ଏତେ ଭାଲୁଛୁଆ ଆସିଲେ କେଉୁଁଠୁ?

ଖୋଳତାଡ଼ କରୁଛି ବନ ବିଭାଗ, ୨୦୦୯ରେ ବି ଉଦ୍ଧାର ହୋଇଥିଲା ଭାଲୁଛୁଆ

ଭୁବନେଶ୍ବର/ବାରଙ୍ଗ : ଶୁକ୍ରବାର ଗଙ୍ଗପଡ଼ା ଭୁଆସୁଣି ମନ୍ଦିର ନିକଟୁରୁ ୫ଟି ଓ ଗଡ଼ ଖୋର୍ଦ୍ଧାରୁ ୨ଟି ଭାଲୁଛୁଆ ଉଦ୍ଧାର ହେବା ଘଟଣା ପଶୁପ୍ରେମୀମାନଙ୍କୁ ବିସ୍ମିତ କରିଦେଇଛି। କୁହାଯାଉଛି, ଏସବୁ ଭାଲୁଛୁଆଙ୍କୁ କୋଲକାତା ଚାଲାଣ କରାଯାଇଥାନ୍ତା। କିନ୍ତୁ ଗାଡ଼ି ଚଳାଚଳ କମିବା ସହ ଏବେ ଜୋରଦାର ଚେକିଂ ହେଉଥିବାରୁ ଧରାପଡ଼ିଯିବା ଭୟରେ ଚୋ‌ରା ଚାଲାଣକାରୀ ଭାଲୁଛୁଆଗୁଡ଼ିକୁ ଛାଡ଼ି ପଳାଇଛି। ‌ଏବେ ପ୍ରଶ୍ନ ଉଠୁଛି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଏହି ବଡ଼ଭାଲୁ ଦେଖାଯାଉ ନଥିବାବେଳେ ଏତେ ଭାଲୁଛୁଆ ଆସୁଛି କେଉଁଠୁ? ଏହା ପଛରେ କେଉଁମାନେ ଅଛନ୍ତି? ବନ ବିଭାଗ ଏବେ ଏହି ମାମଲାର ତଦନ୍ତ ଚଳାଇଛି। ତେବେ ଏତେ ସଂଖ୍ୟାରେ ଭ‌ାଲୁଛୁଆ କେଉଁ ଜିଲ୍ଲାରୁ ଆସିଛନ୍ତି ତା’ହା ଖୋଜି ବାହାର କରିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଛି।

ଆମ ରାଜ୍ୟରେ ବଡ଼ଭାଲୁ କେବଳ କେନ୍ଦୁଝର, ବାଲେଶ୍ବରର ନୀଳଗିରି, ନୟାଗଡ଼, ଗଂଜାମ, ବଲାଙ୍ଗୀର, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର କେତେକ ଜଙ୍ଗଲରେ ଦେଖାଯାଇଥାନ୍ତି। ତେଣୁ ଏହି ଭାଲୁଛୁଆ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲା ବାହାରୁ କୌଣସି ଜଙ୍ଗଲରୁ ଏଠାକୁ ଅଣାଯାଇଥିବା ସନ୍ଦେହ କରାଯାଉଛି। ଗଙ୍ଗପଡ଼ାର କାଜୁ ଜଙ୍ଗଲ ନିକଟରୁ ଭାଲୁଛୁଆ ଧରାଯାଇଥିବାରୁ କିଏ ଆଣି ଏଠାରେ ଛାଡ଼ିଲା ତାହା ଖୋଜିବା ବନ ବିଭାଗ ପାଇଁ ଚାଲେଞ୍ଜ୍ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ତଥା ଡେପୁଟି କନଜରଭେଟର୍ ରମାକାନ୍ତ ନାୟକ। ଏହା ସହିତ ଏହି ବଡ଼ ଭାଲୁଗୁଡ଼ିକ ଦେଖାଯାଉଥିବ ରେଞ୍ଜ୍‌ଗୁଡ଼ିକୁ ମଧ୍ୟ ଖବର ଦିଆଯାଇଥିବା ଶ୍ରୀ ନାୟକ କହିଛନ୍ତି।

ଅପରପକ୍ଷରେ ଗଙ୍ଗପଡ଼ାରୁ ଉଦ୍ଧାର ଭାଲୁଛୁଆଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସର ସଂଗରୋଧ କକ୍ଷରେ ଏକାଠି ରଖାଯାଇଛି। ସେଠାରେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେମାନଙ୍କୁ ଲାକ୍ଟୋଜେନକୁ ପାଣିରେ ମିଶାଇ ବୋତଲରେ ପିଇବାକୁ ଦିଆଯାଇଛି। ଏହା ସହିତ ଗ୍ରାଇପ୍ ୱାଟର୍, ଭିଟାମିନ୍ ଓ କ୍ୟାଲ୍‌ସିୟମ୍ ମଧ୍ୟ ଖାଇବାକୁ ଦିଆଯାଇଛି। ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା ଆସି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୦୯ରେ ଭୁବନେଶ୍ବରର ସରକନ୍ତରା ଅଞ୍ଚଳରୁ ପ୍ରଥମେ ଗୋଟିଏ ଭାଲୁଛୁଆ ଉଦ୍ଧାର ହୋଇଥିଲା। ତାକୁ କିଛି କୁକୁର ଆକ୍ରମଣ କରୁଥିବା ବେଳେ ବନ ବିଭାଗ ଉଦ୍ଧାର କରିଥିଲା। ଭାଲୁଛୁଆଟି କେଉଁଠୁ ଆସିଲା କିଏ ଆଣିଲା ତା’ର ଲିଙ୍କ୍ ବାହାରି ପାରିନଥିଲା। ୧୨ ବର୍ଷ ପରେ ପୁଣି ଏକ ସଙ୍ଗେ ୭ ଭାଲୁଛୁଆ ଉଦ୍ଧାର ହେବା ପରେ ଏହା ରୢାକେଟ୍ ପଛରେ କିଏ କାମ କରୁଛି ତାକୁ ଖୋଜିବାରେ ବନ ବିଭାଗ ସଫଳ ହେବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର