୍ଡିଡ୍ ପ୍ରଦାନ କରାଯିବ। ଆବେଦନକାରୀ ଅନ୍ଲାଇନ୍ରେ ଏହି ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ପାଇପାରିବେ। ତେବେ ବିବାଦୀୟ ଜମି ଅନ୍ଲାଇନ୍ରେ ବ୍ୟବସ୍ଥାରେ ଗ୍ରହଣୀୟ ହେବ ନାହିଁ ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।