ଏମିତି ହେଉଛି ରକ୍ଷଣାବେକ୍ଷଣ, ପାର୍କରେ ଚରିଲେଣି ଗୋରୁ

ଭୁବନେଶ୍ବର: ପାର୍କରେ ଚରୁଛନ୍ତି ଗୋରୁ। ଲକ୍ଷାଧିକ ଟଙ୍କା ଖର୍ଚ କରାଯାଇ ଲୋକଙ୍କ ମନୋରଂଜନ ପାଇଁ ନିର୍ମାଣ ହୋଇଥିବା ପାର୍କକୁ ଏଭଳି ଢଙ୍ଗରେ ବୁଲା ଗୋରୁଙ୍କ ପାଇଁ ଛାଡ଼ି ଦିଆଯାଇଛି। ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲେ ହେଁ ବିଏମ୍‌ସି ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ନେଇ କୌଣସି ପଦକ୍ଷେପ ନିଆ ନ ଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭୁବନେଶ୍ବର ସ୍ମାର୍ଟସିଟି ଅଧୀନ ସହିଦନଗର ଅଞ୍ଚଳରେ ୨୦୧୮ ମସିହାରେ ୪ଟି ପାର୍କ ନିର୍ମାଣ କରାଯାଇଥିଲା। ଏଥିରେ ଶିଶୁଙ୍କ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ପାର୍କ ରହିଛି। ତେବେ ବିଡିଏ-ଓଏମ୍‌ସି ପାର୍କକୁ ସ୍ବତନ୍ତ୍ର ଭାବେ ଥିମ୍‌ ପାର୍କରେ ବିକଶିତ କରାଯାଇଛି। ଗେଟ୍ ଫିଟ୍ ବା ଫିଟ୍ ରହିବା ପାଇଁ ଫିଟ୍‌ନେସ୍ ଜୋନ୍‌ ରହିଛି। ତେବେ ‘ଫନି’ ବାତ୍ୟାରେ ପାର୍କ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପାର୍କର ପାଚେରି ଭାଙ୍ଗିଯିବା ସହିତ ପାର୍କ ପରିସରରେ ଲାଗିଥିବା ଅର୍ଣ୍ଣାମେଣ୍ଟାଲ ଲାଇଟ୍‌ ଓ ତାରକୁ ଦୁର୍ବୃତ୍ତମା‌ନେ ଚୋରି କରିନେଲେ। ଏହା ଭିତରେ ୭ମାସ ବିତି ଯାଇଥିଲେ ହେଁ ପାର୍କର ନବୀକରଣ ପାଇଁ ସ୍ମାର୍ଟ ସିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ପାର୍କ ପରିସରରେ ଅନାବନା ଗଛ ମାଡ଼ି ଯାଇଥିବା ବେଳେ ଗୋରୁ ଚରାବୁଲା କରୁଛନ୍ତି। ପାର୍କରେ ଲାଇଟ୍‌ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ଯୁବକମାନେ ଆଡ଼ା ଜମାଉଛନ୍ତି। ୪ଟି ପାର୍କ ପାଇଁ ସ୍ମାର୍ଟ ସିଟି ପକ୍ଷରୁ ୬ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇଛି। ୪ଜଣ ସୁରକ୍ଷାକର୍ମୀ ଶିଶୁ ପାର୍କ ପାଇଁ ୨ଟି ସିଫ୍‌ଟରେ କାର୍ଯ୍ୟ କରୁଥିବା ବେଳେ ବିଡିଏ-ଓଏମ୍‌ସି ପାର୍କ ପାଇଁ ୨ଜଣ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି। ପାର୍କର ନବୀକରଣ ପାଇଁ ବିଏମ୍‌ସି ଦୃଷ୍ଟି ଆକର୍ଷଣ କରାଯିବା ପରେ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ପାର୍କରେ ବୁଦା କାଟିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏହା କିଛିଦିନ ଚାଲିବା ପରେ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଫଳରେ ପାର୍କ ବଡ଼ ବଡ଼ ଗଛଲତାରେ ଭରି ଗଲାଣି। ନାମକୁ ମାତ୍ର ପାର୍କ ଖୋଲା ଯାଉଛି। ହେଲେ ଘଞ୍ଚ ଜଙ୍ଗଲ ପାଇଁ ଲୋକମାନେ ଏହା ଭିତରକୁ ଯିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି।

ପୂର୍ବତନ କର୍ପୋରେଟର ଶାଶ୍ବତୀ ମିଶ୍ରଙ୍କ କହିବାନୁଯାୟୀ, ଏ ସଂପର୍କରେ ବିଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ମାର୍ଟ ସିଟି ଅଧୀନରେ ପାର୍କର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ନ ଥିବାରୁ ବିଡିଏକୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ପାର୍କର ପାଚେରି ମରାମତି ସହିତ ସଫା କାର୍ଯ୍ୟ ଆରମ୍ଭ ହେବ ବୋଲି କମିସନର କହିଛନ୍ତି। ଏପରିକି ଗତ ସପ୍ତାହର ମଧ୍ୟ ଏ ସଂପର୍କରେ ଆଲୋଚନା ‌କରାଯାଇଥିବା ଶ୍ରୀମତୀ ମିଶ୍ର କହିଛନ୍ତି। ବିଡିଏର ଜଣେ ଅଧିକାରୀ କହିଛନ୍ତି, ସ୍ମାର୍ଟସିଟି ଅଧୀନରେ ଥିବା ପାର୍କର ରକ୍ଷଣାବେକ୍ଷଣ କାର୍ଯ୍ୟ ବିଡିଏ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଏଜେନ୍ସି ଚୟନ କରାଯିବ। ପାର୍କର ରକ୍ଷଣାବେକ୍ଷଣ ପାଇଁ କେତେ ଟଙ୍କା ଖର୍ଚ ହେବ, ତାହାର ନିଷ୍ପତ୍ତି ହେବା ପରେ ହିଁ କାର୍ଯ୍ୟ ଆଗେଇବ। ସହିଦନଗରରେ ଥିବା ପାର୍କ ପୂର୍ବରୁ ବିଡିଏ ଅଧୀନରେ ରହିଥିଲା, ତାହାକୁ ସ୍ମାର୍ଟ ସିଟି ପକ୍ଷରୁ ବିକଶିତ କରାଯାଇ ଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର