କାର୍‌ ପାଇଁ ଟଙ୍କା ନ ଦେବାରୁ ପତ୍ନୀକୁ ମାଡ଼ମାରି ଘରୁ ତଡ଼ିଦେଲା

ଭୁବନେଶ୍ବର: କାର୍‌ କିଣିବା ପାଇଁ ବାପଘରୁ ୨ଲକ୍ଷ ଟଙ୍କା ଯୌତୁକ ନ ଆଣିବାରୁ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରି ଘରୁ ତଡ଼ିଦେବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ମହିଳା ପ୍ରଭାତୀ ବେହେରାଙ୍କ ମା’ ବାସନ୍ତୀ ଆଜି ଏହି ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ, ୪ ଦିନ ହେଲା, ପ୍ରଭାତୀଙ୍କ ପତ୍ତା ମିଳୁନଥିବାରୁ ତାଙ୍କ ସହ କିଛି ଅପରାଧ ଘଟିଥିବା ଓ ଏଥିରେ ତାଙ୍କ ଜ୍ବାଇଁ ଉମେଶ ବେହେରାଙ୍କ ହାତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ପୁଲିସ୍‌ ପ୍ରଭାତୀ ଓ ଉମେଶ ରହୁଥିବା ପାଲାମଣ୍ଡପସ୍ଥିତ ଭଡ଼ାଘର ଯାଞ୍ଚ କରିଛି।

କେନ୍ଦ୍ରାପଡ଼ା ମାର୍ଶାଘାଇସ୍ଥିତ ବେରୁହାଁ ଗାଁର ବାସନ୍ତୀଙ୍କ ଅଭିଯୋଗ ମୁତାବକ, ୬ ବର୍ଷ ତଳେ ଝିଅ ପ୍ରଭାତୀକୁ ପାଟକୁରା ମାଣିକପୁର ବାଉରୀ ବେହେରାଙ୍କ ପୁଅ ଉମେଶ ବେହେରାଙ୍କ ସହ ବାହାଘର କରାଇଥିଲେ। ଉମେଶ ଭୁବନେଶ୍ବରସ୍ଥିତ ଏକ୍ସପୋର୍ଟ କମ୍ପାନିରେ କାମ କରୁଥିବା ବେଳେ ରସୁଲଗଡ଼ରେ ଭଡ଼ାରେ ରହୁଥିଲେ। ଉମେଶଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ନଥିଲା। ସେଥିପାଇଁ ସେ ବିଭିନ୍ନ ସମୟରେ ବାପଘରୁ ଟଙ୍କା ଆଣିବାକୁ ପ୍ରଭାତୀ ଉପରେ ଚାପ ପକାଉଥିଲା। ଟଙ୍କା ନ ଦେଲେ ଉମେଶ ତାଙ୍କୁ ବିଭିନ୍ନ ସମୟରେ ମାର୍‌ଧର୍ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ବର୍ଷେ ତଳେ, ଉମେଶ ଏକ ବାଇକ୍ କିଣିବା ପାଇଁ ପ୍ରଭାତୀଙ୍କୁ ତାଙ୍କ ବାପଘରୁ କିଛି ଟଙ୍କା ଆଣିବାକୁ କହିଥିଲେ।

ଲୋନ୍‌ରେ ଆସିଥିବା ବାଇକ୍‌ର କିସ୍ତି ସୁଝା ସରିନଥିବା ବେଳେ କିଛି ଦିନ ତଳେ ଏକ କାର୍ କିଣିବା ପାଇଁ ଉମେଶ ପୁଣି ୨ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେ ଗତ ଅଗଷ୍ଟରେ ପ୍ରଭାତୀଙ୍କୁ ମାରଧର କରିଥିଲେ ବୋଲି ବାସନ୍ତୀ ଏତଲାରେ ଦର୍ଶାଇଛନ୍ତି।

ଗତ ୩୧ ତାରିଖ ବିଳମ୍ବିତ ରାତିରେ ବି ଉମେଶ ତାଙ୍କୁ ମାଡ଼ ମାରିବା ସହ ଟଙ୍କା ନ ଆଣିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଏ ସଂପର୍କରେ ପ୍ରଭାତୀ ମା’ଙ୍କୁ ଜଣାଇଥିଲେ। ତା’ ପରଠାରୁ ତାଙ୍କ ଝିଅ ନିଖୋଜ ହୋଇଯାଇଛନ୍ତି। ଆଜକୁ ପ୍ରାୟ ୪ଦିନ ବିତିଥିଲେ ବି ଝିଅର ପତ୍ତା ନ ମିଳିବାରୁ ବାସନ୍ତୀ ଜ୍ବାଇଁ ଉମେଶଙ୍କ ସମେତ ଶ୍ବଶୁରଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର