ସାବଧାନ! ସୋସାଲ ମିଡିଆରେ ମାତିଛନ୍ତି ହ୍ୟାକର୍, ଟାର୍ଗେଟ୍‌ରେ ସର୍ବାଧିକ ଫଲୋଅର୍ସ ଆଇଡି ଓ ଗ୍ରୁପ

ଅଶ୍ଳୀଳ ଫଟୋ ଭାଇରାଲ୍ ହେଉଛି କହି ଜାଲ ବିଛାଉଛନ୍ତି, ମାଲୱେର୍ ଲିଙ୍କ୍ ପଠାଇ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ମାଳମାଳ ଲୋକ ସାଇବର୍ ଠକେଇର ଶିକାର ହୋଇ ଲକ୍ଷଲକ୍ଷ ଟଙ୍କା ହରାଇଥିବା ଘଟଣା ସମ୍ମୁଖକୁ ଆସୁଛି। ସଚେତନତା ମାଧ୍ୟମରେ ଠକେଇ ରୋକିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିବାରୁ ସାଇବର ଠକ ବାରମ୍ବାର ନୂଆ ତରିକା ଆପଣାଉଥିବା ଦେଖିବାକୁ ମିଳିଛି। ଏବେ ଏମିତି ଏକ ନୂଆ ଉପାୟରେ ଠକିବା ଆରମ୍ଭ କରିଛନ୍ତି ସାଇବର ଠକ, ଯାହା ଜାଣିଲେ ଜଣେ ବିସ୍ମିତ ହୋଇଯିବ।

ହଠାତ୍ ଆପଣଙ୍କ ନିକଟକୁ ମେ‌ସେଜ ଆସୁଛି- ‘ସାମାଜିକ ଗଣମାଧ୍ୟମରେ ଆପଣଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ବୁଲୁଛି। ଯଦି ବିଶ୍ବାସ ନ ହେଉଛି ଏହି ଲିଙ୍କ୍‌ରେ କ୍ଲିକ୍ କରି ଦେଖନ୍ତୁ, ସତ ନା ମିଛ ଜାଣିଯିବେ।’ ଏହା ପରେ ଯଦି ଆପଣ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରୁଛନ୍ତି, ଫେସବୁକ୍ ଅବା ଇନ୍‌ଷ୍ଟାଗ୍ରାମ୍‌ର ଆକାଉଣ୍ଟ୍ ନାଁ ଓ ପାସଵାର୍ଡ ମାଗୁଛି। ଆକାଉଣ୍ଟ ଓ ପାସଵାର୍ଡ ଦେବା ପରେ ସାଇଟ୍‌ରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ଆସୁଛି। ଆଉ କିଛି ସମୟରେ ସାଇଟ୍ ଫାଙ୍କା ରହୁଛି। ଏହା ପରେ ହ୍ୟାକର୍ ତା’ର ପ୍ରକୃତ ଖେଳ ଆରମ୍ଭ କରୁଛି। ଫେସବୁକ୍ ବା ଇନ୍‌ଷ୍ଟାଗ୍ରାମ୍ ଆଇଡି ହ୍ୟାକ୍ କରିବା ସହିତ ଫ୍ରେଣ୍ଡ୍ ଲିଷ୍ଟରେ ଥିବା ସଂପର୍କୀୟଙ୍କୁ ମେସେଜ୍ କରି ସମାନ କଥା କହୁଛନ୍ତି। ସାଇବର୍ ପୁଅଙ୍କ ଫଟୋକୁ ଏଡିଟିଂ ଆପ୍‌ରେ ଏଡିଟ୍ କରି ଅଶ୍ଳୀଳ ଫଟୋ ସହ ଯୋଡ଼ି ଟଙ୍କା ମାଗୁଥିବା ବେଳେ ଝିଅଙ୍କୁ ପୁରୁଷ ବନ୍ଧୁଙ୍କ ସହିତ ଥିବା ନଗ୍ନ ଫଟୋ ଥିବା କହି ଲିଙ୍କ୍ ପଠାଉଛନ୍ତି। ଆଉ କିଛି ସମ୍ପର୍କୀୟଙ୍କୁ ନିଜେ ଅସହାୟରେ ପଡ଼ିଛନ୍ତି, ଏହି ନମ୍ବରରେ କିଛି ଟଙ୍କା ପଠାନ୍ତୁ, ସନ୍ଧ୍ୟା ସୁଦ୍ଧା ଫେରସ୍ତ ଦେଇଦବୁ କହି ଟଙ୍କା ଠକି ନେଉଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସାଇବର୍ ଠକ ଫେସବୁକ୍‌ରେ ସର୍ବାଧିକ ଫଲୋଅର୍ସ ଥିବା ବ୍ୟକ୍ତି, ବିଭିନ୍ନ ଗ୍ରୁପ୍‌କୁ ଏହିଭଳି ମେସେଜ୍ କରି ହ୍ୟାକ୍ କରୁଥିବା ଜଣାପଡ଼ିଛି।

ସାଧାରଣ ଲୋକଙ୍କ ବ୍ୟତୀତ ଓଡ଼ିଶାର କିଛି ନ୍ୟୁଜ୍ ୱେବ୍ ପୋର୍ଟାଲ୍ ମଧ୍ୟ ଏହି ଠକଙ୍କ ଶିକାର ହୋଇଥିବା ଜଣାପଡ଼ିଛି। ଗତ ୨୨ ଏପ୍ରିଲ୍‌ରେ ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ରାଜା ଦାସ ନାମକ ଜଣେ ବ୍ୟକ୍ତିଙ୍କ ମହିଳା ବନ୍ଧୁଙ୍କୁ ରାଜା ଅଶ୍ଳୀଳ ଫଟୋ ବୁଲୁଥିବା ଏକ ଲିଙ୍କ୍ ଆସିଥିଲା। ଯୁବତୀ ଜଣକ ରାଜାଙ୍କୁ ଏ ବିଷୟରେ କହିବା ସହିତ ତାଙ୍କ ପାଖକୁ ଆସିଥିବା ଲିଙ୍କ୍ ଯାଞ୍ଚ କରିବା ପାଇଁ ପଠାଇଥିଲେ। ରାଜା ଉକ୍ତ ଲିଙ୍କ୍‌କୁ କ୍ଲିକ୍ କରିବା ପରେ ତାଙ୍କୁ ଫେସବୁକ୍ ଆଇଡି ଓ ଏହାର ପାସଵାର୍ଡ ମଗାଯାଇଥିଲା। ସେ ଲିଙ୍କ୍ ଖୋଲିବା ପରେ ଉକ୍ତ ସାଇଟ୍‌ରେ କିଛି ନ ଥିବା ଦେଖି ନିଶ୍ଚିନ୍ତରେ ରହିଥିଲେ। ତେବେ ୨୩ ତାରିଖ ସକାଳୁ ରାଜାଙ୍କ ମୋବାଇଲ୍‌କୁ ଅନେକ ସଂପର୍କୀୟ, ବନ୍ଧୁଙ୍କ ଫୋନ୍ କରିବା ସହିତ ମେସେଜ୍ କରି କଣ ହୋଇଛି ବୋଲି ପଚାରିବା ସହ ଟଙ୍କା କଣ ଦରକାର ପଚାରିବାରୁ ତାଙ୍କ ଆକାଉଣ୍ଟ୍‌ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲ। ଗୋଟିଏ ଦିନରେ ସାଇବର୍ ଠକ ତାଙ୍କ ଫେସବୁକ୍‌କୁ ବ୍ୟବହାର କରି ପ୍ରାୟ ୫୦ ଜଣ ସଂପର୍କୀୟଙ୍କୁ ଏଭଳି ମେସେଜ୍ କରି ଟଙ୍କା ମାଗିଥିଲା। ଏନେଇ ରାଜା ସାଇବର୍‌ ସେଲ୍‌ରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ଏହା ସହିତ ଆଜି ସ୍ଥାନୀୟ ମଞ୍ଚେଶ୍ବର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।

ଘଟଣା ସଂପର୍କରେ ସାଇବର୍ ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଗଲା ମାସେରୁ ଦେଢ଼ମାସ ମଧ୍ୟରେ ତାଙ୍କ ପାଖକୁ ଏଭଳି ମାଳମାଳ ଅଭିଯୋଗ ଆସିଛି। ଜଣେ କି ଦି’ ଜଣ ନୁହେଁ; ଶତାଧିକ ଲୋକଙ୍କ ଆକାଉଣ୍ଟ୍‌ ହ୍ୟାକ୍ ହୋଇଥିବାରୁ ତାଙ୍କୁ ସହଯୋଗ ମଧ୍ୟ ଲୋକେ ମାଗିଛନ୍ତି। ଏପରିକି ଏକାଧିକ ନ୍ୟୁଜ୍ ପୋର୍ଟାଲ୍ ମଧ୍ୟ ଏହି ଠକେଇର ଶିକାର ହୋଇଥିବା ସେ କହିଛନ୍ତି। ମାତ୍ର ହ୍ୟାକ୍ ହୋଇଥିବା ଫେସବୁକ୍ ବା ଇନ୍‌ଷ୍ଟାଗ୍ରାମ୍‌ ଆଇଡିକୁ ପୁନରୁଦ୍ଧାର କରିବା ଏକପ୍ରକାର ଅସମ୍ଭବ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଭଳି ଠକେଇ କରୁଥିବା ସାଇବର୍ ଠକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଓଡ଼ିଆ ଯୁବକ ଯୁବତୀ ବୋଲି ସେ କହିଛନ୍ତି। କାରଣ ଆକାଉଣ୍ଟ୍ ହ୍ୟାକ୍ ହେବା ପରେ ହ୍ୟାକର୍ ଲୋକଙ୍କ ସହ ଓଡ଼ିଆର ଚାଟ୍ କରୁଥିବା ଦେଖିବାକୁ ମିଳିଛି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଲକ୍ କରିବା ସହ ଅଜଣା ଲୋକର ଫ୍ରେଣ୍ଡ ରିକ୍ବେଷ୍ଟ ଗ୍ରହଣ ନ କରିବାକୁ ସେ କହିଛନ୍ତି। ଏହା ସହିତ ଅଜଣା ଲୋକ ପଠାଇଥିବା କୌଣସି ଲିଙ୍କ୍‌କୁ କ୍ଲିକ୍ ନ କରିବାକୁ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର