ଅହଙ୍କାରକୁ ପଛରେ ରଖି କର୍ମଯୋଗୀ ହୁଅ

୪୦ ବର୍ଷରେ ପାଦଦେଲା ସିୱାଇଏସ୍‌ଡି

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ସିୱାଇଏସ୍‌ଡି ତା’ର ୪୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଉତ୍ସବରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଉତ୍ସାହ ଦେବାପାଇଁ ବେଦାନ୍ତ ବିଶାରଦ ସ୍ବାମୀ ଶ୍ୟାମ ଚୈତନ୍ୟ ଜୀ ଯୋଗ ଦେଇଛନ୍ତି। ସ୍ବାମୀଜୀ ମିଥ୍ୟା ଅହଂକାରରୁ ଆତ୍ମ ଅନୁଭବ ଆଡ଼କୁ ଯାତ୍ରା ଶୀର୍ଷକରେ ଅଭିମତ ପ୍ରକାଶ କରିଥିଲେ। ସେ କର୍ମଯୋଗ ଏବଂ ସମାଜସେବା କଳାର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ସ୍ବାମୀଜୀ କହିଥିଲେ ଯେ ସମାଜସେବା କରିବା ବେଳେ ଅହଂକାରକୁ ପଛରେ ରଖି କର୍ମକୁ ପ୍ରଥମିକତା ଦିଆଯିବା କଥା।

ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ ୪୦ ବର୍ଷର ଯାତ୍ରା ପଥର ଅଭିଜ୍ଞତା ବାଣ୍ଟିଥିଲେ। ୮୦ ଦଶକରେ ଆରମ୍ଭ କରାଯାଇଥିବା ‘ମହିଳା ସଂଚୟ ସମିତି’ ଆଜି ଏକ ପୂର୍ଣାଙ୍ଗ ତଥା ବିକଶିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆନ୍ଦୋଳନ ରୂପରେ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ମଡେଲ ହିସାବରେ ବିବେଚନା କରାଯାଉଛି। ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ‘ଜଳ ବିଭାଜିକା ପ୍ରକଳ୍ପ’ ଆଜି ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହେବା ସହ କୃଷିକ୍ଷେତ୍ରରେ ବିପ୍ଳବ ଆଣି ପାରିଛି।

ସେହିପରି ୧୯୯୯ ମହାବତ୍ୟା ସମୟରେ ଆରମ୍ଭ କରାଯାଇଥିବା ‘ଗୋଷ୍ଠୀଭିତ୍ତିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତ କାର୍ଯ୍ୟକ୍ରମ’ ମଡେଲକୁ ଆଜି ବିଭିନ୍ନ ରାଜ୍ୟ ତଥା ଦେଶ ଅନୁସରଣ କରୁଛନ୍ତି ବୋଲି କହିଥିଲେ। ସହ ପ୍ରତିଷ୍ଠାତା ପ୍ରଫୁଲ କୁମାର ସାହୁ କହିଥିଲେ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରୁ ଯୁବଶକ୍ତିର ନେତୃତ୍ବ ବିକାଶ ଯାଏ କାର୍ଯ୍ୟକ୍ରମ ଆଡକୁ ଏହି ସଂଗଠନ ଯାତ୍ରା କରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ମୟୂରଭଞ୍ଜରୁ ଲୀଳାବତୀ ଲାୟାଙ୍ଗୀ, କ୍ଷିରୋଦିନୀ ମହନ୍ତ, ଜଗନ୍ନାଥ ସୋରେନ, ଭଗବାନ ମହନ୍ତ ଓ କୋରାପୁଟରୁ ସିଲା ଖେସଲା, ଅମିନ ଜାନି, ରାଣୀ ଗରଡା, ପ୍ରଭା ଜାନି ଓ ଡମ୍ବରୁଧର ମୁଦୁଲି ପ୍ରମୁଖଙ୍କୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର