ଭୁବନେଶ୍ବର: ରାଜଧାନୀରୁ ଭଡ଼ାରେ କାର୍ ନେବା ପରେ ବାଲୁଗାଁ ଓ ବାଣପୁର ଅଞ୍ଚଳର ସାହୁକାରଙ୍କ ନିକଟରେ ବନ୍ଧା ପକାଇ ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଧୂର୍ତ୍ତ ଓ ତା’ର ସହଯୋଗୀକୁ ଗିରଫ କରିଛି। ଟ୍ରାଭେଲ୍ ଏଜେନ୍ସିମାନଙ୍କୁ ଏମିତି ଅଭିନବ ଢଙ୍ଗରେ ଧୋକା ଦେଉଥିବା ଦଗାବାଜ ହେଲା ଖୋର୍ଦ୍ଧା ଜିଲ୍ଲା ବାଣପୁର କୁମାରଙ୍ଗ ଅଞ୍ଚଳର ଦିଲୀପ ମିଶ୍ର(୩୯) ଓ ତା’ର ସହଯୋଗୀ ଖୋର୍ଦ୍ଧା ବାଲୁଗାଁର ସ୍ବସ୍ତିକ ପ୍ରଧାନ(୩୧)। ରାଜଧାନୀର ବିଭିନ୍ନ ଏଜେନ୍ସିରୁ ଏଭଳି ଭାବେ ନେଇଥିବା ୯ଟି କାର୍କୁ ପୁଲିସ ବାଲୁଗାଁ ଅଞ୍ଚଳର ସାହୁକାରମାନଙ୍କଠାରୁ ଜବତ କରିଛି।
ପୁଲିସ ସୂଚନାନୁସାରେ ଅକ୍ଟୋବର ୨୧ ତାରିଖ ଦିନ ପାତ୍ରପଡ଼ାସ୍ଥିତ ଏକ ଟ୍ରାଭେଲ୍ସ ଏଜେନ୍ସିରୁ ଅଭିଯୁକ୍ତ ଦିଲୀପ ୨ଟି କାର୍ ଭଡ଼ା ସୂତ୍ରରେ ନେଇଥିଲା। ଦିନକୁ ୪ହଜାର ଟଙ୍କା ଭଡ଼ା ଦେବ ବୋଲି ଚୁକ୍ତି କରି ସେ ୧୫ ଦିନ ପାଇଁ ୨ଟିଯାକ କାର୍ ନେଇଥିଲା। ନିଜକୁ ରିଲାଏନ୍ସ କମ୍ପାନିର ଏକ ଶାଖା ସଂସ୍ଥାର ମ୍ୟାନେଜର୍ ବୋଲି ପରିଚୟ ଦେଇଥିଲା। ଆବଶ୍ୟକ ହେଲେ କାର୍ ଦ୍ବୟର ଭଡ଼ା ଅବଧି ବଢ଼ିପାରେ ବୋଲି କହିଥିଲା। କାର୍ ନେବା ପରଠୁ ସେ ଭଡ଼ା ଦେଇଚାଲିଥିଲା। ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଭଡ଼ା ଟଙ୍କା ପଠାଉଥିଲା। କିନ୍ତୁ ୧୬ ତାରିଖରୁ ନା ଭଡ଼ା ଟଙ୍କା ଆସିଲା ନା କାର୍ ଫେରସ୍ତ ହେଲା।
ଏମିତିକି ଦିଲୀପର ମୋବାଇଲ୍ ବନ୍ଦ ହୋଇଯାଇଥିଲା। ତଥାପି ୨ଦିନ ଅପେକ୍ଷା କରିବା ପରେ ଦିଲୀପ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଟ୍ରାଭେଲ୍ ଏଜେନ୍ସିର ମ୍ୟାନେଜର ସୁଧାଂଶୁ ଭୂଷଣ ମିଶ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କଲେ। ପୁଲିସ ମାମଲା ରୁଜୁ କରି ଦିଲୀପକୁ ଖୋଜିଲା। ମାତ୍ର ତା’ର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ତାକୁ ଠାବ କରିବା ସମ୍ଭବ ହେଲା ନାହିଁ। ଏହାପରେ ପୁଲିସ ରାଜଧାନୀର ଅନ୍ୟାନ୍ୟ ଟ୍ରାଭେଲ୍ ଏଜନେ୍ସି ସହ ଯୋଗାଯୋଗ କରି ଦିଲୀପର କୁଣ୍ଡଳୀ ଖୋଜି ବାହାର କଲା। କଳ୍ପନା, ଘାଟିକିଆ ଆଦି ଅଞ୍ଚଳର କିଛି ଏଜେନ୍ସିକୁ ଦିଲୀପ ଏମିତି ଚୂନ ଲଗାଇଥିବା ଜଣାପଡ଼ିଥିଲା। ତଦନ୍ତ ଭିତରେ ପୁଲିସ ହାତରେ ଦିଲୀପର ଅନ୍ୟ ଏକ ମୋବାଇଲ୍ ନମ୍ବର ଲାଗିଥିଲା। ସେହି ନମ୍ବରକୁ ଟ୍ରାକ୍ କରିକରି ପୁଲିସ ତାକୁ ଠାବ କରିଥିଲା। ଭଡ଼ା ବାହାନାରେ ନେଇଥିବା କାର୍ଗୁଡ଼ିକୁ ସେ ବାଣପୁର ଓ ବାଲୁଗାଁରେ ବନ୍ଧା ପକାଇଛି ବୋଲି କହିଥିଲା। ୯ଟି କାର୍କୁ ବନ୍ଧା ପକାଇ ସେ ୧୫ ଲକ୍ଷରୁ ଅଧିକ ଟଙ୍କା ପାଇଥିଲା ବୋଲି ମାନିଥିଲା।