ଭୁବନେଶ୍ବର: ମାସ ପରେ ମାସ ଗଡ଼ୁଛି। କାମ ଆଗେଇପାରୁନି। କେତେବେଳେ ଛାତ୍ର ସଙ୍ଗଠନଙ୍କ ବିରୋଧ ତ ଆଉ କେବେ ସାଧାରଣ ନିର୍ବାଚନ ପାଇଁ ପ୍ରକଳ୍ପ ଅଟକୁଛି। ଏମିତି ଛକାପଞ୍ଝା ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣଧୀନ ବିଡିଏ ପ୍ରକଳ୍ପ କାମ ଶେଷ ହୋଇପାରୁନାହିଁ। କ୍ୟାମ୍ପସ୍‌ ପରିସର ଦେଇ ଯାଇଥିବା ପ୍ରାକୃତିକ ଡ୍ରେନ୍‌-୪କୁ ସଫା କରାଯିବା ସହ ଏଠାରେ ଆବର୍ଜନା ଓ ପାଣିକୁ ଅଲଗା କରିବାକୁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ତାହା ଏବେ ବୁମେରାଂ ସାବ୍ୟସ୍ତ ହୋଇଛି। ସହରରୁ ନିର୍ଗତ ହେଉଥିବା ଆବର୍ଜନା ପାଣି ସହ ପ୍ଲାଷ୍ଟିକଗୁଡ଼ିକ ଏଠାରେ ଅଲଗା ହେବ କ’ଣ ଏବେ ଜମା ହୋଇ ରହିଛି। ଗୋଟିଏ କି ଦୁଇ ମିଟର ପର୍ଯ୍ୟନ୍ତ ନୁହେଁ, ବରଂ ୫୦୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ଆବର୍ଜମା ଡ୍ରେନ୍‌ ମଧ୍ୟରେ ପଡ଼ିରହିଛି। ଯାହାକି ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି।

Advertisment

ଠିକାଦାରଙ୍କୁ କାମ ହସ୍ତାନ୍ତର କରି ବିଡିଏ ଅଧିକାରୀମାନେ ଚୁପ୍‌ ବସିପଡ଼ିଛନ୍ତି। ସେପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଡିଏକୁ ୨୦ ଏକର ଜମିର ଏନ୍‌ଓସି ଦେଇଛନ୍ତି। କାମ କେତେ ଆଗେଇଲା? କେବେ ସୁଦ୍ଧା କାମ ଶେଷ ହେବ? ସୌନ୍ଦର୍ଯ୍ୟୀକରଣ କେବେ ସରିବ? ସେନେଇ କେହି ବି ଅନୁଧ୍ୟାନ କିମ୍ବା ସମୀକ୍ଷା କରୁନାହାନ୍ତି। ପରିଣାମ ସ୍ବରୂପ ‌ଏବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ପାଇଁ ଆବର୍ଜନା ବିପଦ ସୃଷ୍ଟି କରିଛି। ବର୍ଷେ ହେଲା ପାଖାପାଖି ତିନି ଟ୍ରକ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ଡ୍ରେନ୍‌ ମଧ୍ୟରେ ଜମା ହୋଇରହିଛି।   ନିୟମିତ ବ୍ୟବଧାନରେ ସେଗୁଡ଼ିକୁ ଉଠାଯାଉ ନଥିବାରୁ କ୍ୟାମ୍ପସ୍‌ରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଆଗକୁ ବିଶ୍ବବିଦ୍ୟାଳୟ ଖୋଲିବାକୁ ଥିବାରୁ ତୁରନ୍ତ ସେଗୁଡ଼ିକୁ ହଟାଇବାକୁ ଛାତ୍ର ସମ୍ବିତ୍‌ ମହାନ୍ତି ଦାବି କରିଛନ୍ତି। ଯେତିକି ଆବର୍ଜନା କଢ଼ା ଯାଇଛି ତାହାକୁ ବି ସ୍ଥାନାନ୍ତର କରାଯାଇ ନାହିଁ। ବରଂ ଡ୍ରେନ୍‌ ପାର୍ଶ୍ବରେ ଜମା କରାଯାଇଛି। ଅଧିକ ବର୍ଷା ହେଲେ ତାହା ପୁଣିଥରେ ଡ୍ରେନ୍‌ରେ ମିଶୁଛି। ପୁନଃରୁଦ୍ଧାର ହୋଇଥିବା ୫ଟି ପୋଖରୀ ଏବେ ପୁଣିଥରେ ଆବର୍ଜନାରେ ଭର୍ତ୍ତି ହେବାକୁ ବସିଲାଣି।

ବାଣୀବିହାର ସୌନ୍ଦର୍ଯ୍ୟୀକରଣ: ଠିକାଦାରକୁ କାମ ଧରାଇ ବିଡିଏ ଚୁପ୍‌, କ୍ୟାମ୍ପସ୍‌ ଭିତର ଡ୍ରେନ୍‌ରେ କୁଢ଼କୁଢ଼ ଆବର୍ଜନା

ଡ୍ରେନ୍‌ ନିକଟରେ ଥିବା ‌ଖୋଲା ସ୍ଥାନରେ ବୃକ୍ଷରୋପଣ କରାଯାଇ ସବୁଜିମାରେ ପରିପୂର୍ଣ୍ଣ କରିବାକୁ କୁହାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଗେଇପାରି ନାହିଁ। ଗୋଟିଏ ବର୍ଷା ଋତୁ ସରିଯାଇଥିଲେ ମଧ୍ୟ ଗୋଟିଏ ବି ଗଛ ଲଗାଯାଇନାହିଁ। ପୂର୍ବରୁ ଯେଉଁ ଗଛ ଥିଲା ତାହା ସେହିଭଳି ରହିଛି। ଛାତ୍ରଛାତ୍ରୀଙ୍କ ବସିବା ପାଇଁ କଂକ୍ରିଟ୍‌ ଚେୟାର, ପଢ଼ିବା ପାଇଁ ବିସ୍ତୀର୍ଣ୍ଣ ପରିସର, ମୁକ୍ତାକାଶ ବ୍ୟାୟାମଶାଳା, ଲନ୍‌ ଆଦି ନିର୍ମାଣ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକଳ୍ପ ସମୟରେ କୁହାଯାଇଥିଲା ଯେ ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନରୁ ଡିଡିସିଇ, ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପ୍ରେସ୍‌କୁ ସିଧାସଳଖ ଯିବାର ବ୍ୟବସ୍ଥା କରାଯିବ। ତାହାର ରୂପରେଖ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏବେ ମାଟି ସହ ପେଭର୍‌ ବ୍ଲକ୍‌ ବିଛା କାର୍ଯ୍ୟ ଜାରି ରହିଛି। ମୁକ୍ତାକାଶ ମଞ୍ଚ କାମ ଅଧାରେ ରହିଛି। ଏକ ନମ୍ବର ଛାତ୍ରାବାସକୁ ଲାଗି ରହିଥିବା ଗୋବିନ୍ଦ ସାହୁ ମାର୍କେଟ୍‌ର ବିକାଶ କାର୍ଯ୍ୟ ଆଗେଇପାରିନାହିଁ। ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ କାମ ସାମାନ୍ୟ ମନ୍ଥର ଗତିରେ ହେଉଛି। ଡ୍ରେନ୍‌ ନିକଟରେ ଥିବା ୫ଟି ପୋଖରୀ ପୁନଃରୁଦ୍ଧାର କରିବାକୁ ବହୁତ ସମୟ ଲାଗିଥିଲା। ବିଶେଷକରି ବର୍ଷା ଯୋଗୁ ୪ ମାସ ଏଠାରେ କାମ କରିବାକୁ ସମ୍ଭବପର ହୋଇ ନଥିଲା। ତେଣୁ ବିଳମ୍ବ ହୋଇଛି। ତଥାପି ୨୦୨୬ ମାର୍ଚ୍ଚ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି। ନିୟମିତ ବ୍ୟବଧାନରେ ପ୍ରକଳ୍ପର ସମୀକ୍ଷା କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।