ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଜେଡି ନେତା ତଥା ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କୌଣସି ମୁହୂର୍ତ୍ତରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ଥିବା ବେଳେ ରାଜ୍ୟ ସରକାର ଶ୍ରୀ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ କରିବା ରାଜଧାନୀ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନନ୍ତଙ୍କ ଦୁଇ ପାଳିର ମେୟର କାର୍ଯ୍ୟକାଳ ଶେଷ ହେବା ପରେ ସେ ବିଧାୟକ ହେବାକୁ ଆଶା ବାନ୍ଧିଥିଲେ। ଏପରିକି ଏନେଇ ସେ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ଆଜିର ନିଯୁକ୍ତି ଅନନ୍ତଙ୍କ ସମର୍ଥକ ମହଲରେ ନିରାଶା ଖେଳାଇ ଦେଇଛି। ବିଡିଏର ଅଧ୍ୟକ୍ଷ ଭାବେ ସାଧାରଣତଃ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ (କ୍ୟାବିନେଟ୍ ପାହ୍ୟା ଥିଲେ) ନଚେତ୍ ନଗର ଉନ୍ନୟନ ବିଭାଗ ସଚିବ ନିଯୁକ୍ତି ପାଆନ୍ତି। ବିଡିଏ ଅଧ୍ୟକ୍ଷ କିଏ ହୁଅନ୍ତି ସେ ନେଇ କେବେ ଚର୍ଚ୍ଚା ହୁଏନି। କାରଣ ଉପରୋକ୍ତ ଦୁଇଟି ପଦବି ବ୍ୟତୀତ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ପଦବିର ବା ରାଜନୈତିକ ଲୋକ ବିଡିଏ ଅଧ୍ୟକ୍ଷ ହୋଇନଥିଲେ। ଅନନ୍ତ ନାରାୟଣ ଜେନା ପ୍ରଥମ ରାଜନୈତିକ ବ୍ୟକ୍ତି ଭାବେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନ ଥାଇ ବି ଏହି ନିଯୁକ୍ତି ପାଇଛନ୍ତି।
ଭୁବନେଶ୍ବର ରାଜନୀତିରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତି ଥିବା ଅନନ୍ତଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ହଠାତ୍ ବିଡିଏ ଅଧ୍ୟକ୍ଷ ଭଳି ଏକ ଗୁରୁତ୍ବହୀନ ପଦବିରେ ନିଯୁକ୍ତି ଦେବା ତାଙ୍କ ରାଜନୈତିକ କ୍ୟାରିଅରରେ ଏକ ଚେକ୍ ବୋଲି କୁହାଯାଉଛି। କାରଣ ବିଡିଏ ଅଧ୍ୟକ୍ଷ କେବଳ ବିଡିଏର ଅଥରିଟି ବୈଠକରେ ଅଧ୍ୟକ୍ଷତା କରନ୍ତି। ଆଉ କୌଣସି କ୍ଷେତ୍ରରେ ତାଙ୍କର ହସ୍ତକ୍ଷେପ ରୁହେନି। ଏହି ଅଥରିଟି ବୈଠକକୁ ବିଡିଏର ନୂଆ ପ୍ରକଳ୍ପ ବା ଯୋଜନା, ଆଇନ, ନିୟମ, ପ୍ଲାନିଂ ଓ ଇଞ୍ଜିନିୟରିଂ ବିଭାଗ କ୍ଷମତା ଠାରୁ ଅଧିକ କିଛି ନିଷ୍ପତ୍ତି ନିଆଯାଉଥିବା ଫାଇଲ୍ଗୁଡ଼ିକ ଯାଇଥାଏ। ଏପରିକି ବହୁ ପ୍ରକଳ୍ପରେ କେବଳ ମୋହର ବାଜିବା ପାଇଁ ଏହି ବୈଠକକୁ ଅଣାଯାଇଥାଏ। ଅଥରିଟି ବୈଠକରେ ବିଡିଏର ସମସ୍ତ ବିଭାଗର ଅଧିକାରୀମାନେ ମିଳିତ ଭାବେ ବସି ଆଲୋଚନା କରି ନିଷ୍ପତ୍ତି ନେଉଥିବାରୁ ଅଧ୍ୟକ୍ଷଙ୍କର ବିଶେଷ ଗୁରୁତ୍ବ ନଥାଏ। ତେଣୁ ବିଶେଷ ଗୁରୁତ୍ବ ବହନ କରୁଥିବା ଏକ ସଂସ୍ଥାର ଅଧ୍ୟକ୍ଷ ଭାବେ ଅନନ୍ତଙ୍କୁ କାହିଁକି ନିଯୁକ୍ତି ଦିଆଗଲା ସେନେଇ ଏବେ ସବୁଠି ଚର୍ଚ୍ଚା।ରାଜଧାନୀରେ ବିଜେଡିର କୌଣସି ସମାେବଶ ହେଉ କି ହଠାତ୍ ଆୟୋଜନ ହେଉଥିବା କାର୍ଯ୍ୟକ୍ରମ ସବୁଥିରେ ଆଗରେ ଥା’ନ୍ତି ଅନନ୍ତ। ରାଜଧାନୀରେ ବିଜେଡିର କୌଣସି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସେ ମୁଖ୍ୟ ଭୂମିକା ନିଭାଇଥାନ୍ତି। ବିଏମ୍ସିର ମେୟର ହିସାବରେ ରାଜଧାନୀବାସୀଙ୍କ ସବୁଠୁ ପ୍ରିୟ ନେତା ପାଲଟିଥିବା ଅନନ୍ତଙ୍କର ବି କର୍ପୋରେଟରଙ୍କ ଉପରେ ବେଶ୍ ନିୟନ୍ତ୍ରଣ ଥିଲା। ତେଣୁ ସେ ଭୁବନେଶ୍ବରରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ଏପରିକି ଭୁବନେଶ୍ବର ଉତ୍ତର କିମ୍ବା ଭୁବନେଶ୍ବର ମଧ୍ୟରୁ ଅନନ୍ତ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଦଳରେ ଅନନ୍ତଙ୍କ ଦବ୍ଦବା ଦେଖି ତାଙ୍କ ସମର୍ଥକ କିଛି ଛାତ୍ର ନେତା ମଧ୍ୟ ଭୁବନେଶ୍ବରରେ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଥିଲେ। ଏନେଇ ବି ଚାରିଆଡ଼େ ହୋର୍ଡିଂ ଓ ବ୍ୟାନର ଛାଇ ଦେଇଥିଲେ। କିନ୍ତୁ ଆଜିର ନିଯୁକ୍ତି ସବୁ ଓଲଟପାଲଟ କରିଦେଇଛି।
ଅନନ୍ତଙ୍କୁ ବିଜେଡି ଭୁବନେଶ୍ବରରେ ବିଧାୟକ ପ୍ରାର୍ଥୀ କରିବାକୁ ନଚାହିଁବା ପଛରେ ତିନିଟି ପ୍ରମୁଖ କାରଣ ରହିଛି ବୋଲି କୁହାଯାଉଛି। ପ୍ରଥମ ଋଷି ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ଅଭିଯୋଗ, ଦ୍ବିତୀୟରେ ବ୍ଲୁ ସିଡିରେ ଅନନ୍ତ ଥିବା ଅଭିଯୋଗ ଏବଂ ତୃତୀୟରେ ଗୋଲଡେନ୍ ବାବା ସହ ସଂପୃକ୍ତି ଏବଂ ମୋଟା ଅଙ୍କର ଚାନ୍ଦା ଆଣିବା ଅଭିଯୋଗ। ଉପରୋକ୍ତ ଦୁଇଟି ଅଭିଯୋଗରେ କମିସନରେଟ୍ ପୁଲିସ ଅନନ୍ତଙ୍କୁ କ୍ଲିନଚିଟ୍ ଦେଇଛି। ତୃତୀୟ ଅଭିଯୋଗ ଏବେ ବି ତଦନ୍ତ ପରିସର। ହେଲେ ବିରୋଧୀ ଏହାକୁ ପ୍ରସଙ୍ଗ କରିବାର ଆଶଙ୍କା ଥିବାରୁ ଦଳ କୌଣସି ରିସ୍କ ନ ନେବାକୁ ଚାହିଁ ଅନନ୍ତଙ୍କୁ ହଟାଇ ଦେଇଛି ବୋଲି କୁହାଯାଉଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ନିଜେ ଭୁବନେଶ୍ବର ମଧ୍ୟରୁ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଥିବାେବଳେ ତାଙ୍କ ସମର୍ଥକ ତଥା ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁଙ୍କୁ ଭୁବନେଶ୍ବର ଉତ୍ତରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିଲେ। ଏହାଦ୍ବାରା ଏହି ଦୁଇଟି ଆସନର ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ୍ କଟିପାରେ ବୋଲି କିଛି ମାସ ହେଲା ଆଲୋଚନା ହେଉଥିଲା। ତେଣୁ ଦୁଇ ବିଧାୟକ ମିଶିକି ଅନନ୍ତଙ୍କୁ ଟିକେଟ୍ ରେସ୍ରୁ ହଟାଇଦେଲେ ବୋଲି କୁହାଯାଉଛି। ତେବେ ଅନନ୍ତଙ୍କ ସମର୍ଥକମାନେ ଆଶା ଛାଡ଼ି ନାହାନ୍ତି। ସେମାନେ ଜୋର୍ ଦେଉଛନ୍ତି ଯେ, ଅନନ୍ତ ଜେନା ନିଶ୍ଚିତ ବିଧାୟକ ଟିକେଟ୍ ପାଇବେ। ଆସନ୍ତା ନିର୍ବାଚନରେ କିଏ କେଉଁଠୁ ଟିକେଟ୍ ପାଇବେ ତାହା ସ୍ଥିର ହୋଇନି। ଦଳ ବି କିଛି ଘୋଷଣା କରିନି। ତେଣୁ ଆମ ନେତାଙ୍କର ଟିକେଟ୍ କଟିଗଲା ବୋଲି ଏବେଠୁ କହିବା ଭୁଲ୍। ଅନନ୍ତଙ୍କର ଭୁବନେଶ୍ବରରେ ଲୋକପ୍ରିୟତା ତିନି ବିଧାୟକଙ୍କ ଠାରୁ ଅଧିକ। ସେ ଯେଉଁଠି ବି ପ୍ରାର୍ଥୀ ହେବେ ନିଶ୍ଚିତ ଜିତିବେ। ତେଣୁ ଦଳ ଅନନ୍ତଙ୍କୁ ବିଧାୟକ ଟିକେଟ୍ ଦେଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Untitled-19-5.jpg)