ମୋବାଇଲ୍ ଲୁଟେରାଙ୍କ ଉତ୍ପାତ, ମୁଥ ମାରିଲେ, ଚୁଟି ଟାଣି ଘୋଷାଡ଼ିଲେ

ଭୁବନେଶ୍ବର: ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ କିଛି ଦିନ ହେଲା ସହର‌ ଓ ଉପକଣ୍ଠରେ ଚୋରି, ଛିନ୍‌ତାଇ ବଢ଼ିବାରେ ଲାଗିଛି। ଗତକାଲି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସଙ୍କ ହାତରୁ ମୋବାଇଲ୍ ଛଡ଼ାଇବାକୁ ଯାଇ ଲୁଟେରାମାନେ ତାଙ୍କ ମୁହଁକୁ ମୁଥ ମାରିବା ସହିତ ଚୁଟି ଟାଣି ରାସ୍ତାରେ ଘୋଷାଡ଼ି ପକାଇଛନ୍ତି। ଏହା ପରେ ତାଙ୍କ ମୋବାଇଲ୍ ଝାମ୍ପି ନେଇ ଫେରାର୍ ହୋଇଯାଇଛନ୍ତି।

ଏନେଇ ଲୁଟ୍‌ର ଶିକାର ହୋଇଥିବା ନର୍ସ ଯୁବତୀ ଲକ୍ଷ୍ମୀପ୍ରିୟା ସାହୁ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ସେ ମାର୍କେଟିଂ ସାରି ଷ୍ଟାର୍‌ ସିଟିସ୍ଥିତ ହଷ୍ଟେଲକୁ ଫେରୁଥିବା ବେଳେ ଲୁଟେରାଦ୍ବୟ ତାଙ୍କୁ ଏମିତି ଆକ୍ରମଣ କରି ଲୁଟିଥିଲେ।

ସେହିଭଳି ଆଜି ପୁରୁଣା ଭୁବନେଶ୍ବରସ୍ଥିତ ପୋଷ୍ଟ ଅଫିସ୍ ନିକଟରେ ଟ୍ୟୁସନ୍ ଶିକ୍ଷୟିତ୍ରୀ ଆଲିସା କୁମାରୀ ଲୁଟ୍‌ର ଶିକାର ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ ଆଜି ୫ଟା ବେଳେ ସେ ଗୋସାଗରେଶ୍ବର ଛକରୁ ବ୍ୟାଙ୍କ୍‌ କଲୋନି ଯାଉଥିବା ବେଳେ ଏକ ଆପାଚି ବାଇକ୍‌ରେ ୨ଜଣ ଲୁଟେରା ତାଙ୍କୁ ଅଟକାଇଥିଲା। ଠିକଣା ପଚାରିବା ବାହାନାରେ ତାଙ୍କ ପାଖରୁ ମୋବାଇଲ୍ ଝାମ୍ପିନେଇଥିଲେ। ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର