ଭୁବନେଶ୍ବର: ସେୟାର୍ ଟ୍ରେଡିଂରେ ସୁନ୍ଦରୀଙ୍କୁ ଢାଲ କରି ସାଇବର ଠକମାନେ ବଡ଼ବଡ଼ିଆ ପଇସାବାଲାଙ୍କୁ ଚୂନ ଲଗାଉଛନ୍ତି। ଭୁବନେଶ୍ବର ସାଇବର ଥାନାକୁ ପାହାଳ ଅଞ୍ଚଳରୁ ଏମିତି ଏକ ଅଭିଯୋଗ ଆସିଛି। ସୁନ୍ଦରୀ ମିସ୍ ଲୁସିଙ୍କ ପରାମର୍ଶ ଗ୍ରହଣକରି ଜଣେ କର୍ପୋରେଟ୍ ଅଧିକାରୀ ୫୦ ଲକ୍ଷ ଟଙ୍କା ହରାଇଛନ୍ତି। କୋଟିଏ ଟଙ୍କାର ଲୋଭ ଦେଖାଇ ମିସ୍ ଲୁସି କର୍ପୋରେଟ୍ ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କାର ଚୂନ ଲଗାଇଛି।
ହ୍ବାଟସ୍ଆପ୍ରେ ବନ୍ଧୁତା କରିବା ପରେ ମିସ୍ ଲୁସି କର୍ପୋରେଟ୍ ଅଧିକାରୀଙ୍କୁ ଏକ ଇ-ଟ୍ରେଡିଂ ସଂସ୍ଥା ବାବଦରେ କହିଥିଲା। ଆମେରିକାସ୍ଥିତ ମର୍ଗାନ୍ ଷ୍ଟେନ୍ଲେ ଟ୍ରେଡିଂ ସଂସ୍ଥାର ଭାରତୀୟ ଶାଖାରେ ମିସ୍ ଲୁସି କାମ କରୁଛନ୍ତି ବୋଲି କହିଥିଲା। ଭାରତ ସମେତ ବିଦେଶର ବଡ଼ବଡ଼ କମ୍ପାନିର ସେୟାର୍ କିଣାବିକାରେ ନିବେଶକଙ୍କୁ ଭଲ ଫାଇଦା ଦେଉଛି ବୋଲି ମିସ୍ ଲୁସି କହି ପ୍ରଲୋଭିତ କରିଥିଲା। ପ୍ରଥମେ ପ୍ରଥମେ କର୍ପୋରେଟ୍ ଅଧିକାରୀ ପଛଘୁଞ୍ଚା ଦେଇଥିଲେ, କିନ୍ତୁ ମିସ୍ ଲୁସି ତାଙ୍କୁ ରିସ୍କ୍ ନ ନେଲେ କୋଟିପତି ହେବା ଅସମ୍ଭବ ବୋଲି ବୁଝାଇଦେଲେ। ପ୍ରାୟ ୩ ମାସ କାଳ ଗ୍ରୁପ୍ରେ କାରବାରକୁ ନଜର କରିବା ପରେ କର୍ପୋରେଟ୍ ଅଧିକାରୀ ରିସ୍କ୍ ନେଲେ। ମିସ୍ ଲୁସିଙ୍କ ପରାମର୍ଶ ମାନି ସେ ଜୁନ୍ରେ ୧ ଲକ୍ଷ ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର୍(ଆଇପିଓ) କିଣିଥିଲେ। କିଛି ଦିନ ପରେ ତାଙ୍କ ଭର୍ଚୁଆଲ୍ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା ଦେଖାଯାଇଥିଲା। ସେ ସେଥିରୁ ୨ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଣରେ କୌଣସି ସମସ୍ୟା ନ ହେବାରୁ ମିସ୍ ଲୁସିଙ୍କ ଉପରେ ତାଙ୍କର ଭରସା ବଢ଼ିଯାଇଥିଲା। ତେଣୁ ସେ ବ୍ୟାଙ୍କ୍ରୁ ୩୦ ଲକ୍ଷ ଓ ସମ୍ପର୍କୀୟଙ୍କଠାରୁ ୧୮ ଲକ୍ଷ ଟଙ୍କା ଉଧାର ଆଣି ୪ଟି ଆଇପିଓ କିଣିଥିଲେ। ମାସକ ପରେ ତାଙ୍କର ମୋଟ ୫ ଆଇପିଓ ବଢ଼ିବଢ଼ି ଏକ କୋଟିକୁ ଟପିଯାଇଥିଲା। ମିସ୍ ଲୁସିଙ୍କ କଥା ସତ ହେବା ଦେଖି କର୍ପୋରେଟ୍ ଅଧିକାରୀଜଣକ ବହୁ ଖୁସି ହୋଇଯାଇଥିଲେ ଏବଂ ହାତ ଉଧାରି କରଜ ଓ ବ୍ୟାଙ୍କ୍ ସୁଧ ଆଦି ଶୁଝିବାକୁ ୨୫ ଲକ୍ଷ ଟଙ୍କା ଉଠାଇବାକୁ ବାହାରିଲେ। କିନ୍ତୁ ପାହୁଲାଟିଏ ଉଠାଇ ପାରିଲେନି। ସେତେବେଳକୁ ମିସ୍ ଲୁସି ତ ଅନ୍ତର୍ଦ୍ଧାନ ହୋଇସାରିଥିଲେ, ଆମେରିକୀୟ ସଂସ୍ଥା ବି ଗାୟବ ହୋଇଯାଇଥିଲା। କୋଟିଏ ତ ମିଳିଲାନି, କାନମୁଣ୍ଡା ଆଉଁସି ଆଉଁସି ସେ ସାଇବର ଥାନାକୁ ଧାଇଁଲେ।