ୟୁନିଟ୍‌-୧ ହାଟକୁ ଯାଉଥିଲେ ସାବଧାନ! ହାଟ ଚାରିକଡ଼ରେ ୫୦ ଆକ୍ରାନ୍ତ

ଆଖଣ୍ଡଳମଣି ବସ୍ତି କଣ୍ଟେନମେଣ୍ଟ ‌ଜୋନ୍‌, ତାରିଣୀ ବସ୍ତି, ତାଟି ବସ୍ତିରେ ଆକ୍ରାନ୍ତ ବଢ଼ୁଛନ୍ତି

ଭୁବନେଶ୍ୱର : ୟୁନିଟ୍‌-୧ ହାଟ ନିକଟସ୍ଥ ଆଖଣ୍ଡଳମଣି ବସ୍ତିରୁ ପ୍ରାୟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ବସ୍ତିରେ ୟୁନିଟ୍‌-୧ ହାଟରେ ବ୍ୟବସାୟ କରୁଥିବା ବହୁ ପରିବା ବ୍ୟବସାୟୀ, ହାଟରେ ଦୋକାନ କରିଥିବା ଏବଂ ବିଭିନ୍ନ ଦୋକାନରେ କାମ କରୁଥିବା ଲୋକ ରହୁଛନ୍ତି। ଏଥିରୁ କେତେକ ଆକ୍ରାନ୍ତ ହେବା ପରେ ବିଏମ୍‌ସି ପକ୍ଷରୁ ସତର୍କତାମୂଳକ ଭାବେ ଏହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଆଖଣ୍ଡଳମଣି ବସ୍ତିରେ ଗତ ଦେଢ଼ ସପ୍ତାହ ମଧ୍ୟରେ ପ୍ରାୟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମେ ପ୍ରାୟ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଘରୁ ନ ବାହାରିବାକୁ ସେମାନଙ୍କୁ କୁହାଯାଇଥିଲା। ହେଲେ ବସ୍ତିବାସିନ୍ଦା ନିୟମ ଉଲ୍ଲଂଘନ କରି ହାଟରେ ବ୍ୟବସାୟ କରିବା ସହ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। କେବଳ ଗ୍ରାହକ ନୁହେଁ, ବହୁ ବ୍ୟବସାୟୀ ବି ଆସିଥିଲେ। ଏହାପରେ କରୋନା ଲକ୍ଷଣ ଥିବା ଲୋକଙ୍କ ସଂଖ୍ୟା ବସ୍ତିରେ ବଢ଼ିଲା। ହାଟର ଆଉ କିଛି ବ୍ୟବସାୟୀ ବି କରୋନା ଆକ୍ରାନ୍ତ ହୋଇଥିଲେ। ବସ୍ତିରେ ସମସ୍ତଙ୍କର କରୋନା ପରୀକ୍ଷା ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ମଦର୍ସ ପବ୍ଲିକ ସ୍କୁଲ ନିକଟରୁ ହାଟର ପୂରା ପଛ ପାର୍ଶ୍ବ ଅଞ୍ଚଳ, ବସ୍ତି ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ଜୁଲାଇ ୩୧ ତାରିଖ ରାତିରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

image source-india.com

କେବଳ ଏତିକି ନୁହେଁ, ୟୁନିଟ୍‌-୧ ହାଟ ନିକଟରେ ଥିବା ତାରିଣୀ ବସ୍ତିରୁ ଶନିବାର ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏହିପରି ମୋଟ୍‌ ୧୩ଜଣ ଆକ୍ରାନ୍ତ ଏଠାରୁ ଚିହ୍ନଟ ହୋଇସାରିଲେଣି। ଏମାନେ ଗଞ୍ଜାମରୁ ଆସିଥିବା ବେଳେ ସଙ୍ଗରୋଧରେ ରହିଥିଲେ। ଲକ୍ଷଣ ଦେଖାଯିବା ପରେ ପରୀକ୍ଷା ହେବାରୁ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଆଜି ତାଟି ବସ୍ତିରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ବସ୍ତିରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ବସ୍ତିର ଲୋକମାନେ ବାଉଁଶ ସାମଗ୍ରୀ ବ୍ୟବସାୟ କରିବା ସହ ହାଟରେ କୁଲି କାମ କରନ୍ତି। କିଛି ଲୋକ ପରିବା ବ୍ୟବସାୟ ବି କରନ୍ତି। ତେଣୁ ସମସ୍ତେ ସଙ୍ଗରୋଧ ନିୟମ ନମାନିଲେ ସ୍ଥିତି ସାଂଘାତିକ ହୋଇପାରେ। ହାଟ ଚାରିପାର୍ଶ୍ବରେ ଏବେ ପ୍ରାୟ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାରୁ ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ହାଟରେ ବ୍ୟବସାୟୀ ସୁପରସ୍ପ୍ରେଡର୍‌ ସାଜି ପାରନ୍ତି। ଲୋକ ଶସ୍ତାରେ ପରିବା କିଣିବାକୁ ହାଟରେ ଠେଲାପେଲାରେ ପଶୁଛନ୍ତି। ସାମାଜିକ ଦୂରତା ରହୁନି କି କେହି ନିୟମ ମାନୁନାହାନ୍ତି। ଯଦି କୌଣସି କରୋନା ଆକ୍ରାନ୍ତ ବ୍ୟବସାୟୀ ବା ଗ୍ରାହକ ଏହି ହାଟରେ ପଶିଯାଇଥିବେ, ତେବେ ସ୍ଥିତି ସାଂଘାତିକ ହୋଇଯିବ। ରାଜଧାନୀର ସବୁଠୁ ବଡ଼ ହାଟକୁ ବନ୍ଦ କରିବା ବିଏମ୍‌ସି ପକ୍ଷେ ସମ୍ଭବ ନୁହେଁ। ଏହି ହାଟ ଉପରେ ରାଜଧାନୀ ସମେତ ପାଖଆଖ ଜିଲ୍ଲାର ଲୋକ ନିର୍ଭର କରିଥାନ୍ତି। ତେଣୁ ଲୋକଙ୍କ ସୁବିଧାକୁ ନଜରରେ ରଖି ବିଏମ୍‌ସି କଠୋର ପଦକ୍ଷେପ ନେଇ ପାରୁନି। ହାଟକୁ ଯାଉଥିବା ଲୋକ ସାବଧାନ ନହେଲେ ଘରକୁ କରୋନା ଆଣି ଆସିବା ଥୟ।

The News Room

ଆଇଗିଣିଆ ଆଳୁ ଗଦିରେ ପ୍ରାୟ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିପାଇଁ ଯିଏ ସୁପରସ୍ପ୍ରେଡର୍‌ ସାଜିଥିଲେ ସେ ହିଁ ୟୁନିଟ୍‌-୧ରୁ କରୋନା ଆକ୍ରାନ୍ତ ହୋଇଯାଇଥିଲେ। ଜଣେ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ଆଜି ସୁଦ୍ଧା ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗକୁ ଆଉ କେହି ବ୍ୟବସାୟୀ ଯେପରି କରୋନା ଆକ୍ରାନ୍ତ ହୋଇ ସୁପରସ୍ପ୍ରେଡର ନସାଜନ୍ତି, ତାହାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଧ୍ୟାନ ଦେବାକୁ ହେବ। ଏହାସହ ଟିକିଏ ଶସ୍ତାରେ ପାଇବା ପାଇଁ ଗହଳି ସ୍ଥାନକୁ ଠେଲିପେଲି ହୋଇ ଯିବାର ସମୟ ଏବେ ନୁହେଁ, ତାହା ଲୋକଙ୍କ ମୁଣ୍ଡରେ ପୂରାଇବାକୁ ହେବ।

ସମ୍ବନ୍ଧିତ ଖବର