ଭୁବନେଶ୍ୱର: ବିଡିଏର କଳେବର ବଢ଼ିବ। ଏଥିରେ ଆଉ ୧୪୩ ରାଜସ୍ବ ଗ୍ରାମ ଯୋଡ଼ାହେବ। ପୂର୍ବରୁ ବିଡିଏ ଅଧୀନରେ ୫୬୯ ରାଜସ୍ବ ଗ୍ରାମ ଥିଲା। ଏବେ ଏହି ୧୪୩ ଗାଁ ମିଶିବା ପରେ ଏହି ସଂଖ୍ୟା ୭୧୨ ହେବ। ବିଡିଏ ଅଧ୍ୟକ୍ଷ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବିଡିଏର ୧୫୦ତମ କର୍ତ୍ତୃପକ୍ଷ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ସ୍ବୀକୃତି ମିଳିବା ପରେ ଏହାର ପରିସୀମା ଧାର୍ଯ୍ୟ ହେବ।
ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧,୫୩୬.୦୮ କୋଟିର ବଜେଟ୍କୁ ଅନୁମୋଦନ କରାଯାଇଛି। ସହରର ସମ୍ପ୍ରସାରଣ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜସ୍ୱ ବୃଦ୍ଧି ପାଇଁ ଜମି ମୁଦ୍ରୀକରଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏହି ମର୍ମରେ ଏକାଧିକ ଜମି ଖଣ୍ଡକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି। ଗୃହନିର୍ମାଣ ଓ ବାଣିଜ୍ୟିକ ବିକାଶ ଯୋଜନାରେ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧାର ଜଗସାରା ଓ ସାନପଲ୍ଲାରେ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପଟିଆରେ ବାଣିଜ୍ୟିକ ସ୍ଥାନର ବିକାଶ କରାଯିବ।
ଯୋଡ଼ାହେବ ୧୪୩ ରାଜସ୍ୱ ଗ୍ରାମ
୧,୫୩୬.୦୮ କୋଟି ଟଙ୍କାର ବଜେଟ୍କୁ ମୋହର
କର୍ତ୍ତୃପକ୍ଷ ମାଷ୍ଟରକ୍ୟାଣ୍ଟିନ୍ରେ ଭୁବନେଶ୍ୱର ଟାଉନ୍ ସେଣ୍ଟର (ବିଟିସି) ଓ ବିଡିଏ ସିଟି ସେଣ୍ଟର ବିକାଶକୁ ମଧ୍ୟ ଅନୁମୋଦନ ମିଳିଛି। ସହର ମଧ୍ୟରେ ୨୪ଟି ( ସମନ୍ୱିତ ଉନ୍ନୟନ ଯୋଜନା) ସିଡିପି ରାସ୍ତା ବିକାଶ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଯାହାର ପ୍ରସ୍ତାବ କର୍ତ୍ତୃପକ୍ଷ ବୈଠକରେ ଉପସ୍ଥାପନା ହୋଇଥିଲା। ଜୟଦେବ ବିହାରରୁ ଭାୟା ରଘୁନାଥପୁର ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା, ନୂଆ ଭୁବନେଶ୍ୱର ରେଳ ଷ୍ଟେସନକୁ ଯିବା ଆପ୍ରୋଚ ରୋଡ଼, ଟିପି ସ୍କିମ-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କଟେନି ରାସ୍ତା, ନ୍ୟୁ-ସିଟି ପାଇଁ ଚିହ୍ନଟ ହୋଇଥିବା ରାସ୍ତା ଏବଂ ଚନ୍ଦକା-ଖଣ୍ଡଗିରି ରାସ୍ତାରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତା ରହିଛି।
ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀ ମହାନ୍ତି, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସାଶନ ସଚିବ ଉଷା ପାଢ଼ୀ, ବିଡିଏ ଉପାଧ୍ୟକ୍ଷ ଡା .ଏନ୍ ତିରୁମାଲା ନାୟକ, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୯୮୩ରେ ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ଆରମ୍ଭ ହୋଇଥିବା ବିଡିଏର କଳେବର ୨୦୦୨, ୨୦୦୩ ଓ ୨୦୧୧ରେ ବୃଦ୍ଧି ପାଇଥିଲା। ସେବେଠାରୁ ଭିତ୍ତିଭୂମି ବିକାଶରେ ବିଡିଏ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/04/Hu6HetLPNgcyPA52ozcw.jpg)