ଜ୍ବାଇଁ ସମେତ ଶ୍ବଶୂର ଘରଲୋକଙ୍କୁ ନିସ୍ତୁକ ମାଡ଼, ୪ ଗୁରୁତର

ଭୁବନେଶ୍ବର: ଝିଅକୁ ମାଡ଼ ମାରି ଘରୁ ତଡ଼ି ଦେବାରୁ ଜ୍ବାଇଁ ସମେତ ଶ୍ବଶୂରଘର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ବାପା ଓ ଭାଇ। ଏନେଇ ଆଜି ଭରତପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବନମାଳୀ ମାଝୀଙ୍କ ଝିଅ ଗତ କିଛି ମାସ ତଳେ ତାଙ୍କ ପଡ଼ୋଶୀ ଲକ୍ଷ୍ମଣ ସାହୁଙ୍କ ପୁଅକୁ ପ୍ରେମ ବିବାହ କରିଥିଲେ। ବାହାଘରରେ ଦୁଇ ପରିବାରର ସମ୍ମତି ନଥିବାରୁ ନବଦମ୍ପତି ଘର ଛାଡ଼ି ଅନ୍ୟତ୍ର ରହିଥିଲେ। ତେବେ ଆପୋସ ସମାଧାନ ପରେ ଦୁହେଁ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଲକ୍ଷ୍ମଣଙ୍କ ପରିବାରଲୋକେ ଯୌତୁକ ଦାବି କରି ବନମାଳୀଙ୍କ ଝିଅକୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ।

ଏହାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଆଜି ବନମାଳୀ ଓ ତାଙ୍କ ପୁଅ ଶଙ୍କର ଜ୍ବାଇଁ କାହ୍ନାଙ୍କୁ ନିସ୍ତୁକ ପିଟିଥିଲେ। କାହ୍ନାର ବଡ଼ଭାଇ କୃଷ୍ଣ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମଧ୍ୟ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ପରେ ୨ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବନମାଳୀ ଓ ତାଙ୍କ ପୁଅ ଶଙ୍କରଙ୍କ ଆକ୍ରମଣରେ ଜ୍ବାଇଁ କାହ୍ନା ସମେତ, କୃଷ୍ଣ, ଚୁଇଁ, କୁନା ପ୍ରମୁଖ ଗୁରୁତର ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର