ସାବଧାନ! ସାଇବର ଠକଙ୍କ ନୂଆ କୌଶଳ: ନେଟ୍ ବ୍ୟାଙ୍କିଙ୍ଗ ଅପଡେଟ୍ ନାଁରେ ଏସ୍‌ଏମ୍‌ଏସ୍ ପଠାଇ ଲୁଟୁଛନ୍ତି

ଶିକାର ହେଲେ ଠିକାଦାର, ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ, ଛାତ୍ର

ଭୁବନେଶ୍ବର: ନୂଆ ନୂଆ ଉପାୟରେ ଠକି ଚାଲିଛନ୍ତି ସାଇବର ଅପରାଧୀ। ଏବେ ନେଟ୍ ବ୍ୟାଙ୍କିଙ୍ଗକୁ ଅସ୍ତ୍ର କରିଛନ୍ତି। ନେଟ୍ ବ୍ୟାଙ୍କିଙ୍ଗ ଅପଡେଟ୍ କରିବା ବାହାନାରେ ଏସ୍‌ଏମ୍‌ଏସ୍ ଲିଙ୍କ୍‌ ପଠାଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ସାଇବର ଠକ ଏଭଳି ଜାଲ ବିଛାଇଥିବା ବେଳେ ବଢ଼ି ଚାଲିଛି ଲୁଟ୍ ସଂଖ୍ୟା। ଠକେଇରୁ ରକ୍ଷା ପାଇବା ଲାଗି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମୁମ୍ବାଇ ପୁଲିସ ଆଲର୍ଟ ଜାରି କରିଛନ୍ତି। ଗତ ଦୁଇ ଦିନ ଭିତରେ ଜଣେ ବ୍ୟବସାୟୀ ଓ ଜଣେ ଛାତ୍ର ଏଭଳି ଠକାମିରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। କିନ୍ତୁ ରାଜଧାନୀର ଜଣେ ଠିକାଦାର ଠକଙ୍କ ଜାଲରେ ଫସି ଯାଇଛନ୍ତି। ଠକାମିର ଶିକାର ହୋଇଥିବା ଝାରପଡ଼ା ଅଞ୍ଚଳର ଶେଖ୍ ରାଜୁଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକେଇ ଘଟଣା ପଦାକୁ ଆସିବା ପରେ ନୂଆ ଧରଣର ଠକେଇ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଛି। ଏ ବିଷୟରେ ଜାଣିବା ପରେ ପୁଲିସ ଅକଲ ମଧ୍ୟ ଗୁଡୁମ୍ ହୋଇଯାଇଛି। ଗୋଟିଏ ପରେ ଗୋଟିଏ ନୂଆଧରଣର ଠକେଇ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କେମିତି ହେଉଛି ଠକେଇ
ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଖକୁ ମୋବାଇଲ ଫୋନ୍‌ରେ ଠକ ପ୍ରଥମେ ଏସ୍‌ଏମ୍‌ଏସ୍‌ ପଠାଉଛି। ନେଟ୍ ବ୍ୟାଙ୍କିଙ୍ଗ ଅପଡେଟ୍ ନ କଲେ ବନ୍ଦ ହୋଇଯିବ ବୋଲି ଏସ୍‌ଏମ୍‌ଏସ୍‌ରେ ଉଲ୍ଲେଖ ରହିଛି। ଏହି ଏସ୍‌ଏମ୍‌ଏସ୍‌ରେ ଗୋଟିଏ ଲିଙ୍କ୍ ଆସୁଛି। ସେହି ଲିଙ୍କ୍‌କୁ କ୍ଲିକ୍ କରିବା ସହ ବ୍ୟକ୍ତିଗତ ତଥ୍ୟ ଦେଇ ଅପଡେଟ୍ କରିବା ପାଇଁ କୁହାଯାଉଛି। ଯେଉଁମାନେ ଏହାକୁ ସତ ଭାବି ଲିଙ୍କ୍ ଖୋଲୁଛନ୍ତି ଏବଂ ଅପଡେଟ୍ କରିବା ଲାଗି ନିଜର ପାନ୍ କାର୍ଡ, ଆଧାର କାର୍ଡ, ଏଟିଏମ୍, କ୍ରେଡିଟ୍ କାର୍ଡ ନମ୍ବର ଆଦି ଦେଉଛନ୍ତି, ସେମାନେ ଠକାମିର ଶିକାର ହେଉଛନ୍ତି। କାରଣ ଏହି ତଥ୍ୟ ପାଇବା ପରେ ଠକ ନେଟ୍ ବ୍ୟାଙ୍କିଙ୍ଗ ଭିତରେ ପଶି ପୂରା କାରବାରର ସବୁ ତଥ୍ୟ ଜାଣିଯାଏ। ଏହା ପରେ ଠକ ସେହି ଟଙ୍କାରେ ଫିକ୍ସଡ ଡିପୋଜିଟ୍, ଆରଡି, ମ୍ୟୁଚୁଆଲ ଫଣ୍ଡ ତିଆରି କରିଦିଏ। ଏହା ତିଆରି ହେବା ପରେ ଆକାଉଣ୍ଟଧାରୀଙ୍କ ପାଖକୁ ସମ୍ପୃକ୍ତ ବ୍ୟାଙ୍କରୁ ଏକ ଏସ୍‌ଏମ୍‌ଏସ୍‌ ଆସିଥାଏ। ଏହାକୁ କିଏ ତିଆରି କଲା ତାକୁ ନେଇ ଆକାଉଣ୍ଟଧାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ। ଏହାର କିଛି ସମୟ ମଧ୍ୟରେ ଠକ ନିଜକୁ ସମ୍ପୃକ୍ତ ବ୍ୟାଙ୍କର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍ କରେ। ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଆପଣ ଫିକ୍ସଡ୍ ଡିପୋଜିଟ୍ ତିଆରି କରିଛନ୍ତି କି ବୋଲି ପଚାରେ। ବ୍ୟାଙ୍କ କାରବାରକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ମୋବାଇଲ ଫୋନ୍‌କୁ ଏକ ଓଟିପି ଯିବ ଏବଂ ସେହି ଓଟିପି ଦେବା ପାଇଁ କୁହେ ଠକ। ସେହି ସମୟ ଭିତରେ ଠକ ନେଟ୍ ବ୍ୟାଙ୍କିଙ୍ଗ୍ ଭିତରେ ପଶି ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦେଇଥାଏ। ଠକକୁ ବ୍ୟାଙ୍କ ଅଧିକାରୀ ବୋଲି ବିଶ୍ବାସ କରି ଆକାଉଣ୍ଟଧାରୀ ଓଟିପି ଦେବା ପରେ ଆକାଉଣ୍ଟ ଖାଲି କରିଦିଏ ଠକ। ଏହିଭଳି ଢଙ୍ଗରେ ସାଇବର ଅପରାଧୀ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନିଏ।

ଏମିତି ଏକ ଠକେଇରୁ ବର୍ତ୍ତି ଯାଇଛନ୍ତି ବ୍ୟବସାୟୀ ଦେବବ୍ରତ ସାହୁ। ତାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ ଅପଡେଟ୍ ନାଁରେ ଲିଙ୍କ୍ ଥିବା ଏସ୍‌ଏମ୍‌ଏସ୍‌ ଆସିଥିଲା। ସେହି ଲିଙ୍କ୍‌କୁ କ୍ଲିକ୍ କରି ଆଧାର, ପାନ କାର୍ଡ ସହ ଅନ୍ୟ ବିବରଣୀ ଦେଇଥିଲେ। ଏହା ପରେ ତାଙ୍କର ୫୦ ହଜାର ଟଙ୍କାର ଆର୍‌ଡି ହୋଇଥିବା ନେଇ ଏସ୍‌ଏମ୍‌ଏସ୍‌ ଆସିଥିଲା। ଠିକ୍ ପରେ ପରେ ଠକର ଫୋନ୍ ଆସିଥିଲା। କିନ୍ତୁ ଦେବବ୍ରତ ଜଣେ ଅର୍ଥ ବିଶେଷଜ୍ଞ ଓ ଆଇଟି ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ନିଶ୍ଚିତ ଠକାମିରୁ ରକ୍ଷା ପାଇ ଯାଇଥିଲେ। ରାଜଧାନୀରେ ଜଣେ ଛାତ୍ର ମଧ୍ୟ ଅନୁରୂପ ଭାବେ ଠକାମିରୁ ବର୍ତ୍ତି ଯାଇଥିଲେ।

ସାଇବର ବିଶଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଏଭଳି ଏସଏମଏସକୁ ବିଶ୍ବାସ କରନ୍ତୁ ନାହିଁ। ସେଥିରୁ ଆସୁଥିବା ଲିଙ୍କ୍‌ରେ କୌଣସି ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଯଦି ମନରେ ଦ୍ବନ୍ଦ୍ବ ରହୁଛି ତାହେଲେ ସମ୍ପୃକ୍ତ ବ୍ୟାଙ୍କର ନିକଟସ୍ଥ ଶାଖାକୁ ଯାଇ ଆଲୋଚନା କରନ୍ତୁ। କାହା ସହ ଓଟିପି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର ନ କଲେ ନୂଆ ଧରଣର ଠକାମିରୁ ରକ୍ଷା ମିଳିପାରିବ। ଏ ସମ୍ପର୍କରେ ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯିବା ଦରକାର ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର