ଏକ ସୁନ୍ଦର ‘ଗାଁ’ର ଅପେକ୍ଷାରେ…

ସୌଖୀନ ନାଟକ ପ୍ରତି ଦର୍ଶକଙ୍କ ଆକର୍ଷଣ ସ୍ୱାଗତଯୋଗ୍ୟ : ସୌମ୍ୟରଞ୍ଜନ

ଭୁବନେଶ୍ୱର: ଆଜି ବି ଗାଁ କଥା ମନେ ପଡ଼ିଲେ ମନେ ପଡ଼ିଯାଏ ଏକ ସବୁଜ ସୁନ୍ଦର ଛବିଟିଏ। ଏକ ସରଳ ସୁନ୍ଦର ସାତ୍ତ୍ୱିକ ଭାବନା ମନରେ ଉଙ୍କିମାରେ। କିନ୍ତୁ ସମୟ ବଦଳିବା ସହ ବଦଳି ଯାଇଛି ଗାଁର ପରିଭାଷା। ସମାଜର କିଛି ଅସାଧୁ ତଥା ସ୍ୱାର୍ଥନେ୍ଵଷୀ ଲୋକମାନଙ୍କ ଯୋଗୁଁ ଏଥିରେ ବିଷାକ୍ତ ବାତାବରଣ ଖେଳିଯାଇଛି। ତଥାପି ଆଶା ଓ ଅପେକ୍ଷା ଅଛି। କିଛି ଗୋଟେ ଘଟିବ ଓ ଆମ ଜେଜେ ମା’ ଅମଳର ଗାଁଟି ପାଲଟି ଯିବ ସେହି ଗାଁ। ଏଭଳି ଏକ କଳ୍ପିତ ବିଷୟବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଗାଁ’। ନାଟକଟି ରାଉଲକେଲାର ନାଟ୍ୟାନୁଷ୍ଠାନ ‘ରଙ୍ଗମଞ୍ଚ’ ପକ୍ଷରୁ ପରିବେଷିତ ହୋଇଥିଲା। ଏହାର କାହାଣୀ ରଣଜିତ ପଟ୍ଟନାୟକ ରଚନା କରିଥିବା ବେଳେ କୈଳାସ ପାଣିଗ୍ରାହୀ ନିର୍ଦ୍ଦେଶନା ଦେଇଥିଲେ। ‘ବିଦ୍ୟାକନକ ସୃଜନାନୁଷ୍ଠାନ’ ପକ୍ଷରୁ ଆୟୋଜିତ ନାଟ୍ୟ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିନ। ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ବର୍ତ୍ତମାନ ଓଡ଼ିଶାରେ ବ୍ୟାବସାୟିକ ନାଟକ ଅର୍ଥାତ୍‌ ଅପେରା ସଙ୍କଟ ଦେଇ ଗତି କରୁଥିବା ବେଳେ ସହରିଆ ଏବେ ସୌଖୀନ କଳାକାରମାନଙ୍କ ନାଟକ ପ୍ରତି ବେଶି ଆବେଗ ଦେଖାଉଛନ୍ତି। ଆସନ୍ତା ବର୍ଷଠାରୁ ଅପେରା ନାଟକର ଭବିଷ୍ୟତକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ। ଏଭଳି ଅବସ୍ଥାରେ ସୌଖୀନ ନାଟକ ପ୍ରତି ଦର୍ଶକଙ୍କ ଆକର୍ଷଣ ନିହାତି ଭାବେ ସ୍ୱାଗତଯୋଗ୍ୟ। ଦିନ ଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ନାଟକଟିଏ ପଡ଼ିଲେ ଦର୍ଶକଙ୍କ ଦେଖାନଥିଲା। କିନ୍ତୁ ବର୍ତ୍ତମାନ ସହର ବଢ଼ିବା ସହ ଲୋକଙ୍କ ଆଗ୍ରହ ବଢ଼ୁଛି; ପୁଣି ପ୍ରେକ୍ଷାଳୟ ବି ଭରିବାକୁ ଆରମ୍ଭ କଲାଣି। ମଣିଷ ଟଙ୍କା ପଛରେ ଦୌଡ଼ି ନିଜକୁ ସମୟ ଦେଇ ପାରୁନଥିବା ବେଳେ ସେହି ଦୌଡ଼ରେ ସାମିଲ କଳା ତଥା ନାଟ୍ୟପ୍ରେମୀ ଦର୍ଶକଙ୍କୁ ନାଟକ ଦେଖିବା ଲାଗି ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ରହିବା ନେଇ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମରେ ନାଟ୍ୟକାର ସଚ୍ଚି ଦାସଙ୍କୁ ‘ବିଦ୍ୟା କନକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାଦଙ୍କ ମଧ୍ୟରେ ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ରୋଟାରିଆନ୍‌ ସୌମ୍ୟରଞ୍ଜନ ମିଶ୍ର ଓ ଅଭିନେତା ଉଦୟନ ଅପରାଜିତ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଶୁଭକାନ୍ତ ପାଢ଼ୀ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର