ହକି ବିଶ୍ୱକପ୍‌ ପୂର୍ବରୁ ପରିବହନ ବ୍ୟବସ୍ଥା ବଦଳିବ

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍‌ ହକି ପୂର୍ବରୁ ରାଜଧାନୀରେ ସରକାରୀ ପରିବହନ ସେବାର ସଂପୂର୍ଣ୍ଣ ଆଧୁନିକୀକରଣ ହେବ। କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଗମନାଗମନ ବ୍ୟବସ୍ଥା ବଦଳିବ। ଏବେ ୬% ଲୋକ ସିଟି ବସ୍‌ରେ ଯାତାୟତ କରୁଥିବାବେଳେ ଏହାକୁ ୧୬% ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏବେ ରାଜଧାନୀର ବିଭିନ୍ନ ରୁଟ୍‌ରେ ୧୧୦ଟି ସିଟି ବସ୍‌ ଚାଲୁଥିବାବେଳେ ଏଥିରେ ମୋଟ୍‌ ଯାତ୍ରୀସଂଖ୍ୟାର ୬% ଯାତ୍ରୀ ଯାତାୟତ କରୁଛନ୍ତି। ଭବିଷ୍ୟତରେ ଯେପରି ୧୬% ଯାତ୍ରୀ ଯାତାୟତ କରିବେ ସେଥିପାଇଁ ଅଧିକ ବସ୍‌ ଚଲାଇବା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା, ଅଧିକ ଏସି ବସ୍‌ ଚଲାଇବା, ଠିକ୍‌ ସମୟରେ, ନିୟମିତ ବ୍ୟବଧାନରେ ବସ୍‌ ଚଲାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

୧୨୫କୋଟିରେ କିଣା ହେବ ୨୦୦ ବସ୍‌
୧୬% ଲୋକ ସିଟି ବସ୍‌ରେ ଯାତାୟତ କରିବା ଯୋଜନା
ବସ୍‌ ଟ୍ରାକିଂ କରିବାକୁ ଆସିବ ଆପ୍‌
ଭଗବାନପୁର, ପଟିଆରେ ହେବ ବସ୍‌ ଡିପୋ
୩୦କିମି ରାସ୍ତାରେ ୯୨ଟି ଇଲେକ୍ଟ୍ରିକ୍‌ ବସ୍‌ ଚାଲିବ

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜଧାନୀରେ ସରକାରୀ ପରିବହନ ବ୍ୟବସ୍ଥା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ଯେ ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୨୦୦ଟି ଅତ୍ୟାଧୁନିକ ବସ୍‌ ଚାଲିବ। ଏଥିପାଇଁ ୧୨୫କୋଟି ଖର୍ଚ୍ଚ ହେବ। ଏହାବାଦ୍‌ ଏବେ ଚାଲୁଥିବା ୧୧୦ଟି ସିଟିବସ୍‌କୁ ନବୀକରଣ କରାଯିବ। ଏବେ ବସ୍‌ ରହିବା ପାଇଁ ପୋଖରୀପୁଟରେ ଗୋଟିଏ ଡିପୋ ଥିବାବେଳେ ଭଗବାନପୁର ଏବଂ ପଟିଆରେ ଆଉ ଦୁଇଟି ବସ୍‌ ଡିପୋ ନିର୍ମାଣ ହେବ। ଏଠାରେ ୫ଏକର ଲେଖାଏଁ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି। ସେହିପରି ଯାତ୍ରୀମାନେ ଯେପରି ସୁବିଧାରେ ପରିବହନ ସେବା ପାଇପାରିବେ ସେଥିପାଇଁ ପରିବହନ ବ୍ୟବସ୍ଥାକୁ ଆଇଟିଏସ୍‌ ସହ ସଂଯୁକ୍ତ କରାଯିବ। ଏହାଦ୍ୱାରା ନିର୍ଦ୍ଦିଷ୍ଟ ଆପ୍‌ ମାଧ୍ୟମରେ ଯାତ୍ରୀମାନେ ସିଟି ବସ୍‌ ଟ୍ରାକିଂ କରିପାରିବେ। କେଉଁ ବସ୍‌ କେଉଁଠି ଅଛି, କେତେ ସମୟରେ ପହଞ୍ଚିବ, କେଉଁ ବସ୍‌ କେଉଁ ରୁଟ୍‌ରେ ଯାଉଛି ଆଦି ଉପଲବ୍ଧ ହେବ। ଏହାବାଦ୍‌ ପ୍ରତ୍ୟେକ ବସ୍‌ଷ୍ଟାଣ୍ଡରେ ଡିଜିଟାଲ ବୋର୍ଡ ଲାଗିବ। ଏଥିରେ କେତେ ନମ୍ବର ବସ୍‌ କେଉଁ ରୁଟ୍‌ରେ ଆସୁଛି ତା’ର ସୂଚନା ଆଗୁଆ ମିଳିବ। ସେହିପରି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ୩୦କିଲୋମିଟର ରାସ୍ତାରେ ୯୨ଟି ଇଲେକ୍ଟ୍ରିକ୍‌ ବସ୍‌ ଚାଲିବ। ଏଥିପାଇଁ ସ୍ୱତନ୍ତ୍ର ବସ୍‌ କିଣାଯିବ। ବସ୍‌ଗୁଡ଼ିକ କିପରି ଚାର୍ଜିଂ ହୋଇପାରିବ, ଡିପୋରେ ସୁରକ୍ଷିତ ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିପିଟିଏସ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ବିଏମ୍‌ସି କମିସନର କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର