ଭୁବନେଶ୍ବର: ଦୋକାନୀ ମୃଦୁ ପାନୀୟ ଦେଲେନି ବୋଲି ଗତକାଲି ରାତିରେ ପାଣ୍ଡରାରେ ଲଙ୍କାକାଣ୍ଡ ଘଟିଛି। ଗୋଷ୍ଠୀ ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଦୁଇ ପକ୍ଷଙ୍କ ଭିତରେ ହୋଇଥିବା ପିଟାପିଟିରେ କିଛି ଗଣ୍ଡଗୋଳକାରୀ ଆହତ ହୋଇଥିବା ବେଳେ ୪/୫ଟି ବାଇକ୍ ଓ ୨ଟି କାର୍ ଭାଙ୍ଗିଛି। ଏହି ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ଉଭୟ ପକ୍ଷରୁ ୯ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଟିଏ ପକ୍ଷର ସୌଭାଗ୍ୟଜିତ୍ ପ୍ରଧାନ ଓରଫ୍ ଓମ୍(୧୯), ସୌରଭ ଶାଶ୍ବଜିତ୍ ପ୍ରଧାନ ଓରଫ୍ ସୋନୁ(୨୧), ସରୋଜ ବେହେରା ଓରଫ୍ ସୋନୁ(୨୫), ପ୍ରଭାତ ବେହେରା ଓରଫ୍ ଲିଟୁ(୨୨), ଅନୀଲ କୁମାର ସ୍ବାଇଁ ଓରଫ୍ ପିଲୁ(୧୯) ଏବଂ ଜଙ୍କିଆ ଅଞ୍ଚଳର ସୁମିତ କୁମାର ଜେନା ଓରଫ ଦିଲୁ(୨୦)। ସେହିଭଳି ଅପରପକ୍ଷରୁ ପାଣ୍ଡରା ଜେନାସାହିର ସୁବ୍ରତ ସୁବୁଦ୍ଧି ଓରଫ୍ ଆକାଶ(୨୪), ସୁନୀଲ ସୁବୁଦ୍ଧି ଓରଫ୍ ସୂଜନ(୨୫) ଏବଂ ଅରୁଣ ବେହେରା(୨୮)। ପୁଲିସ ସେମାନଙ୍କଠାରୁ କିଛି ମାରଣାସ୍ତ୍ର ଜବତ କରିଛି।
ସୂଚନା ମୁତାବକ ଗତ ୨୭ ତାରିଖ ରାତିରେ ପାଣ୍ଡରା ଅଞ୍ଚଳର ସୁରେଶ ସୁବୁଦ୍ଧି ଗାଁ ଛକରେ ଥିବା ତାଙ୍କ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଓମ୍, ସୋନୁ, ସରୋଜ, ଲିଟୁ, ପିଲୁ, ଦିଲୁ ଏବଂ ସେମାନଙ୍କ ସହଯୋଗୀମାନେ ଦୁଇଟି କାର୍ ଓ ୭ ବାଇକ୍ରେ ସେଠାରେ ପହଞ୍ଚି ସୁରେଶଙ୍କୁ ମୃଦୁ ପାନୀୟ ମାଗିଥିଲେ। ଦୋକାନ ବନ୍ଦ ହୋଇସାରିଥିବାରୁ ସୁରେଶ ମୃଦୁ ପାନୀୟ ଦେବାକୁ ମନାକରିଥିଲେ। ଏଥିରେ ସେମାନେ ରାଗିଯାଇ ସୁରେଶଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ଏହା ଦେଖି ସେଠାରେ ଥିବା ନାରାୟଣ ସୁବୁଦ୍ଧି ଓ ସରୋଜ ସୁବୁଦ୍ଧି ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏମିତିକି ସେମାନେ ସୁବୁଦ୍ଧି ଗୋଷ୍ଠୀର ତିନି ଯୁବକଙ୍କଠାରୁ ଦୁଇଟି ଆଇ-ଫୋନ୍ ଏବଂ ଟଙ୍କା ଛଡାଇ ନେଇଥିଲେ। ଏତିକିରେ ସେମାନଙ୍କ ରାଗ ଥମିନଥିଲା। ସେମାନେ ସୁରେଶଙ୍କ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଜିନିଷପତ୍ର ଏଣେତେଣେ ଫୋପଡ଼ାଫିଙ୍ଗା କରିଥିଲେ। ଗଣ୍ଡଗୋଳ କରି ସେମାନେ ଗାଁକୁ ଚାଲିଯିବା ପରେ ସୁବୁଦ୍ଧି ଗୋଷ୍ଠୀ ଏକାଠି ହୋଇଯାଇଥିଲେ। ପୁଣି ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଯାଇଥିଲା। ପିଟାପିଟିରେ କାର୍ ଓ ବାଇକ୍ ଭାଙ୍ଗି ଯାଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜୁକରିଛି।