ଫୁଲଠୁ ସୁନ୍ଦର କଣ୍ଟା

ଡିଜିଟାଲ୍‌ ଯୁଗରେ ପାଦ ଥାପିିଥିବା ମଣିଷ ଏବେ ଖାଲି ନିଜକୁ ସଜେଇବାକୁ ଚାହୁଁନି, ନିଜ ଘର ଓ କାର୍ଯ୍ୟାଳୟରେ ମଧ୍ୟ ନିଆରା ଛାପ ଛାଡ଼ିବାକୁ ଚାହୁଁଛି। ଛୋଟ ଫୁଲ ଗଛଠୁ ନେଇ ମନି ପ୍ଲାଣ୍ଟ୍‌ ଘରର ସୌନ୍ଦର୍ଯ୍ୟ ବଢ଼ାଉଥିବା ବେଳେ ଉଦ୍ୟାନରେ କାକ୍‌ଟସ୍‌ ପ୍ଲାଣ୍ଟ୍‌ ବା କଣ୍ଟାଜାତୀୟ ଗଛ ସାଜସଜ୍ଜାରେ ସ୍ୱତନ୍ତ୍ର ସ୍ଥାନ ନେଇଛି। ଫୁଲର ସ୍ଥାନ ନେଉଥିବା କଣ୍ଟା ବି କମ୍‌ ସୌନ୍ଦର୍ଯ୍ୟର ଅନୁଭବ ଦେଉନି। ଉଦ୍ୟାନର ସୌନ୍ଦର୍ଯ୍ୟ ବଢ଼ାଇବା ସହ ତା’ର ରଙ୍ଗ ବେରଙ୍ଗ ଫୁଲ ତାଜା ଅନୁଭବ ଦେଉଛି। ଏ ପ୍ରକାରର ଗଛ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାବ ପକାଉଥିବା ବିଶେଷଜ୍ଞମାନେ କୁହନ୍ତି। ଏହି କଣ୍ଟାଜାତୀୟ ଗଛର ବିଶେଷ ଯତ୍ନ ନେବାକୁ ପଡ଼ୁନଥିବା ବେଳେ ସଜେଇ ପାରିଲେ ଦେଖେଣାହାରୀଙ୍କ ମନ ଲାଖି ରୁହେ। ରାଜଧାନୀରେ ରହିଥିବା ଏଭଳି କାକ୍‌ଟସ୍‌ ଉଦ୍ୟାନ ଓ ଏସମ୍ପର୍କିତ ତଥ୍ୟକୁ ନେଇ ସସ୍ମିତା ମଲ୍ଲଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

୭/୮ ଦିନରେ ଥରେ ପାଣି ଦେବାକୁ ପଡ଼େ

କାକ୍‌ଟସ୍‌ରେ ନିଜ ଘରକୁ ସଜାଇଥିବା ସବିତା ମାର୍ଥା କୁହନ୍ତି କାକ୍‌ଟସ୍‌ରେ ଘର ସଜାଇଲେ ଏହା ସହିତ ବେଶି ପରିଶ୍ରମ କରିବାକୁ ପଡ଼େନି। କେବଳ ୭/୮ ଦିନରେ ଥରେ ପାଣି ଦେବାକୁ ପଡ଼େ। ଯଦି ଗଛ ମୂଳ ଓଦା ରହିଥିବ, ତା’ହେଲେ ପାଣି ଦେବାର ଆବଶ୍ୟକତା ପଡ଼େନି। ପୁଣି ଗଛରେ ପୋକ ଲାଗିଲେ ବାବିଷ୍ଟନ ପାଣିରେ ବୁଡ଼ାଇ ଏହାକୁ ପରିଷ୍କାର କରି ଶୁଖିଗଲା ପରେ ପୁଣି ଏହାକୁ କୁଣ୍ଡରେ ପୋତି ଦେଲେ ପୋକ ଲାଗିବାର ସମ୍ଭାବନା ନଥାଏ।

ରଙ୍ଗବେରଙ୍ଗ ଫୁଲ ଓ ବାସ୍ନାରେ ମହକାଏ

ଖରା ଦିନେ କାକ୍‌ଟସ୍‌ ଗଛରେ ଫୁଲ ଆସେ। ରଙ୍ଗବେରଙ୍ଗର ଫୁଲ ଫୁଟି ଗଛ ଓ ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସହ ଏଥିରୁ ବାହାରୁ ଥିବା ଚମତ୍କାର ବାସ୍ନାରେ ଆଖପାଖ ମହକେ। ଫୁଲ ଫୁଟିବା ପାଇଁ ଏହାର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିଥାଏ। ସଠିକ ତାପମାତ୍ରାରେ ଗଛକୁ ରଖିବା ଆବଶ୍ୟକ। ଘର ଭିତର ଅପେକ୍ଷା ବାହାରେ ବା ବଗିଚାରେ ରଖିଲେ ଖରା ପ୍ରଭାବରେ ଗଛଟି ଅଧିକ ଦିନ ବଞ୍ଚିରହେ। ୫୦ଟଙ୍କାରୁ ଆରମ୍ଭ ହୋଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ୍‌ ରହିଛି। ଭୁବନେଶ୍ୱରରେ ଏହାର ଚାହିଦା ବଢ଼ୁଥିବାରୁ ବ୍ୟବସାୟୀମାନେ ଚାଷ କରି ଭଲ ଲାଭ ପାଇପାରିବେ।

ମନ ମୋହୁଛି ୧୦୫୦ ପ୍ରଜାତିର କାକ୍‌ଟସ୍‌

ଏକାମ୍ର କାନନରେ ରହିଛି କାକ୍‌ଟସ୍‌ର ବିଶାଳ ସମ୍ଭାର। ଫେରୋ କାକ୍‌ଟସ୍‌, ଇଚେନେ ଗ୍ରୋସୋନି କାକ୍‌ଟସ୍‌, ମେଲୋ କାକ୍‌ଟସ୍‌, ଜେମନୋ କାଲସିୟମ, ବେହେନେ ବିଚି, ଇଚେନୋ ସିରିୟସ ପେକଟିନାଟା, ସିଲକୁରି ବଟିଆ କାନାଡ଼ିଆ, ମାମଲାରିଆ ପ୍ଲେମେସା, ମାମଲାରିଆ ଜେଲବିୟାନା, ପେରେଡ଼ିଆ ନିବୁସା, ନଟକାକ୍‌ଟସ୍‌ ମ୍ୟାନିଫିକ୍ସ, କାମ୍ବିଅ ସିରିଅସ ସେଲବାସଟି, ରିବୁଟିଆ, ହେମାଟୋ କାନ୍ଥସ, ଜେନେକାଲେସିୟମ, ମେଟାଲୋ ସିରିୟସ, ପରି ପ୍ରାୟ ୧୦୫୦ ପ୍ରଜାତିର କାକ୍‌ଟସ୍‌ ଦର୍ଶକଙ୍କ ମନ ମୋହୁଛି। ଏଥିରୁ ଅନେକ ଗଛ କୋଲକାତା, ମୁମ୍ବାଇ, ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଓ ପଞ୍ଜାବରୁ ଆସିଥିବା ବେଳେ ବହୁତ ଗଛକୁ କଲମୀକରଣ କରାଯାଇ ନୂଆ ରୂପେ ସୃଷ୍ଟି କରାଯାଇଛି।

ଏକାମ୍ର କାନନ ଦେଶର ଦ୍ୱିତୀୟ ବୃହତମ କାକ୍‌ଟସ୍‌ ଉଦ୍ୟାନ

ଅନେକ ହୁଏତ ଜାଣି ନ ଥିବେ ଯେ, ଏକାମ୍ର କାନନଠାରେ ଥିବା କାକ୍‌ଟସ୍‌ ଉଦ୍ୟାନ ଭାରତର ଦ୍ୱିତୀୟ ବୃହତ୍ତମ କାକ୍‌ଟସ୍‌ ଉଦ୍ୟାନ। ରାଜ୍ୟ ତଥା ଦେଶର ଅନେକ ସ୍ଥାନରୁ ବିଭିନ୍ନ ପ୍ରକାରର କାକ୍‌ଟସ୍‌ ଗଛ ଏଠାକୁ ଅଣାଯାଇଛି। କିଛି ଗଛକୁ ଏଠାରେ କଲମୀକରଣ ମଧ୍ୟ କରାଯାଉଛି। କାକ୍‌ଟସ୍‌ ଉଦ୍ୟାନର ସୁପରଭାଇଜର ହୃଷୀକେଶ ନାୟକଙ୍କ ମତରେ ଏହି ଉଦ୍ୟାନରୁ ଅନେକ ଲୋକ କାକ୍‌ଟସ୍‌ କିଣନ୍ତି। ଘର ସଜା ହେଉକି ବଗିଚାର ସାଜସଜ୍ଜା ପାଇଁ ଅନେକଙ୍କର କାକ୍‌ଟସ୍‌ ପ୍ରତି ଦୁର୍ବଳତା ବଢ଼ିବାରେ ଲାଗିଛି। ଏଠି କେବଳ କାକ୍‌ଟସ୍‌ ଉଦ୍ୟାନରେ ୬ଜଣ ଲୋକ କାମ କରନ୍ତି।ଏବେ ବି ଏଠାରେ ଗୋଟିଏ କିସମ ସହ ଅନ୍ୟ କିସମକୁ ମିଶାଇ କଲମୀକରଣ କରାଯାଇ ଅନେକ ନୂତନ ଗଛ ସୃଷ୍ଟି କରାଯାଉଛି।

ସମ୍ବନ୍ଧିତ ଖବର