ମା’ ହେଲା ନନ୍ଦନକାନନ ଭାଲୁୁ ‘ଲିଜା’

ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିବ ଭାଲୁ ସଫାରି

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରି ମଧ୍ୟରେ ରହୁଥିବା ଦେଶୀ ଭାଲୁ ଲିଜା(୬) ତା’ର ପ୍ରଥମ ଗର୍ଭରୁ ଏକ ଶାବକକୁ ଜନ୍ମ ଦେଇଛି। ଉଭୟ ଲିଜା ଓ ତାର ଶାବକ ସୁସ୍ଥ ଅଛନ୍ତି। ଶାବକଟିର ଲିଙ୍ଗ ଚିହ୍ନଟ ହୋଇ ପାରି ନାହିଁ। ଏହା ସହିତ ନନ୍ଦନକାନନର ଦେଶୀ ଭାଲୁ ସଂଖ୍ୟା ମୋଟ ୧୫କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୧୦ଟି ପୁରୁଷ ଓ ୫ଟି ମାଈ ଅଛନ୍ତି। ସେଥି ମଧ୍ୟରୁ ୧୦ଟି ସଫାରି ମଧ୍ୟରେ ଓ ୫ଟି ଖୁଆଡ଼ ମଧ୍ୟରେ ରହୁଛନ୍ତି।

୨ ବର୍ଷ ବୟସର ହୋଇଥିବା ବେଳେ ଲିଜାକୁ ଗତ ୨୦୧୪ ମାର୍ଚ୍ଚ ମାସ ୨୯ ତାରିଖରେ ବ୍ରହ୍ମପୁର ରେଞ୍ଜରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲ। ଲିଜା ପ୍ରଥମ କରି ଶାବକ ଜନ୍ମ ଦେଇଥିବାରୁ ଛୁଆର ପାଖ ଛାଡୁ ନାହିଁ। ମଣିଷ ଦେଖିଲେ ଆକ୍ରମଣ କରିପାରେ କିମ୍ବା ଛୁଆକୁ ଅଣଦେଖା କରିବା ସମ୍ଭାବନା ରହିଛି। ଉଭୟ ମା’ ଛୁଆ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ମଙ୍ଗଳବାର) ଭାଲୁ ସଫାରିକୁ ବନ୍ଦ ରଖିବାକୁ କର୍ତୃପକ୍ଷ ଘୋଷଣା କରିଛନ୍ତି। ମା’ ଓ ଛୁଆ ଭାଲୁଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା କିମ୍ବା ସଫାରି ମଧ୍ୟରେ ସେମାନଙ୍କୁ ଏକ ବଡ଼ ସ୍ଥାନରେ ଅବଦ୍ଧ କରାଯିବା ପର୍ଯ୍ୟନ୍ତ ସଫାରିକୁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି କର୍ମଚାରୀମାନଙ୍କର ବୈଠକ ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ଦରକାର ପଡ଼ିଲେ ସଫାରିକୁ ଆଉ କିଛି ଦିନ ବନ୍ଦ କରାଯାଇପାରେ ବୋଲି ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଭାଲୁ ସଫାରି ବନ୍ଦ ରହିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ସଫାରି ବସ୍‌ ଟିକେଟ୍‌ ଦର ୫୦ ପରିବର୍ତେ ୪୦ ଟଙ୍କା ରହିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର