ସାବଧାନ! ରାସ୍ତାରେ ବୁଲୁଛି କରୋନା

ଭୁବନେଶ୍ବର: ସାବଧାନ! ରାଜଧାନୀ ରାଜରାସ୍ତାରେ ଖୋଲାଖୋଲି ବୁଲୁଛି କରୋନା ଭୂତାଣୁ। ଏଣୁ ରାଜଧାନୀବାସୀ ଅଯଥାରେ ରାସ୍ତାରେ, ଏଣେତେଣେ ନ ବୁଲି ଘରେ ରୁହନ୍ତୁ। ଏଭଳି ଏକ ବାର୍ତ୍ତାବାହକ ସାଜିଛି ଏକ ନିଆରା କରୋନା ରଥ। ସତସତିକା ନୁହେଁ, ସ୍କୁଟି ଉପରେ ସୋଲ ଓ ଲୁହା ରଡ୍‌ରେ ତିଆରି କରୋନା ରଥ। ଏଥିରେ ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ ବାର୍ତ୍ତା ସହ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଯାଇଛି। ଏହାସହ ଏଥିରେ କିପରି ଆମ ତାଲାବନ୍ଦ କରୋନାକୁ ବାନ୍ଧି ରଖିଛି, ତାହାର ଏକ ପ୍ରତୀକାତ୍ମକ ଚିତ୍ର ମଧ୍ୟ ଦିଆଯାଇଛି। ଇନ୍ଦ୍ରଧନୁ ଆର୍ଟ ଷ୍ଟୁଡିଓର ପ୍ରତିଷ୍ଠାତା ପ୍ରମୋଦ ମୁଦୁଲି ଏହି ନିଆ‌ରା ପ୍ରୟାସ କରିଛନ୍ତି। ସ୍କୁଟିକୁ ୱେଲ୍‌ଡିଂ କରିବା ସହ ପଛ‌ରେ ଦୁଇଟି ଚକା ଲଗାଇ ପ୍ରଥମେ ଏହାର ଏକ ଫ୍ରେମ୍‌ ତିଆରି କରାଯାଇଛି। ଏହାପରେ ସୋଲ ଦିଆଯାଇଛି। କରୋନା ଭୂତାଣୁ ଭଳି ଏହାର ବାହାରେ କଣ୍ଟା କଣ୍ଟା ଭଳି ବାହାର କରାଯାଇଛି। ଏଥିରେ ବିଭିନ୍ନ ରଙ୍ଗ ଦେଇ ବିଭିନ୍ନ ବାର୍ତ୍ତା ଲେଖାଯାଇଛି। ମାସ୍କ ପିନ୍ଧନ୍ତୁ, ଘରେ ରୁହନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସରକାରଙ୍କ ନିୟମକୁ ଅନୁକରଣ କରନ୍ତୁ ଆଦି ବିଭିନ୍ନ ବାର୍ତ୍ତା ମଧ୍ୟ ଏଥି‌ରେ ରହିଛି। ଏହାସହ ଏହାର ଉପର ଭାଗରେ ଲେଖା ଯାଇଛି ‘କରୋନା ହାରିବ ଓଡ଼ିଶା ଜିତିବ’ ଭଳି ଆଶ୍ବାସନାଭରା ଲେଖା।

ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଶ୍ରୀ ମୁଦୁଲି ପୁଲିସର ଅନୁମତି ନେଇ ଏହା କରିବା ସହ ବିଭିନ୍ନ ଅଞ୍ଚଳରେ ଜନ‌‌ ସଚେତନତା ସୃଷ୍ଟି ପାଇଁ ବୁଲିଥିଲେ। ଶ୍ରୀ ମୁଦୁଲିଙ୍କ ଏହି ରଥ ଖଣ୍ଡଗିରି, ଜାଗମରା, ଶିରିପୁର, ଶିଶୁଭବନ, ରାଜମହଲ, ମାଷ୍ଟରକ୍ୟ‌ାଣ୍ଟିନ, ସଚ୍ଚିବାଳୟ ମାର୍ଗ ହୋଇ ୮ ନମ୍ବର ଓ ସିଆର୍‌ପି ଆଦି ଅଂଚଳ ବୁଲିଥିଲା। ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଲୋକଙ୍କୁ ମଧ୍ୟ ବୁଝାଇଥିଲେ। ତେବେ ଏବେ ସାରା ଭୁବନେଶ୍ବରରେ ଓ ପରେ ସୁଯୋଗ ମିଳିଲେ ଓଡ଼ିଶା ସାରା ଏଭଳି ବୁଲି ଲୋକଙ୍କୁ ସଚେତନ କରିବେ ବୋଲି ଶ୍ରୀ ମୁଦୁଲି କହିଛନ୍ତି। ସେ କୁହନ୍ତି, କଳାକାର ହିସାବରେ ଆର୍ଥିକ ସହାୟତା ଦେବା ସମ୍ଭବ ନୁହେଁ। ଏଣୁ ମୁଁ ମୋ ଦକ୍ଷତାକୁ ବ୍ୟବହାର କରି ଏଭଳି ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର