ସାବଧାନ! ସହରରେ ଛାଇଗଲେଣି ଚୋର

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମା’ ଦୁର୍ଗାପୂଜା ପାଇଁ ସବୁ ମହଲରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏବେଠୁ ସହରରେ ଗହଳଚହଳ ଆରମ୍ଭ ହୋଇଗଲାଣି। ଲୋକେ କିଣାକିଣି କରିବା ଆରମ୍ଭ କଲେଣି। ପୋଷାକପତ୍ରରୁ ଆରମ୍ଭ କରି ଘରକୁ ନୂଆ ଘରକରଣା ଜିନିଷ କିଣିବାକୁ ସୋ’ରୁମ୍‌ରେ ଭିଡ଼ ଦେଖାଗଲାଣି। ଏହା ଭିତରେ ସକ୍ରିୟ ହୋଇଗଲେଣି ଲୁଟେରା ଓ ସିନ୍ଧିଚୋର। ସେହିଭଳି ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟିବାକୁ ସାଇବର ଠକମାନେ ବି ପ୍ରସ୍ତୁତ ହୋଇପଡ଼ିଛନ୍ତି।

ତେଣୁ ସାବଧାନ ନ ରହିଲେ, ଲୁଟ୍‌ର ଶିକାର ହେବା ନିଶ୍ଚିତ। ବଜାରକୁ ଯିବା ବେଳେ ହେଉ କି ପାର୍ବଣରେ ବୁଲାବୁଲି କରିବାକୁ ଯିବା ବେଳେ ସବୁପ୍ରକାର ସତର୍କତା ଓ ସାବଧାନତା ଅବଲମ୍ବନ ନ‌ କଲେ, ଲୁଟେରା ଓ ସିନ୍ଧିଚୋରମାନଙ୍କୁ ସୁଯୋଗ ମିଳିବ। ମଉକା ପାଇବା ମାତ୍ରେ ସେମାନେ ସୁନାଚେନ୍‌, ମୋବାଇଲ୍‌ ଓ ପର୍ସ ଆଦି ଝାମ୍ପି ନେବେ। ସେହିଭଳି ସିନ୍ଧିଚୋରମାନେ ତାଲା ଭାଙ୍ଗି, ଗ୍ରିଲ୍ କାଟି ଘରେ କଳାକନା ବୁଲାଇଦେବେ। ସେହିଭଳି ଲୁଟେରାମାନେ କାର୍‌ କାଚ ଭାଙ୍ଗି ‌ଚୋରି କରିବେ। ପାର୍ବଣ ସମୟରେ ଲୁଟେରାମାନେ ଏମିତି ସକ୍ରିୟ ହୋଇଯିବା ପୁରୁଣା କଥା। ତେବେ ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ଲୋକଙ୍କ ପାଇଁ ସତର୍କତା ଜାରି କରିଛି।

ଡିସିପି ପ୍ରତୀକ ସିଂହ ନିଜେ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସେଥିରେ ସେ ସର୍ତକ କରାଇଛନ୍ତି କି ଯେଉଁମାନେ ସୁନାଗହଣା, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର କିଣିବାକୁ ଯିବେ, ସେମାନେ ବେଶି ସର୍ତକ ରହିବେ। ଅଜଣା ବ୍ୟକ୍ତି ଉପରେ ଆଦୌ ଭରସା କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ସେହିପରି ଅନ୍‌ଲାଇନ୍‌ରେ କୌଣସି ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନକରିବାକୁ ସେ କହିଛନ୍ତି। ଏହା ଦ୍ବାରା ସାଇବର ଠକଙ୍କ ଶିକାର ହେବା ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ରାସ୍ତାରେ ଝାମ୍ପିନେବେ

ପାର୍ବଣ ସମୟରେ ସାଧାରଣତଃ ମହିଳାମାନେ ସୁନାଗହଣା ପିନ୍ଧି ସଜେଇ ହୋଇ ପୂଜା‌ ମଣ୍ଡପ ବୁଲନ୍ତି। ସେହିଭଳି ଏହି ସମୟରେ ବାହାରକୁ ବୁଲାବୁଲି କରିବାକୁ ଯାଉଥିବା ମହିଳାମାନେ ବି ଗହଣା ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ଛିନ୍‌ତାଇକୁ ସୁଯୋଗ ଆଣିଦିଏ। ଲୁଟେରାମାନେ ଏମାନଙ୍କୁ ଟାର୍ଗେଟ୍‌ କରି ପିଛା କରନ୍ତି ଓ ମଉକା ମାତ୍ରେ ଛଞ୍ଚାଣ ଝାମ୍ପି ନିଅନ୍ତି। ତେଣୁ ଏମିତି ସମୟରେ ଗହଣା ପିନ୍ଧି ବାହାରକୁ ନ ବାହାରିବା ଉଚିତ। ଯଦି ବି କେହି ଗହଣା ପିନ୍ଧି ବାହାରୁଛନ୍ତି, ତେବେ ଅଧିକ ଗହଳି ଭିତରକୁ ଯିବା ଠିକ୍‌ ନୁହେଁ କି ପୂରା‌ ନିଛାଟିଆ, ଅନ୍ଧାରିଆ ରାସ୍ତାରେ ଯାତ୍ରା କରିବା ଠିକ୍‌ ନୁହେଁ। ଏସବୁ ପ୍ରତି ସତର୍କ ରହିବାକୁ ପୁଲିସ ଅଧିକାରୀମାନେ କହିଛନ୍ତି।

ସକ୍ରିୟ ସାଇବର ଲୁଟେରା

Image Courtesy of India Today

ପାର୍ବଣ ସମୟରେ ଅନେକ ଲୋକ ଗହଣା, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର କିଣାକିଣି କରିଥାନ୍ତି। ଏବେ ଅନ୍‌ଲାଇନ୍‌ରେ ବେଶି କାରବାର ହେଉଛି। ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନକୁ ଚାହିଁ ବସିଥାନ୍ତି ସାଇବର ଲୁଟେରା। ଅଧିକାଂଶ ସମୟରେ ସାଇବର ଲୁଟେରାମାନେ ବିଭିନ୍ନ ଉପାୟରେ ଫୋନ୍ କରି ଗ୍ରାହକମାନଙ୍କଠାରୁ ଓଟିପି ମଗାଇଥା’ନ୍ତି। ଓଟିପି ସେୟାର କଲା ମାତ୍ରେ ବ୍ୟାଙ୍କ୍‌ ବାଲାନ୍ସ ଖାଲି ହୋଇ ଯାଇଥାଏ।

କଳାକନା ବୁଲାଇବେ ସିନ୍ଧିଚୋର

ପୂଜା ଦେଖିବାକୁ ଅନେକ ସଂଧ୍ୟା ସମୟରେ ଘରୁ ବାହାରି ଯାଇଥା’ନ୍ତି। କେତେକ ଲୋକ ରାଜଧାନୀରେ ଘର ଛାଡ଼ିଦେଇ ଗାଁକୁ ଯାଇଥା’ନ୍ତି। ଏହି ସବୁ ଘରକୁ ଟାର୍ଗେଟ୍‌ କରିଥା’ନ୍ତି ସିନ୍ଧିଚୋର। ଘରେ କେହି ନ ଥିବାର ସୁଯୋଗ ନେଇ ସିନ୍ଧି ଚୋରମାନେ ତାଲା ଭାଙ୍ଗି ଘର ଭିତରୁ ସୁନା ଓ ରୁପା ଗହଣା ଆଦି ଚୋରାଇ ନେଇଥାନ୍ତି। ପୂଜା ସମୟରେ ଏହି ଗ୍ୟାଙ୍ଗ ବେଶ୍ ସକ୍ରିୟ ରହିବେ। ବିଶେଷକରି ଅଣଆଡ଼ିଆ ନିଛାଟିଆ ଜାଗାରେ ଥିବା ଘର ଓ ରାଜଧାନୀ ଉପକଣ୍ଠରେ ଗଢ଼ି ଉଠିଥିବା ନୂଆ ଜନବସତି ହେଉଛି ଏମାନଙ୍କ ଟା‌ର୍ଗେଟ୍‌। ତେଣୁ କେହି ଘର ଛାଡ଼ି ଯାଉଥିଲେ, ଘରକୁ ବିଶ୍ବସ୍ତ ବ୍ୟକ୍ତିଙ୍କୁ ଜଗିବାକୁ ଦିଆଯିବା ଉଚିତ। ଆବଶ୍ୟକସ୍ଥଳେ କୌଣସି ସୁରକ୍ଷାକର୍ମୀ ଏଜେନ୍‌ସିର ସହଯୋଗ ନେବା ଭଲ। ଜଗିବାରେ କିଛି ଅର୍ଥ ଯାଉ ପଛେ, ଜୀବନଯାକର ସଞ୍ଚିତ ଅର୍ଥ ବଞ୍ଚିଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

ମାତିବେ ବାଇକ୍ ଚୋର ଓ କାର କାଚ ଭଙ୍ଗା ଗ୍ୟାଙ୍ଗ୍‌

iStock

ପାର୍ବଣ ସମୟରେ ଅନେକ ବାଇକ୍ ଓ କାର୍‌ ନେଇ ପୂଜାମଣ୍ଡପ ବୁଲିବାକୁ ଯିବେ। କାର କାଚ ଭଙ୍ଗା ଲୁଟେରା ଗ୍ୟାଙ୍ଗ ଓ ବାଇକ୍ ଚୋରଙ୍କର ଛଞ୍ଝାଣ ନଜର ରହିବ କାର୍‌ ଓ ବାଇକ୍‌ ଉପରେ। କାର୍‌ ଭିତରେ ଯଦି କୌଣସି ଦାମୀ ସାମଗ୍ରୀ ଥିବ କାର୍‌ କାଚ ଭଙ୍ଗା ଲୁଟେରା ଏହାକୁ ଟାର୍ଗେଟ କରି‌ବେ। ସେହିପରି ଯଦି କେହି ବାଇକ୍‌କୁ ପାର୍କିଂ ସ୍ଥଳରେ ରଖିନାହିଁ ଓ ଡବଲ୍ ଲକ୍ କରିନାହିଁ, ଆଖି ପିଛୁଳାକେ ବାଇକ୍ ଗାଏବ ହେବ। ପାର୍ବଣ ସମୟରେ ଏହି ଭଳି ଏକାଧିକ ଅଭିଯୋଗ ଥାନାକୁ ଆସିଥାଏ।

ମଣ୍ଡପ ନିକଟରେ ପକେଟ୍‌ମାର

ବିଶେଷକରି ବିଭିନ୍ନ ମଣ୍ଡପ ନିକଟରେ ଭିଡ଼ର ସୁଯୋଗ ନେଇ ପକେଟମାରମାନେ ସକ୍ରିୟ ରହନ୍ତି। ସେହିଭଳି ଛିନ୍‌ତାଇ କରୁଥିବା ଲୁଟେରାମାନେ ବି ଚେନ୍, ମୋବାଇଲ ଫୋନ୍, ପର୍ସ ଓ ଭ୍ୟାନିଟି ଆଦି ଝାମ୍ପିନିଅନ୍ତି। ତେଣୁ ମଣ୍ଡପ ବୁଲିବାକୁ ଗଲା ବେଳେ ସର୍ତକ ରହିବା ଆବଶ୍ୟକ। ଏହି ସମୟରେ ନିଜ ଜିନିଷକୁ ସ୍ବତନ୍ତ୍ର ନଜରରେ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସିଥିବା କେତେକ ମହିଳା ଓ ଛୋଟଛୋଟ ପିଲାମାନେ ଏହି ଲୁଟ୍‌ପାଟରେ ସାମିଲ୍ ହୋଇଥାନ୍ତି। ବିଗତ ବର୍ଷଗୁଡ଼ିକରେ ଏହି ଗ୍ୟାଙ୍ଗ ନୂଆପଲ୍ଲୀ, ସହିଦନଗର ଓ ଝାରପଡ଼ା ପୂଜାମଣ୍ଡପ ନିକଟରୁ ଧରାପଡ଼ିଛନ୍ତି।

ସମ୍ବନ୍ଧିତ ଖବର