ଭୁବନେଶ୍ବର: ଚେକିଂ ବେଳେ ଟ୍ରାଫିକ୍ ପୁଲିସକୁ ମାଡ଼ ମାରିବା ଘଟଣାରେ ସହିଦନଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଭଞ୍ଜନଗର ମୋଜଗଡ଼ ଅଞ୍ଚଳର ଗୌରବ ଦିଗଲ(୨୪) ଓ ବାଣପୁର ଅଞ୍ଚଳର ଉମାକାନ୍ତ ନାୟକ(୨୧)। ନାବାଳକକୁ ବାଳ ସୁଧାରଗୃହକୁ ପଠାଇଦିଆଯାଇଛି।
ପୁଲିସ ସୂଚନା ମୁତାବକ ଗତ ରବିବାର ସନ୍ଧ୍ୟାରେ ଏସ୍ପ୍ଲାନେଡ୍ ଛକରେ ଟ୍ରାଫିକ୍ ପୁଲିସ ଚେକିଂ କରୁଥିଲା।
ଏତିକିବେଳେ ବମିଖାଲ ପଟୁ ଗୌରବ, ଉମାକାନ୍ତ ଓ ନାବାଳକ ତିନିଜଣ ବିନା ହେଲ୍ମେଟ୍ରେ ଏକ ବାଇକ୍ରେ ଯାଉଥିବା ଦେଖି ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ଟ୍ରାଫିକ୍ କର୍ମଚାରୀ ଦିଲ୍ଲୀପ ମହାରଣାଙ୍କ ମୁହଁକୁ ଶକ୍ତ ମୁଥ ମାରିଥିଲେ। ଫଳରେ ତାଙ୍କ ନାକ ଫାଟିଯାଇଥିଲା। ଏହି ମଉକାରେ ତିନି ଜଣଯାକ ବାଇକ୍ ସହ ଫେରାର୍ ହୋଇଯାଇଥିଲେ।