ଭୁବନେଶ୍ବର: ନା‌ବାଳକ ପୁଅକୁ ଲୁହା ରଡ୍‌ ଚେଙ୍କ ଦେବା ସହ ଗଳା ଚିପି ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ନିର୍ଦ୍ଦୟ ସାବତ ବାପାକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପଳାଶପଲ୍ଲୀ ସାଇରାମ ବସ୍ତିର ସନ୍ ତୋଷ କୁମାର ବଳିୟାରସିଂହ(୩୦)। ପୁଲିସ ସୂଚନାନୁସାରେ ସନ୍ତୋଷଙ୍କ ସ୍ତ୍ରୀ ପୂର୍ବରୁ ବିବାହିତା ଥିଲେ। ପାରିବାରିକ କଳହରୁ ସେ ବଡ଼ପୁଅ ଓ ସ୍ବାମୀଙ୍କୁ ଛାଡ଼ି ସାନ ପୁଅକୁ ଧରି ଏକାକୀ ରହୁଥିଲେ। ପରେ ସନ୍ତୋଷଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ। ସନ୍ତୋଷ ପେସାରେ ଜଣେ ଗାଡ଼ିଚାଳକ।

Advertisment

ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା। କିନ୍ତୁ ଏହା ପରେ ସନ୍ତୋଷ ପ୍ରତିଦିନ ମଦ ପିଇ ମା’ ଓ ପୁଅକୁ ମାରଧର କରିବାକୁ ଲାଗିଲା। ତେଣୁ ମହିଳା ଜଣଙ୍କ ପୁଅକୁ ହଷ୍ଟେଲରେ ରଖି ପଢ଼ାଉଥିଲେ। ଏବେ ଖରାଛୁଟି ଥିବାରୁ ପୁଅ ମା’ ପାଖରେ ରହୁଛି। ଗତ ୧୧ ତାରିଖ ସନ୍ଧ୍ୟାରେ ସନ୍ତୋଷ ମଦ ପିଇ ଘରକୁ ଫେରିଥିଲା। ଏକ ଲୁହା ରଡ୍‌କୁ ଗରମ କରି ପୁଅକୁ ଚେଙ୍କ ଦେଇଥିଲା। ଏମିତିକି ଗଳା ଚିପି ମାରିଦେବାକୁ ଉଦ୍ୟମ କରିଥିଲା। ମହିଳାଜଣଙ୍କ ପୁଅକୁ ରକ୍ଷା କରିବାକୁ ଯାଇ ପ୍ରତିରୋଧ କରିବାରୁ ସନ୍ତୋଷ ତାଙ୍କୁ ବି ପ୍ରବଳ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲା। ପଡ଼ୋଶୀମାନଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ନାବାଳକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।