ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଅଳିଆ ବୋହୁଥିବା ଗାଡ଼ିର ୩ ଚାଳକଙ୍କୁ ମାଡ଼ ମାରିବା ଓ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ ଜଣ ପ୍ଲାଷ୍ଟିକ୍ ଗୋଟାଳିଙ୍କୁ ଗିରଫ କରିଛି। ସେମାନେ ହେଲେ ଧିରିକୁଟ୍ ବସ୍ତିର ଲକ୍ଷ୍ମଣ ମୁର୍ମୁ(୨୧), ସୁଶିଲ କୁମାର ହେମ୍ବ୍ରମ୍(୨୮), ଧୀରେନ ମୁର୍ମୁ(୨୨), ରଞ୍ଜନ ତିରିଆ(୨୫), ସିଦମ ହାଂସଦା(୨୦), ଲିପୁନ ରାଉଳ(୨୪), ରଘୁ ହେମ୍ବ୍ରମ୍ବ(୨୦) ଏବଂ ଲିବୁ ମୁର୍ମୁ(୨୦)। ଘଟଣାଟି ଘଟିଥିଲା ସୈନିକ ସ୍କୁଲ ନିକଟ ଡମ୍ପିଂୟାର୍ଡରେ।
ସୂଚନା ମୁତାବକ, ବୁଧବାର ଅପରାହ୍ନ ପାଖାପାଖି ସାଢ଼େ ୨ଟା ସମୟରେ ଜାଗୃତିର କେତେକ ଗାଡ଼ି ଅଳିଆ ନେଇ ସୈନିକ ସ୍କୁଲ୍ ନିକଟ ଡମ୍ପିଂୟାର୍ଡକୁ ଯାଇଥିଲା। ସେହି ସମୟରେ ଅଭିଯୁକ୍ତମାନେ ଗାଡ଼ିରୁ ପ୍ଲାଷ୍ଟିକ ସାମଗ୍ରୀ ନେବାକୁ ଚଢ଼ି ଯାଇଥିଲେ। ଫଳରେ ଗାଡ଼ିରୁ ଆବର୍ଜନା ବାହାର କରିବାରେ ସମସ୍ୟା ହୋଇଥିଲା। ତେଣୁ ଚାଳକମାନେ ସେମାନଙ୍କୁ ବିରୋଧ କରିଥିଲେ ଓ ଅଳିଆ ତଳେ ଗଦା ହେବା ପରେ ଯାହା ନେବା କଥା ନିଅ ବୋଲି କହିଥିଲେ। କିନ୍ତୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଅଭିଯୁକ୍ତମାନେ ରାଗିଯାଇ ଗାଡ଼ିଗୁଡ଼ିକ ଉପରକୁ ଟେକାପଥର ମାଡ଼ କରିଥିଲେ। ଫଳରେ ଗାଡ଼ିଗୁଡ଼ିକର କାଚ ଭାଙ୍ଗିବା ସହ ୩ଜଣ ଚାଳକ ଆହତ ହୋଇଥିଲେ। ଖବରପାଇ ସହିଦନଗର ଥାନା ପିସିଆର୍ ଭ୍ୟାନ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଫେରାର୍ ହେବାକୁ ଉଦ୍ୟମ କରିଥିବା ବେଳେ ୩ ଜଣଙ୍କୁ କାବୁ କରାଯାଇଥିଲା। ଆହତ ଗାଡ଼ିଚାଳକ ମେଘନାଦ ବିଜୁଳିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିଥିଲା।