ବୟସ ପାଖାପାଖି ୮୦ ହେଲାଣି। କିନ୍ତୁ ସୁର ଭାଇଙ୍କ କଥା କୋଉ ଗୁଣରେ ୨୧ ବର୍ଷର ଯୁବକଙ୍କଠାରୁ କମ୍ ନୁହେଁ। ୭ରୁ ୭୦ ସମସ୍ତଙ୍କର ସେ ସୁର ଭାଇ। ଜୟଦେବ ଭବନ ସାମ୍ନା ଏବେ ଭୁବନେଶ୍ବରର ସବୁଠାରୁ ବଡ଼ ଖଟି ସ୍ଥଳୀ। ସବୁ ବର୍ଗର ଲୋକ ସକାଳୁ ବିଳମ୍ବିତ ରାତି ଯାଏ ଏଠି ଦଳ ଦଳ ହୋଇ ବସି ଖଟି କରନ୍ତି। ଗହଳି ଚହଳି ସବୁବେଳେ ଲାଗିଥାଏ। ଆଉ ଯେତେବେ‌ଳେ ସୁର ଭାଇଙ୍କ ସ୍କର୍ପିଓ ଲାଗିଯାଏ, ସେତେବେଳେ ସେହି ଜାଗାଟିର ପାଣିପାଗ ବଦଳିଯାଏ। ଖରା ଦିନ ହେଉ କି ଶୀତ ଦିନ, ସୁର ଭାଇ ଆସିଲେ କେବଳ ବସନ୍ତ ହିଁ ରାଜ୍ କରେ।

Advertisment

publive-image

ସୁର ଭାଇ ବି କାହାକୁ ନିରାଶ କରନ୍ତିନି। ଗାଡ଼ିରୁ ଓହ୍ଲାଇ ରେଡି ରେଡି କହି ମାଡ଼ିଯା’ନ୍ତି ଓମ୍‌ଫେଡ୍‌ ପାଖକୁ। ସଙ୍ଗେ ସଙ୍ଗେ ଗୋଟିଏ ଟୁଲ୍‌ ତାଙ୍କ ପାଇଁ ପଡ଼ିଯାଏ। ସୁର ଭାଇଙ୍କୁ ପାଖରେ ପାଇ ବହୁ ଲୋକ ନମସ୍କାର ପକାଇ ଚାଲନ୍ତି। କାହାକୁ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ ‘ଓଃ ବିଉଟିଫୁଲ୍‌’ କହି ପ୍ରତି ନମସ୍କାର ପକାଇବାକୁ ଆଦୌ ହେଳା କରନ୍ତି ନାହିଁ। ଆଉ ସଙ୍ଗେ ସଙ୍ଗେ ଡଜନେ ବୁମ୍‌ ଲାଗିଯାଏ ତାଙ୍କ ମୁହଁ ପାଖରେ। କ୍ୟାମେରା ଘେରିଯାଏ। ଋଷ୍‌-ୟୁକ୍ରେନ୍ ଯୁଦ୍ଧଠାରୁ ଆରମ୍ଭ କରି ଟୁଙ୍ଗୁର ଭୋଳ ପର୍ଯ୍ୟନ୍ତ ଯାହା ପଚାରିଲେ ବି ସୁର ଭାଇ ମିଡିଆକୁ ନିରାଶ କରନ୍ତିନି। ସବୁଥିରେ ମତ ଦିଅନ୍ତି। ଥରେ ଥରେ ତ ଆକାଶରୁ ଛିଣ୍ଡାଇ ଆଣି ଦି’ ପଦ କହିପକାନ୍ତି। ଆଉ ସୁର ଭାଇଙ୍କ କଥା ବି ସୋସିଆଲ୍‌ ମିଡିଆରେ ଛାଇଯାଏ। ହଁ, ମଝିରେ ମଝିରେ ଓମ୍‌ଫେଡ୍‌ରୁ ଚା’, ବିସ୍କୁଟ୍ ବରାଦ କରିବାକୁ ଭୁଲନ୍ତିନି।

-‌ଅମିତାଭ