ପୁରୁଣା ଭୁବନେଶ୍ବର: ଗୁରୁବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥରୁ ୧୦ ଟନ୍‌ ଗୋହାଡ଼ ବୋଝେଇ ଟ୍ରକ୍‌ ଧରାପଡ଼ିବା ଘଟଣାରେ ଏବେ ବି ଲୋକଙ୍କ ଭିତରୁ ତୀବ୍ର ଅସନ୍ତୋଷ ଲିଭିନାହିଁ। ଠିକ୍‌ ଏତିକିବେଳେ ଆଜି ସନ୍ଧ୍ୟାରେ ଜଟଣୀ-ସୁନ୍ଦରପଦା ରାସ୍ତାରୁ ପୁଣି ଧରାପଡ଼ିଛି ଏକ ଗୋମାଂସ ଓ ‌ଚମଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌। ଗତକାଲି ଧରାପଡ଼ିଥିବା ଟ୍ରକ୍‌ରୁ ସଦ୍ୟ କଟାଯାଇଥିବା ଗୋହାଡ଼ ମିଳିଥିବା ବେଳେ ଆଜି ପିକ୍‌ଅପ୍‌ ଭ୍ୟାନ୍‌ରୁ ଗୋମାଂସ ଓ ଚମଡ଼ା ଜବତ ହୋଇଛି। ତେଣୁ ଉଭୟ ମାମଲାରେ କୌଣସି ଗୋଟିଏ ରୢାକେଟ୍‌ କାମ କରୁଛି ବୋଲି ସନ୍ଦେହ କରାଯାଉଛି। ଗୋହାଡ଼ ବୋଝେଇ ଗାଡ଼ି ୧୬ ନମ୍ବର ଜାତୀୟ ରାଜପଥରୁ ଧରାପଡ଼ିବାରୁ ଏହି ଗୋମାଂସ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜଟଣୀ-ସୁନ୍ଦରପଦା ରାସ୍ତା ଦେଇ ଖସିଯିବାକୁ ବସିଥିବା ଆଲୋଚନା ହେଉଛି। ବଡ଼ କଥା ହେଉଛି ଏସବୁ ପିପିଲି, ଜଟଣୀ କିମ୍ବା ଖୋର୍ଦ୍ଧା ଅଞ୍ଚଳରୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। କୌଣସି ବେଆଇନ କଂସେଇଖାନାରୁ ଏହା ଚାଲାଣ ହେଉଥିବା ଅନୁମାନ କରାଯାଉଛି। ତେଣୁ ଉପଯୁକ୍ତ ତଦନ୍ତ କରିବାକୁ କମିସନରେଟ୍‌ ପୁଲିସ ଉପରେ ବିଭିନ୍ନ ମହଲରୁ ଚାପ ପଡ଼ୁଥିବା ଜଣାପଡ଼ିଛି।

Advertisment

ଆଜି ଏୟାର୍‌ଫିଲଡ଼୍‌ ଥାନା ଅଧୀନ ହାଇଟେକ୍‌ ଚଣ୍ଡିବଜାର ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ରାସ୍ତା କଡ଼କୁ ମାଡ଼ି ଯାଇ ଖାଲରେ ଅଟକି ଯାଇଥିଲା। ଗାଡ଼ିଟି ଓଲଟି ପଡ଼ିବା ଅବସ୍ଥାରେ ରହିଯିବା ପରେ ସେଥିରୁ କିଛି ଗୋମାଂସ ଓ ଚମଡ଼ା ବାହାରକୁ ଦେଖାଯାଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକେ ଗାଡ଼ିରେ ଥିବା ୨ ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ। ଖବର ପାଇ ବଜରଙ୍ଗ ଦଳର କର୍ମୀ କୁହାଯାଉଥିବା କିଛି ଯୁବକ ସେଠାରେ ପହଞ୍ଚି ଗାଡ଼ିକୁ ଘେରି ରହିବା ସହ ଅଟକ ଦୁଇ ବ୍ୟକ୍ତିଙ୍କୁ ପଚରାଉଚରା କରି ବହେ ଛେଚିଥିଲେ। ତେବେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଥାନାରେ ଅଟକ ଥିବା ଦୁଇ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା କରୁଛି।