ବିୟର ପାର୍ଲରରେ ଯୁବକଙ୍କୁ ହତ୍ୟା ଘଟଣା, ମୋ ଭାଇକୁ ନର୍ଯାତନା ଦିଆଯାଉ ଥିଲା

ଭୁବନେଶ୍ବର: ଆଚାର୍ଯ୍ୟବିହାର ଛକ ନିକଟରେ ଥିବା ବିୟର୍‌ ପାର୍ଲର‌ରେ ଅଞ୍ଜନ ମଲ୍ଲିକଙ୍କୁ ହତ୍ୟା ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ୱ ସମୟ ବିତି ଯାଇଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍‌ ପାଇ ପାରିନାହିଁ। ଅଞ୍ଜନଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଅପରପକ୍ଷେ ଅଞ୍ଜନଙ୍କ ଭାଇ ଶୁଭକାନ୍ତ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରାଯିବା ପରେ ଆତ୍ମହତ୍ୟା ରୂପ ଦେବା ଲାଗି ବେକରେ ରଶି ଲଗା ଯାଇଛି। ସେ ଆହୁରି କହିଛନ୍ତି ଯେ ୬ମାସ ତଳେ ସେ ଏବଂ ଅଞ୍ଜନ ମିଶି ସେଠାରେ କାମ କରୁଥିଲେ। ପାର୍ଲରର କର୍ମଚାରୀ ଓ ମାଲିକ ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ୩ଦିନ ତ‌ଳେ ସେ କାମରେ ଘରକୁ ଯାଇଥିଲେ। ହଠାତ୍‌ ୧୪ ତାରିଖ ସକାଳେ ଅଞ୍ଜନ ଆତ୍ମହତ୍ୟା କରିଥିବା ଖବର ପାଇ ପହଞ୍ଚିଥିଲେ। ପହଞ୍ଚିବା ବେଳକୁ ଅଞ୍ଜନ ତଳେ ଶୋଇ ରହିଥି‌ଲେ ଓ ତାଙ୍କ ବେକରେ ରଶି ଲଗା ଯାଇଥିଲା। ଯଦି ସେ ଆତ୍ମହତ୍ୟା କରିଥିଲେ ପରିବାର ବିନା ଉପସ୍ଥିତିରେ କାହିଁକି ତାଙ୍କ ଝୁଲନ୍ତା ମୃତଦେହକୁ ତଳକୁ ଖସାଇ ଦିଆଯାଇଥିଲା? ଯଦି ସେ ଆତ୍ମହତ୍ୟା କରିଛନ୍ତି ସେ ଘରର ଦୁଇଟି କବାଟ ଭିତର ପଟୁ ବନ୍ଦ କରି ଆତ୍ମହତ୍ୟା କରିଥାଆନ୍ତେ। ଆଉ କବାଟ ଭାଙ୍ଗି ମୃତଦେହକୁ ଜବତ କରାଯାଇଥାଆନ୍ତା। ହେଲେ ସେଭଳି କିଛି ହୋଇନଥିଲା। ଗୋଟିଏ ପଟ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଅନ୍ୟଟି ବାହର ପଟୁ ବନ୍ଦ ଥିଲା। ପଛପଟ କବାଟ ତାଲା ଖୋଲି ତାଙ୍କ ମୃତଦେହ ଜବତ କରାଯାଇଥିବା କୁହାଯାଉଛି। ପୁଲିସ ଉପସ୍ଥିତିରେ ନା ପୁଲିସ ଅନୁପସ୍ଥିତିରେ କବାଟ ଖୋଲା ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ପାର୍ଲର୍‌ର ସମସ୍ତ ସ୍ଥାନରେ ସିସିଟିଭି ରହିଛି, କିନ୍ତୁ ଯେଉଁ ଘରୁ ଅଞ୍ଜନଙ୍କ ମୃତଦେହକୁ ଜବତ କରାଯାଇଥିଲା, ସେଠାରେ ସିସିଟିଭି ନଥିବା ସନ୍ଦେହ ସୃଷ୍ଟି କରିଛି। ଆଇଆଇସି ବିରଞ୍ଚି ପତି କହିଛନ୍ତି ଯେ ପାର୍ଲର୍‌ର ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ସିସିଟିଭି ଯାଞ୍ଚ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ସେ କହିଛନ୍ତି। ବୁଧବାର ବିଳମ୍ବିତ ରାତିରେ କର୍ମଚାରୀମାନେ ଶୋଇବା ପାଇଁ ଯାଇଥିବା ବେଳେ ଅଞ୍ଜନ ପାଖରେ ଥିବା ଅନ୍ୟ ଏକ ଘରେ ଏକା ଶୋଇଥିଲେ। ଗୁରୁବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ କର୍ମଚାରୀମାନେ ତାଙ୍କୁ ଡାକିଥିଲେ। କିନ୍ତୁ ସେ ଜବାବ ନ ଦେବାରୁ କର୍ମଚାରୀମାନେ ଉକ୍ତ ଘରକୁ ବାଟ ଥିବା ଅନ୍ୟ ଏକ କବାଟର ବାହାରପଟୁ ତାଲା ଖୋଲିଥିଲେ। ତେବେ ଅଞ୍ଜନ ଫ୍ୟାନ୍‌ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର