ଭୁବନେଶ୍ବର : ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବହୁ ଗୁରତର ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେଣି। ଏବେ ହସ୍ପିଟାଲରେ ଶଯ୍ୟା ସଂକଟ ଦେଖାଦେଲାଣି ବୋଲି ଚର୍ଚ୍ଚା ଚାଲିଛି। ଏହାକୁ ଖଣ୍ଡନ କରି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ରାଜଧାନୀରେ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୦୦୦ଟି ସାଧାରଣ ଶଯ୍ୟା, ୪୦୦ରୁ ଅଧିକ ଆଇସିୟୁ, ୭୦୦ରୁ ଅଧିକ ଏଚ୍ଡିୟୁ ଶଯ୍ୟା ଥିବା ବେଳେ ଏଥିରୁ ୫୦%ଖାଲି ଅଛି। କୌଣସି ଗୁରୁତର ଆକ୍ରାନ୍ତ ଚାହିଲେ ଯେକୌଣସି ମୁହୂର୍ତ୍ତରେ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ।
ସେହିପରି ରାଜଧାନୀର କୌଣସି କୋଭିଡ୍ ହସ୍ପିଟାଲରେ ଏବେ ଅକ୍ସିଜେନ୍ର ଅଭାବ ନାହିଁ। ସବୁ ହସ୍ପିଟାଲକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଯୋଗାଣ ହେଉଛି। ଯେଉଁଠି ପାଇପ୍ ଲାଇନ୍ ଅଛି, ଠାରେ ପାଇପ୍ରେ ନଚେତ୍ ସିଲିଣ୍ଡର ମାଧ୍ୟମରେ ପ୍ରତି ୱାର୍ଡକୁ ଆବଶ୍ୟକ ଅକ୍ସିଜେନ୍ ଯୋଗାଣ ହେଉଛି ବୋଲି ବିଏମ୍ସି କମିସନର କହିଛନ୍ତି।
ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକ କୋଭିଡ୍ କଟକଣା ଉଲ୍ଲଂଘନ କରୁଥିବାରୁ କମିସନର୍ ଚିନ୍ତା ପ୍ରକଟ କରିଛନ୍ତି। କହିଛନ୍ତି ଯେ ବିଏମ୍ସି ଓ ପୁଲିସ୍ ଜରିମାନା ଆଦାୟ ଏବଂ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବି କିଛି ଅମାନିଆ ନିୟମ ମାନୁନାହାନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଆମକୁ ସଚେତନ ହେବାକୁ ପଡ଼ିବ।