ଆମ ପେଟକୁ ନାତ ମାରନି

କେନ୍ଦ୍ର ନିଷ୍ପତ୍ତିକୁ ଖିଲିପାନ ଦୋକାନୀଙ୍କ ତୀବ୍ର ବିରୋଧ

ଭୁବନେଶ୍ୱର : ତମାଖୁ ଉତ୍ପାଦ ବିକ୍ରି କରୁଥିବା କ୍ଷୁଦ୍ର ପାନ ଦୋକାନୀମାନେ ଅଣ ତମାଖୁ ଉତ୍ପାଦ ତଥା କୌଣସି ଖାଦ୍ୟ ଓ ପାନୀୟ ଜିନିଷ ବିକ୍ରି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇନ ଆଣିବା ପରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଅଢ଼େଇ ହଜାର ଖିଲିପାନ ଦୋକାନୀ ଏକାଠି ହୋଇ ଶୋଭାଯାତ୍ରା କରି ଏହାର ତୀବ୍ର ପ୍ରତିବାଦ ଜଣାଇଛନ୍ତି।

କେନ୍ଦ୍ର ପକ୍ଷରୁ ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦେଶନାମା ଆସିବା ପରେ ଏକାଠି ହୋଇଛନ୍ତି ପାନ ଦୋକାନୀ ସଂଘ। ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘର ସଭାପତି ଶ୍ରୀନିବାସଙ୍କ କହିବା ମୁତାବକ, ପାନ ଦୋକାନରେ ପାଉଁରୁଟି, ବିସ୍କୁଟ୍‌ ଅଣ୍ଡା, ଜୁସ୍‌, ମୃଦୁପାନୀୟ, ପାଣି ଆଦି ବିକ୍ରି ହୋଇ ପାରିବନି ବୋଲି କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହା ଦ୍ୱାରା ରାଜ୍ୟର ୧୦ ଲକ୍ଷ ପାନ ଦୋକାନୀ ନିଜ ପରିବାର ଚଳାଇବାରେ ଘୋର୍‌ ସମସ୍ୟା ଭୋଗିବେ। ସମ୍ପାଦକ ଦୁଃଖୀଶ୍ୟାମ ମହାପାତ୍ରଙ୍କ କହିବା ମୁତାବକ କେବଳ ଭୁବନେଶ୍ୱରରେ ୪ହଜାର ୭୧୩ଟି ପାନ ଦୋକାନ ସଂଘ ସହ ଜଡ଼ିତ ଥିବା ବେଳେ ୧୦ ହଜାରରୁ ୧୨ ହଜାର ପାନ ତଥା ତମାଖୁ ବ୍ୟବସାୟୀ ଅଛନ୍ତି। ତେଣୁ ଆମ ପେଟପାଟଣାକୁ ନାତ ଦେବା ପୂର୍ବରୁ ସରକାର ଥରେ ଏ ସମ୍ବନ୍ଧରେ ଚିନ୍ତା କରୁ ବୋଲି ସେ କହିଛନ୍ତି। ନଚେତ୍‌ ଏହାଦ୍ୱାରା ଅନେକ ବେକାରୀ ହେବା ସହିତ ଅନେକଙ୍କ ପରିବାର ଚଳିବା ଦୁରୂହ ବ୍ୟାପାର ହୋଇଯିବ।

ସରକାରଙ୍କର ଏହି ନିଷ୍ପତ୍ତି ଦେଶର କୋଟିକୋଟି ଖୁଚୁରା ବେପାରୀଙ୍କ ପେଟପାଟଣାରେ ବାଧକ ହେବ। ତେଣୁ ସରକାର ଏହି ଆଇନ୍‌କୁ କାର୍ଯ୍ୟକାରୀ କରିବା ପୂର୍ବରୁ ଥରେ ଆମ କଥା ଚିନ୍ତା କରନ୍ତୁ ବୋଲି ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ଏନେଇ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ୧୧ ଜଣଙ୍କୁ ଦୁଃଖ ଜଣାଯାଇଛି। ଭବିଷ୍ୟତରେ ଯଦି ଏ ସମ୍ପର୍କରେ ପୁନର୍ବିଚାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆନଯାଏ ଆମେ ଅନ୍ୟ ରାଜ୍ୟର ସଂଗଠନ ସହ ମିଶି ଧାରଣା ଦେବୁ। ଆବଶ୍ୟକ ପଡ଼ିଲେ ଦିଲ୍ଲୀରେ ବ୍ୟାପକ ଆନ୍ଦୋଳନ କରିବୁ ବୋଲି କହିଛନ୍ତି କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର।

ସମ୍ବନ୍ଧିତ ଖବର