ଭୁବନେଶ୍ବର : କୋଭିଡ୍ କଟକଣା ଉଲ୍ଲଂଘନ କରୁଥିବାରୁ ବିଏମ୍ସି ଓ ବିଡିଏ ସ୍କ୍ବାଡ୍ ଆଜି ଗୋଟିଏ ବିଅର୍ ପାର୍ଲର ଓ କୋଚିଂ ସେଣ୍ଟରକୁ ସିଲ୍ କରିଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଆର୍ସି ଭିଲେଜର ଏନ୍-୪ ଅଞ୍ଚଳରେ ଶ୍ରୀ ବିନାୟକ କ୍ଲାସେସ୍ରେ କୋଭିଡ କଟକଣା ଉଲ୍ଲଂଘନ କରି ହଷ୍ଟେଲ୍ ଖୋଲା ରଖାଯାଇଥିବାରୁ ଏହାକୁ ସିଲ୍ କରାଯାଇଛି।
ବିଏମ୍ସି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସମସ୍ତ ହଷ୍ଟେଲ୍ ଖାଲି କରିବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ହେଁ ବିନାୟକ କ୍ଲାସେସ୍ କର୍ତ୍ତୃପକ୍ଷ ଏହାକୁ ମାନି ନ ଥିଲେ।ଏପରିକି ଆଜି ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥିଲା। ବିଏମ୍ସି ନିର୍ଦ୍ଦେଶନାମା ମାନି ନ ଥିବାରୁ ଏହାକୁ ହଷ୍ଟେଲ ଓ ଅନୁଷ୍ଠାନକୁ ସିଲ୍ କରାଯାଇଛି।
ସେହିପରି ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା ଏକ ବିଅର୍ ପାର୍ଲରରେ ଲୋକମାନେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ବିଅର୍ ପିଉଥିବାରୁ ଏହାକୁ ସିଲ୍ କରାଯାଇଛି। ଏହାସହ ହଜାରେ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କୁହାଯାଇଛି। ସେହିପରି ବିଏମ୍ସିର ସେଣ୍ଟ୍ରାଲ ସ୍କ୍ବାଡ୍ ଆଜି ପ୍ରିୟଦର୍ଶିନୀ ମାର୍କେଟରେ କୋଭିଡ କଟକଣା ପାଳନ ହେଉଛି କି ନାହିଁ ଯାଞ୍ଚ କରିବାକୁ ଯାଇଥିବାବେଳେ ସେଠାରେ ଉଲ୍ଲଂଘନକାରୀଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ରସୁଲଗଡ଼ସ୍ଥିତ କୋଚିଲେଇ ହାଟରେ ଆଜି ମାସ୍କ ଚେକିଂ ହୋଇଥିବାବେଳେ ଏଠାରୁ ୧୨,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।