ସୌନ୍ଦର୍ଯ୍ୟ ବିଗିଡ଼ିଗଲା : ତିନି ମାସରେ ସବୁ ଛାରଖାର, ଫୁଲକୁଣ୍ଡ ଚୋରାଇନେଲେ, ଘାସ ଷଣ୍ଢ ଖାଇଗଲେ

ଭୁବନେଶ୍ବର : ହକି ବିଶ୍ବକପ୍‌ ପାଇଁ ପୂରା ରାଜଧାନୀକୁ ସଜେଇଦେଲେ। କାନ୍ଥରେ ରଙ୍ଗବେରଙ୍ଗର ଚିତ୍ରରୁ ଆରମ୍ଭ କରି ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଛୋଟ ଫୁଲକୁଣ୍ଡ ଲଗାଇଦେଲେ। ରାସ୍ତାରେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ଗଛ ରଖିଲେ, ଆବର୍ଜନା ଯେପରି ରାସ୍ତାରେ ନପଡ଼ିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଟୁଇନ୍ ଡଷ୍ଟବିନ୍‌ ଲଗାଇଲେ। ଏଥିପାଇଁ ବିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲା। କିନ୍ତୁ ତିନି ମାସ ପରେ ସବୁ ଛାରଖାର ହୋଇଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯେଉଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କଲେ ତା’ର ଯତ୍ନ ନେଇନପାରିବାରୁ ଏହାର ଚିହ୍ନବର୍ଣ୍ଣ ହଜିଗଲାଣି।

ହକି ବିଶ୍ବକପ୍‌ ପାଇଁ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବିଏମ୍‌ସି ପକ୍ଷରୁ ବିମାନବନ୍ଦର ଛକରୁ ଆରମ୍ଭ କରି ନାଲ୍‌କୋ ଛକ, ରାଜଭବନରୁ କିଟ୍‌ ଛକ, ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରେ ଛୋଟ ଛୋଟ ପ୍ଲାଷ୍ଟିକ୍ କୁଣ୍ଡରେ ଫୁଲ ଗଛମାନ ଲଗାଇଲେ। ଏହାସହ ଏହି ରାସ୍ତାରେ ଡିଭାଇଡର୍ ଉପରେ ଏବଂ ଟ୍ରାଫିକ ପୋଷ୍ଟ ନିକଟରେ ବଡ଼ବଡ଼ କୁଣ୍ଡରେ ବିଭିନ୍ନ ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇଲେ। ଏହି ଫୁଲଗଛ ଓ ଅର୍ଣ୍ଣାମେଣ୍ଟାଲ ଗଛ ଯେପରି ବଞ୍ଚିବ ସେଥିପାଇଁ କିଛି ଦିନ ନିୟମିତ ପାଣି ଦେବା ସହ ଏହା ଉପରେ ନଜର ରଖିଲେ। ହେଲେ ମାସ କେଇଟା ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟଶୈଳୀ ପଦାକୁ ଆସିଛି।

ଏବେ ଅଧିକାଂଶ ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଫୁଲ କୁଣ୍ଡ ଷ୍ଟାଣ୍ଡ ଲାଗିଥିବାବେଳେ ଏଥିରେ ଫୁଲ କୁଣ୍ଡ ନାହିଁ। ରାତି ଅଧିଆ ଏହାକୁ କିଛି ଦୁର୍ବୃତ୍ତ ଚୋରାଇ ନେଇଛନ୍ତି। ଯେଉଁଠି ଫୁଲ ଗୁଣ୍ଡ ଅଛି ସେଠାରେ ଗଛ ଶୁଖି ମରିଗଲାଣି। ଆଉ କିଛି ସ୍ଥାନରେ ଏହି ଷ୍ଟାଣ୍ଡରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପତାକା ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ ପାୱାର ହାଉସ୍‌ ଛକରେ ଟ୍ରାଫିକ ପୋଷ୍ଟ ଉପରେ ୧୨ଟି ବଡ଼ କୁଣ୍ଡରେ ଅର୍ଣ୍ଣାମେଣ୍ଟାଲ ଗଛ ରଖାଯାଇଥିବାବେଳେ ଏଥିରୁ ଅଧିକାଂଶ କୁଣ୍ଡ ଭାଙ୍ଗି ଗଲାଣି। ଗଛଗୁଡ଼ିକ ବି ଖରାରେ ଶୁଖି ଝାଉଁଳି ଗଲାଣି।

କେବଳ ଏତିକି ନୁହେଁ। ସ୍ମାର୍ଟ ଜନପଥ ପ୍ରକଳ୍ପରେ ଶିଶୁଭବନରୁ ଅଶୋକନଗର ପର୍ଯ୍ୟନ୍ତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବା ସହ ଫୁଟପାଥ୍‌ରେ ଘାସ ଗାଲିଚା କରାଯାଇଥିଲା। ହେଲେ ଏହାକୁ ଷଣ୍ଢ ଖାଇଗଲେ। ଯାହା କିଛି ବଞ୍ଚିଥିଲା ଖରାରେ ଶୁଖିଗଲା। ଏହି ଘାସ ‌ଗାଈ, ଷଣ୍ଢ ଖାଇବେନି ବୋଲି କର୍ତ୍ତୃପକ୍ଷ କହୁଥିଲେ ହେଁ ପଲିଥିନ୍ ଖାଇଯାଉଥିବା ଷଣ୍ଢ ଏହି ଘାସକୁ ବି ଛାଡ଼ିଲେନି। ଯାହା ବି କିଛି ଘାସ ବଞ୍ଚିଥାନ୍ତା ଏଥିରେ ପାଣି ଦିଆନଯିବାରୁ ଏହା ଶୁଖିଗଲା।

ଟୁଇନ୍ ଡଷ୍ଟବିନ୍‌ କଥା ତ ତଦ୍ରୁପ। ବହୁ ସ୍ଥାନରେ ଡଷ୍ଟବିନ୍ ଭାଙ୍ଗି ଯାଇଥିବାବେଳେ କିଛି ସ୍ଥାନରେ ଡଷ୍ଟବିନ୍‌ ଉଭାନ୍ ହୋଇଯାଇଛି। କେଉଁଠୁ ଦୁଇଟି ତ କେଉଁଠୁ ଗୋଟିଏ ଡଷ୍ଟବିନ୍ ଉଭାନ୍ ହୋଇଯାଇଛି। ଏହାକୁ ଦୁର୍ବୃତ୍ତ ଚୋରି କରିନେଇଥିବା ସନ୍ଦେହ କରାଯାଉଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ସିସିଟିଭି ଦେଖି ଏନେଇ ଥାନାରେ ଅଭିଯୋଗ କରିବାକୁ ସମୟ ନାହିଁ।

ସମ୍ବନ୍ଧିତ ଖବର